ନବରଙ୍ଗପୁର,(ବି.ବି.ନ୍ୟୁଜ୍): ବ୍ୟାଙ୍କରୁ କାଳିଆ ଯୋଜନାରେ ଟଙ୍କା ଉଠାଇଲେ । ମଦ ପିଇ ମାତାଲ ହେଲେ । ରାତିରେ ସ୍ତ୍ରୀ ସହ କଳି କଲେ । ନିଶା ମୁଣ୍ଡକୁ ଚଢ଼ିବା ପରେ ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଦେଲେ । ଏଭଳି ଅମାନବୀୟ ଘଟଣା ଘଟିଛି ଡାବୁଗାଁ ଥାନା ମେଦନା ପଞ୍ଚାୟତର ମାଳିଗୁଡା ଗାଁରେ । ମୃତ ମହିଳାଙ୍କ ନାଁ ପାର ପାଇକ । ଏହି ଘଟଣାରେ ପୁଲିସ୍ ତାଙ୍କ ସ୍ୱାମୀ ଜୟସିଂ ପାଇକ(୪୯)ଙ୍କୁ ଗିରଫ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୟସିଂ ଶନିବାର ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ । ମଦ ପିଇ ରାତି ୮ଟାରେ ଫେରିଥିଲେ ଘରକୁ । ସ୍ତ୍ରୀ ପାରଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲେ । ପରେ ପରେ ଏକ ଠେଙ୍ଗାରେ ପିଟିବା ଆରମ୍ଭ କରି ଦେଇଥିଲେ । ଏହି ସମୟରେ ଜୟସିଂଙ୍କ ଭାଇ ଓ ତାଙ୍କ ପୁଅ ଛଡାଇଥିଲେ । ସେତେବେଳକୁ ଠେଙ୍ଗା ମାଡରେ ଘଟଣାସ୍ଥଳରେ ପାରଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ସରପଞ୍ଚ ଦିବାକର ପୂଜାରୀ ଏବଂ ଗ୍ରାମବାସୀ କହିଛନ୍ତି, ଜୟସିଂ ମଦ ପିଇ ଆଗରୁ ମଧ୍ୟ ସ୍ତ୍ରୀ ପାରଙ୍କୁ ମାରପିଟ କରୁଥିଲେ । ହତ୍ୟାକାଣ୍ଡର ଖବର ପାଇ ପହଞ୍ଚିଥିଲା ଡାବୁଗାଁ ପୁଲିସ । ଶବ ଜବତ କରି ଆଜି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ଏ ସଂପର୍କରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜୟସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଡାବୁଗାଁ ଥାନାଧିକାରୀ ମୁନି ଆଚାରୀ କହିଛନ୍ତି ।
Comments are closed, but trackbacks and pingbacks are open.