ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ହତ୍ୟା ଘଟଣା ମନରୁ ନ ଲିଭୁଣୁ ପୁଣି ରକ୍ତରଞ୍ଜିତ ହୋଇଛି ଜନପଥ । ଟଙ୍କା ଭାଗବଣ୍ଟାକୁ କେନ୍ଦ୍ରକରି କ୍ୟାପିଟାଲ୍ ଥାନା ଶିଶୁଭବନ ଛକ ନିକଟରେ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକ ନାମ ତ୍ରିନାଥ । ତାଙ୍କର ପୂରା ଠିକଣା ଜଣାପଡ଼ିନି । ଏହି ଘଟଣାରେ ପୁଲିସ୍ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି । ଘଟଣାସ୍ଥଳରୁ ପୁଲିସ୍ ଏକ ରକ୍ତ ଲଗା ପଥର ଜବତ କରିଛି । ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ତ୍ରିନାଥ ଓ ନାରାୟଣଙ୍କ ମଧ୍ୟରେ ସମ୍ପର୍କ ୭ ମାସର । ଉଭୟ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲି ଦିନ ମଜୁରିଆ ଭବେ କାମ କରନ୍ତି । ରାତି ହେଲେ ବସ୍ଷ୍ଟାଣ୍ଡ ନଚେତ ରେଳ ଷ୍ଟେସନ୍ରେ ରାତ୍ରୀଯାପନ କରନ୍ତି । ଗତ ୫ଦିନ ତଳେ ଏମାନେ ସାଙ୍ଗ ହୋଇ ଏକ କାମକୁ ଯାଇଥିଲେ । ସେଠାରୁ ଯେଉଁ ଟଙ୍କା ଆଣିଥିଲେ ସେଥିରୁ କମ୍ ଟଙ୍କା ତ୍ରିନାଥଙ୍କୁ ଦେଇଥିଲେ ନାରାୟଣ । ଏହାକୁ ନେଇ ତ୍ରିନାଥଙ୍କ ମନରେ କ୍ଷୋଭ ଥିଲା । ଗୁରୁବାର ରାତିରେ ତ୍ରିନାଥଙ୍କୁ ନାରାୟଣ କହିଥିଲେ, ଶୁକ୍ରବାର ୟୁନିଟ୍-୩ ଅଞ୍ଚଳକୁ ଯାଇ ଜଣଙ୍କ କାମ କରିବାକୁ । ସେ ଅଧିକ ଟଙ୍କା ଦେବେ । ହେଲେ ଶୁକ୍ରବାର ରାତି ପାହିଲା ବେଳକୁ ତ୍ରିନାଥ କାମକୁ ନଯାଇ ଅନ୍ୟ କେଉଁ ଆଡେ ଚାଲି ଯାଇଥିଲେ । ଶନିବାର ସନ୍ଧ୍ୟାରେ ବାପୁଜୀନଗରରେ ଦୁଇ ଜଣଙ୍କ ସାକ୍ଷାତ ହୋଇଥିଲା ।
ଗତକାଲି କ’ଣ ପାଇଁ କାମକୁ ଯାଇ ନଥିଲ ବୋଲି ତ୍ରିନାଥଙ୍କୁ ପ୍ରଶ୍ନ କରିଥିଲେ ନାରାୟଣ । ଏହି ସମୟରେ ପୂର୍ବ ଟଙ୍କା କଥାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି । ପରେ ଉଭୟ ହାତାହାତି ହୋଇଥିଲେ । ରାସ୍ତା ଉପରେ ଦୁଇ ଜଣ ମାରପିଟ୍ ଲାଗିଥିଲେ । ଏହାଦେଖି ବାଟରେ ଯାଉଥିବା ଲୋକ ପୁଲିସ୍ କଣ୍ଟେ୍ରାଲ୍ ରୁମ୍ (୧୦୦)କୁ ଫୋନ୍ କରିଥିଲେ । ପୁଲିସ୍ ଆସିବା ପୂର୍ବରୁ ମାରପିଟ୍ ଉଗ୍ର ରୂପ ନେଇ ସାରିଥିଲା । ନାରାୟଣ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ରାସ୍ତା କଡ଼ରେ ପଡ଼ିଥିବା ଏକ ପଥର ଆଣି ତ୍ରିନାଥ ମୁଣ୍ଡକୁ ଛେଚି ଦେଇଥିଲା । ପୁଲିସ୍କୁ ଦେଖି ନାରାୟଣ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୁଲିସ୍ ତାକୁ କାବୁ କରି ନେଇଥିଲା । ଏହାସହିତ ତୁରନ୍ତ ତ୍ରିନାଥଙ୍କୁ ପୁଲିସ୍ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାରାୟଣଙ୍କୁ ଥାନାରେ ଜେରା କରାଯାଉଛି ।
ଏନେଇ ଜୋନ୍ ଏସିପି ମାନସ ଗଡନାୟକ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଉଭୟ ଶ୍ରମିକ । ଟଙ୍କା ଓ କାମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଆମେ ଅନୁମାନ କରୁଛୁ । ଅଭିଯକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି । ହେଲେ ଏ ପର୍ଯ୍ୟନ୍ତ ମୃତ ତ୍ରିନାଥର ଠିକଣା ମିଳିପାରି ନାହିଁ । ଅଭିଯୁକ୍ତ ନାରାୟଣ ବି ତା’ ଠିକଣା ଦେଇ ପାରୁନି । ଖୁବ୍ଶୀଘ୍ର ତାର ପରିଚୟ ମିଳିବ ।
ସୂଚନାଯୋଗ୍ୟ, ରାଜଧାନୀରେ ଗତ ୧୦ ଦିନ ଭିତରେ ୩ ମୁଣ୍ଡ ଗଡ଼ିଲାଣି । କେଉଁଠି ପତିଆରା ପାଇଁ ହତ୍ୟା ତ’ ପୁଣି କେଉଁଠି ଟଙ୍କା ପାଇଁ । ଚୋରି ଓ ଲୁଟ୍ କଥା ନ କହିବା ଭଲ । ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ଚାରିଆଡେ଼ ପୁଲିସ୍ । ତା’ପରେ ଅପରାଧୀମାନେ ସେମାନଙ୍କ କାରନାମା ଦେଖାଇ ଚାଲିଛନ୍ତି । ଆଶ୍ଚର୍ଯ୍ୟ କଥା ହେଲା, ଆଜି ଯେଉଁଠି ନାରାୟଣ ତ୍ରିନାଥଙ୍କୁ ପଥରରେ ଛେଚି ହତ୍ୟା କରୁଥିଲା ସେଠାରୁ ମାତ୍ର କେଇ ମିଟର ଦୂରରେ ଡୁ୍ୟଟି କରୁଥିଲେ ପୁଲିସ୍ । ହେଲେ ଏହି ହତ୍ୟା ବିଷୟରେ କିଛି ଟେର୍ ପାଇନଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.