ବ୍ରହ୍ମପୁର: ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ରକ୍ତାକ୍ତ ସଂଘର୍ଷ । ଗତକାଲି ରାତିରେ ୪ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ଜଣେ ଯୁବକ ୩ ଜଣଙ୍କୁ ଛୁରୀ ମାଡ଼ କରିଛନ୍ତି । ଜଣକର ମୃତୁ୍ୟ ହୋଇଛି ଏବଂ ଆଉ ଦୁଇଜଣ ବଡ଼ ଡାକ୍ତରଖାନାରେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ମୃତକ ଉତ୍ତରାମୁଖୀ ସାହିର ଚନ୍ଦନ ପ୍ରଧାନ(୨୧) ଏବଂ ଆହତ ଦୁଇଜଣ ହର୍ଷବିହାର ଅଞ୍ଚଳର ମୁନା ମହାନ୍ତି ଓ ଉତ୍ତରାମୁଖୀ ସାହିର ତୋଫାନ ବେହେରା ବୋଲି ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ଅଭିଯୁକ୍ତ ଶିବରାମ ସେଠୀ ପାଖରୁ ରକ୍ତଭିଜା ଛୁରୀ ଜବତ କରାଯିବା ସହ ତାକୁ ଗିରଫ କରାଯାଇଇଛି । ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିବା ପୁଲିସ ସନେ୍ଦହ କରୁଛି ।
ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ସୂଚନା ପ୍ରକାରେ, କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପୂର୍ବରୁ ମତାନ୍ତର ରହିଥିଲା । ଗତକାଲି ରାତି ପ୍ରାୟ ୧୦ଟାରେ ଚନ୍ଦନ, ମୁନା ଓ ତୋଫାନ ମଦ ପିଇବା ପରେ ଶିବରାମକୁ ଡାକିଥିଲେ । ଶିବରାମ ଘରେ ବସି ମୋବାଇଲ୍ରେ ଗେମ୍ ଖେଳୁଥିଲେ । ଚନ୍ଦନ ଓ ଅନ୍ୟମାନେ ଡାକିବାରୁ ସେ ଘରୁ ବାହାରି ଯାଇଥିଲେ । ଉତ୍ତରାମୁଖୀ ସାହିରେ ସମସ୍ତଙ୍କ ଦେଖା ହୋଇଥିଲା ଏବଂ କଥା କଟାକଟି ହୋଇଥିଲା । ପରେ ସମସ୍ତଙ୍କ ଭିତରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଶିବରାମ ସାଙ୍ଗରେ ନେଇଥିବା ଛୁରୀ ବାହାର କରି ସମସ୍ତଙ୍କୁ ଆକ୍ରମଣ କରିଥିଲେ । ଚନ୍ଦନଙ୍କ ବେକରେ ଛୁରୀ ମାଡ଼ ହୋଇଥିଲା ଏବଂ ପ୍ରବଳ ରକ୍ତସ୍ରାବ ହେବାରୁ ସେ ତଳେ ପଡ଼ିଯାଇଥିଲେ । ମୁନା ଓ ତୋଫାନ ଶରୀରର ବିଭିନ୍ନ ଜାଗାରେ ମଧ୍ୟ ଛୁରାମାଡ଼ ହୋଇଛି । ସେମାନେ ତଳେ ପଡ଼ିଯିବାରୁ ଶିବରାମ ସେଠାରୁ ଦୌଡ଼ି ପଳାଇଥିଲା ।
ସ୍ଥାନୀୟ କେତେକ ଲୋକ ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚନ୍ଦନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚନ୍ଦନଙ୍କ ଭଉଣୀ ପୂଜା ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ବଡ଼ ବଜାର ଥାନାରେ କେସ୍ ନମ୍ବର ୧୨୨/୨୦୨୧ରେ ମାମଲା ରୁଜୁ ହୋଇଛି । ଏସ୍ଆଇ ପ୍ରଫୁଲ୍ଲ କୁମାର ସାହୁ ହତ୍ୟା ମାମଲାର ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଏଥିରେ ସମ୍ପୃକ୍ତ ଥିବା ପୁଲିସ ସନେ୍ଦହ କରୁଛି । ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଛି ବୋଲି ଆଇଆଇସି ପ୍ରଶାନ୍ତ ଭୂପତି କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.