ବଲାଙ୍ଗୀର: ବଲାଙ୍ଗିର ଶାନ୍ତିପଡ଼ାରେ ୩ଜଣଙ୍କୁ ବନ୍ଧକ ରଖିବା ଘଟଣାକୁ ନେଇ ପ୍ରେସମିଟ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ପ୍ରେମ ପାଇଁ ପରିବାରର ୩ଜଣଙ୍କୁ ବନ୍ଧକ ରଖିଥିବା ସୁଚନା ମିଳିଛି । ପ୍ରେମ ସମ୍ପର୍କ ପାଇଁ ଏଭଳି କାଣ୍ଡ ହୋଇଥିବା ନେଇ ସୁଚନା ଦେଇଛି ପୋଲିସ । ତେବେ ୩ଜଣଙ୍କ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ନେଇ ପୋଲିସ ସୁଚନା ଦେଇଛନ୍ତି । ହତ୍ୟା ନୁହେଁ ଭୟଭୀତ କରିବାକୁ ୩ଜଣଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ କହିଛି । ୨ଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ବନ୍ଧୁକ କେଉଁଠୁ ଆଣିଥିଲା ତାହାର ତଦନ୍ତ ଚାଲିଛି । ବୌଦ୍ଧରୁ ବନ୍ଧୁକ ଆଣିଥିବା ସ୍ୱୀକାର କରିଛି ଅଭିଯୁକ୍ତ । ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଂଜ ଥିଲା । ଆଜି ଅଭିଯୁକ୍ତ ବିକ୍ରମକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି ।
‘ଭାଣିଜିକୁ ଡାକ ନହେଲେ ଗୁଳି ମାରିଦେବି’ । ଦିବ୍ୟଲୋଚନଙ୍କ ସାମ୍ନାରେ ୬ଫୁଟ ଉଚ୍ଚତାର ଜଣେ ଯୁବକ ଛିଡ଼ା ହୋଇଛି । ହାତରେ ଏକ ବନ୍ଧୁକଧରି କେବଳ ସେଇ ଗୋଟିଏ ଦାବି ଦୋହରାଉଛି । କିଏ ସେ ଯୁବକ? କାହିଁକି ଆସିଛି? ଦୁଇ ମହଲା କୋଠା ଉପରକୁ ଚଢ଼ି ସିଧା ଘର ଭିତକୁ କେମିତି ପଶି ଆସିଲା? ଏସବୁ ବୁଝିବା ପୂର୍ବରୁ ପରିବାର ଲୋକେ ବନ୍ଧୁକ ଦେଖି ଛାନିଆଁ ହୋଇଗଲେ । କୌଶଳକ୍ରମେ ଦିବ୍ୟଲୋଚନ, ତାଙ୍କ ପତ୍ନୀ ଓ ନାବାଳକ ପୁଅ ଖସିଯାଇ ଡ୍ରଇଂରୁମ୍ ସଂଲଗ୍ନ ବେଡ଼ରୁମ୍ ଭିତରକୁ ପଶିଗଲେ ଆଉ ଭିତରପଟୁ କବାଟ କିଳିଦେଲେ । ଏହା ଦେଖି ଯୁବକଜଣକ ଆହୁରି ଉତ୍ତେଜିତ ହୋଇପଡ଼ିଲା ଏବଂ ଡ୍ରଇଂରୁମ୍ ଭିତରପଟୁ ବନ୍ଦ କରି ସେମାନଙ୍କୁ ଜଗି ରହିଲା । ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଲା ପୁଲିସ । ସାଢେ଼ ୬ ଘଣ୍ଟାଧରି ପୁଲିସ ଓ ଅଗ୍ନିଶମ ବିଭାଗର କସରତ ପରେ ପ୍ରଥମେ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ଶେଷରେ ସମ୍ପୃକ୍ତ ଯୁବକକୁ କାବୁ କରାଯାଇଥିଲା । ସମ୍ପୃକ୍ତ ଯୁବକର ବାଇକ୍ ରେଜିଷ୍ଟେ୍ରସନ ନମ୍ବରରୁ ତାହାର ନାମ ବିକ୍ରମ ପଣ୍ଡା ବୋଲି ପରିଚୟ ମିଳିଛି । କାବୁ କରିବା ପରେ ଏକ ଗୋପନୀୟ ସ୍ଥାନକୁ ନେଇ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଥିଲା । ଏକତରଫା ପ୍ରେମବ୍ୟାପାରକୁ କେନ୍ଦ୍ରକରି ବିକ୍ରମଙ୍କ ହାଇଡ୍ରାମା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଛି ।
ଦିବ୍ୟଲୋଚନଙ୍କ ପରିବାର ଗୃହବନ୍ଦୀ ହୋଇ ରହିବା ପରେ ବିକ୍ରମ ସେମାନଙ୍କୁ ଛକି ରହି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ତାଙ୍କୁ ବୁଝାଇବା ପାଇଁ ପୁଲିସ ଫେଲ ମାରିବା ପରେ ବିକ୍ରମଙ୍କ କେତେକ ବନ୍ଧୁଙ୍କୁ ସେଠାରେ ପହଞ୍ଚିଥିଲେ । ସେମାନେ ମଧ୍ୟ ଦୀର୍ଘସମୟ ପର୍ଯ୍ୟନ୍ତ ବୁଝାସୁଝା କରିଥିଲେ ହେଁ ଫେଲ ମାରିଥିଲେ । ସେହି ବନ୍ଧୁମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିକ୍ରମ ପଣ୍ଡା ଏକ ଶିକ୍ଷିତ ପରିବାରର । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ନିଜେ ମଧ୍ୟ ଉଚ୍ଚ ଶିକ୍ଷିତ । ବିଜ୍ଞାନରେ ସ୍ନାତକ ହେବାପରେ କମ୍ପୁ୍ୟଟର ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପାଠପଢ଼ା ପରେ ସ୍ଥାନୀୟ ଓମେନ୍ସ କଲେଜ ଛକଠାରେ ଏକ ନେଟ କାଫେ ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ଯୁବକ/ଯୁବତୀମାନେ ଚାକିରି ଆବେଦନ ପାଇଁ ଅନଲାଇନ ଫର୍ମ ଦାଖଲ କରିବାକୁ ସେଠାକୁ ଆସିଥାଆନ୍ତି । ପ୍ରାୟ ୩ବର୍ଷତଳେ ଜଣେ ଯୁବତୀ ନିୟମିତ ବିଭିନ୍ନ ଚାକିରି ପାଇଁ ଫର୍ମ ଦାଖଲକରିବାକୁ ସେଠାକୁ ଯାଉଥିଲେ । ସେଇଠାରେ ହିଁ ବିକ୍ରମ ସହିତ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ଯୁବତୀଜଣକ ବଲାଙ୍ଗିରରେ ନିଜର ସମ୍ପର୍କୀୟଙ୍କ ଘରେ ରହି ଚାକିରି ଖୋଜୁଥିଲେ । ଉଭୟଙ୍କ ଭେଟଘାଟକୁ ନେଇ କିଛିମାସ ପରେ ଯୁବତୀଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଏବଂ ଉଭୟଙ୍କ ପ୍ରେମକୁ ବାରଣ କରିଥିଲେ । ଏପରିକି ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ନିଜ ଝିଅପାଇଁ ସରକାରୀ ଚାକିରିଆ ପାତ୍ର ଖୋଜୁଥିବାରୁ ବିକ୍ରମ ଅନେକ ସମୟରେ ବିଚଳିତ ରହୁଥିବା ବନ୍ଧୁମାନେ କହିଛନ୍ତି । ଇତିମଧ୍ୟରେ ଯୁବତୀଜଣକ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ନିଯୁକ୍ତି ପାଇଥିଲେ ଏବଂ ସମ୍ପର୍କୀୟଙ୍କ ଘର ଛାଡ଼ି ମେଡ଼ିକାଲ କଲେଜ କ୍ୱାର୍ଟରରେ ରହିଥିଲେ । କିନ୍ତୁ ଚାକିରି ପାଇବା ପରେ ଅଚାନକ ପାରିବାରିକ କଟକଣା ଦର୍ଶାଇ ସେ ଆଉ ବିକ୍ରମଙ୍କୁ ଧରାଛୁଆଁ ଦେଲେ ନାହିଁ କିମ୍ବା କଥାବାର୍ତ୍ତା ହେଲେ ନାହିଁ । ଦୀର୍ଘଦିନଧରି ଭେଟଘାଟ ନହେବାପରେ ବିକ୍ରମ ମାନସିକ ଦୁଶ୍ଚିନ୍ତା ଅବସାଦ ପାଇଁ କିଛି ଔଷଧ ଖାଇବାକୁ ଲାଗିଲେ । ଏଭଳି ସମୟରେ ଆସନ୍ତା ମାସ ସଂପୃକ୍ତ ଯୁବତୀଙ୍କ ଜଣେ ବ୍ୟାଙ୍କ ଅଧିକାରୀଙ୍କ ସହ ବାହାଘର ସ୍ଥିର ହୋଇଥିବା ଜାଣିବାକୁ ପାଇଥିଲେ । ବିକ୍ରମ ବିଚଳିତ ରହୁଥିଲେ । କିନ୍ତୁ ସମସ୍ତଙ୍କୁ ଚକିତକରି ଏଭଳି ଏକ କାଣ୍ଡ ଭିଆଇବେ ବୋଲି କେହି କଳ୍ପନାସୁଦ୍ଧା କରିନଥିବା ତାଙ୍କର ବନ୍ଧୁମାନେ କହିଛନ୍ତି ।
ବଲାଙ୍ଗୀରରୁ ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ
Comments are closed, but trackbacks and pingbacks are open.