ବିଶାଖାପାଟଣା ପୁଲିସକୁ ବଡ଼ ସଫଳତା

Get real time updates directly on you device, subscribe now.

କୋରାପୁଟ: ମାଓ ସଙ୍ଗଠନକୁ ଶକ୍ତ ଧକ୍କା । ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ ଆଜି ଯବାନଙ୍କ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି ୬ ମାଓବାଦୀ । ମମ୍ପା ଥାନା ଅଧୀନ ଦେଗଲାମେଟା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ମାଓ କ୍ୟାମ୍ପ ଧ୍ୱଂସ ହୋଇଛି । ଜବତ ହୋଇଛି ଗୋଟିଏ ଏକେ-୪୭, ୨ଟି ନାଇନ୍ ଏମ୍ଏମ୍ କାର୍ବାଇନ୍, ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ୍, ଗୋଟିଏ ତାପାଞ୍ଚା ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ । ନିହତ ମାଓବାଦୀଙ୍କ ମଧ୍ୟରେ ରହିଛନ୍ତି ଡିସିଏମ୍ ର୍ୟାଙ୍କର ୨ ଜଣ । ସେମାନେ ହେଲେ ତେଲେଙ୍ଗାନାର ସାଣ୍ଡେ ଗାଙ୍ଗାୟା ଓରଫ୍ ଡ. ଅଶୋକ ଏବଂ ଓଡ଼ିଶା ମାଲକାନଗିରି ଜିଲ୍ଲା କାଲିମେଳାର ଦେବା ମାଢ଼ି ଓରଫ୍ ଅର୍ଜୁନ ଓରଫ୍ ରଣଦେବ । ସେହିପରି ୩ ମୃତ ମହିଳା ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିଶାଖାପାଟଣାର ଲଳିତା ଓ ଛତିଶଗଡ଼ର ପାଇକେ । ଉଭୟ ଡିଏମ୍ କ୍ୟାଡରର୍ । ଅନ୍ୟ ଜଣେ ମହିଳା ଓ ପୁରୁଷ ମାଓବାଦୀଙ୍କୁ ଚିହ୍ନଟ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବିଶାଖାପାଟଣା ଏସ୍ପି କେ. ରାଓ ସୂଚନା ଦେଇଛନ୍ତି ।
ଦେଗଲାମେଟା ରିଜର୍ଭ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ୍ ଚାଲିଥିବା ସମ୍ପର୍କରେ ଆନ୍ଧ୍ର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ । ଏଥିରେ ସାମିଲ ହୋଇଥିଲେ ଗ୍ରେହାଉଣ୍ଡ୍ ଯବାନ । ଯୋଜନାବଦ୍ଧ ଭାବେ ମାଓବାଦୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ତେବେ ବିଶାଖାପାଟଣା ଜିଲ୍ଲା କୋୟୁର ଗାଁ ନିକଟରେ ମାଓବାଦୀମାନେ ଗ୍ରେହାଉଣ୍ଡ୍ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲେ ଯବାନ । ଦୀର୍ଘ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ଘଟଣାସ୍ଥଳରେ ୩ ଜଣ ମହିଳାଙ୍କ ସମେତ ମୋଟ ୬ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟମାନେ ଯବାନଙ୍କ ଗୁଳିର ସାମ୍ନା କରି ନ ପାରି ଚମ୍ପଟ ମାରିଥିଲେ । ପରେ ପରେ ଯବାନମାନେ ସର୍ଚ୍ଚ ଅପରେସନ କରିବା ବେଳେ ମାଓବାଦୀମାନଙ୍କ ଶବ ଠାବ କରିଥିଲେ । ଗୁଳି ବିନିମୟରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ଆଶଙ୍କା କରି ଗ୍ରେହାଉଣ୍ଡ୍ ପକ୍ଷରୁ ସର୍ଚ୍ଚ ଅପେରସନ୍ ଜାରି ରହିଛି । ସାଧାରଣତଃ ମାଓ ସଙ୍ଗଠନର ଡିସିଏମ୍ ର୍ୟାଙ୍କଧାରୀମାନେ ଏକେ-୪୭ ବନ୍ଧୁକ ବ୍ୟବହାର କରିଥାନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons