ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ବିକଳ୍ପ ମୂଲ୍ୟାୟନ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଡ୍ରାଫ୍ଟ ରିପୋର୍ଟ ଦାଖଲ କରିଥିବା ବେଳେ ବିଭାଗ ପକ୍ଷରୁ ମଧ୍ୟ ଏହାକୁ ସବୁଜ ସଙ୍କେତ ମିଳିଛି । ତେବେ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ଯୁକ୍ତ ଦୁଇ ମୂଲ୍ୟାୟନ ହେବ । ଯୁକ୍ତ ଦୁଇର ରେଗୁଲାର୍ ପିଲାଙ୍କୁ ଥିଓରୀ ପେପର୍ରେ ମାଟ୍ରିକ୍ ମାର୍କ ଆଧାରରେ ନମ୍ବର ଦିଆଯିବ । ଯେଉଁ ବିଷୟ ସମ୍ପୂର୍ଣ୍ଣ ଭାବେ ଥିଓରୀ, ସେଥିରେ ଦଶମର ସେହି ବିଷୟ ଅନୁସାରେ ମାର୍କ ଦିଆଯିବ । ଯେଉଁଥିରେ ପ୍ରାକ୍ଟିକାଲ୍ ରହିଛି, ସେହି ବିଷୟରେ ଥିଓରୀ ୭୦ ମାର୍କ ଦଶମ ଅନୁସାରେ ଓ ସେହି ପିଲାଙ୍କୁ ପ୍ରାକ୍ଟିକାଲ୍ ମାର୍କ କଲେଜ ସ୍ତରରେ ପ୍ରଦାନ କରାଯିବ । ଏ ନେଇ ପରିଷଦ ପକ୍ଷରୁ ବିଷୟ ଅନୁସାରେ ତାଲିକା ପ୍ରସ୍ତୁତ କରାଯାଇଛି । ମାତ୍ର ଏrରେଗୁଲାର ପରୀକ୍ଷାର୍ଥୀଙ୍କୁ ନମ୍ବର ଗତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାରେ ଭଲ କରିଥିବା ବିଷୟଗୁଡିକର ହାର ଅନୁସାରେ ତର୍ଜମା କରି ଦିଆଯିବ । ତେବେ ସମସ୍ତ ପ୍ରକ୍ରିୟା ସରିବା ପରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।
ଅପରପକ୍ଷେ, ସିଏଚଏସଇ ପକ୍ଷରୁ ଦିଆଯାଇଥିବା ମାର୍କରେ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହେଲେ ସେମାନଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ । କରୋନା ସ୍ଥିତି ସୁଧୁରିବା ପରେ ମାର୍କରେ ଅସନ୍ତୁଷ୍ଟ ପିଲାଙ୍କର ପରୀକ୍ଷା ହେବ । ତେବେ ବିଶେଷଜ୍ଞ କମିଟିର ମାର୍କିଂ ପଦ୍ଧତି ସିଏଚଏସଇର ୱେବସାଇଟ୍ରେ ଅପଲୋଡ୍ କରାଯିବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି । ଉଲ୍ଲେଯୋଗ୍ୟ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ସମୟରେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଥିଲେ । ପରେ ବିକଳ୍ପ ପଦ୍ଧତ୍ତିରେ ମୂଲ୍ୟାୟନ କରିବା ନେଇ ଏକ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ବିଶେଷଜ୍ଞ କମିଟିର ମତାମତକୁ ଆଧାର କରି ମୂଲ୍ୟାୟନ ବ୍ୟବସ୍ଥା ସ୍ଥିର କରାଯାଇଛି ।
ଏ ସମ୍ପର୍କରେ ବରିÂ ଶିକ୍ଷାବିତ୍ ପ୍ରତିଶ୍ ଆଚାର୍ଯ୍ୟ କହିଛନ୍ତି ଯେ, ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ସିଏଚ୍ଏସ୍ଇ ପକ୍ଷରୁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଯୁକ୍ତିଯୁକ୍ତ ନୁହେଁ । କାରଣ ଦଶମରେ ପିଲା ଯେମିତି ଭାବରେ ପଢ଼ନ୍ତି ଦ୍ୱାଦଶ ବେଳକୁ ସେମାନେ ଆହୁରି ଅଧିକ ଗୁରୁତର ସହ ପଢ଼ନ୍ତି । ନିଜ ଇଚ୍ଛା ମୁତାବକ ବିଷୟ ନେଇ ଦ୍ୱାଦଶରେ ସେମାନେ ଭଲ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଦଶମ ମାର୍କକୁ ଦେଖି ଦ୍ୱାଦଶ ମାର୍କ ଦେଲେ ବହୁ ମେଧାବୀ ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେନି । ଅନ୍ୟପକ୍ଷରେ ଯେଉଁ ପିଲାଙ୍କ ଫେଲ୍ ହେବାର ଭୟ ଥିଲା ସେମାନେ ଏହି ବିକଳ୍ପ ବ୍ୟବସ୍ଥାରେ ପାସ୍ ହୋଇପାରିବେ ।
ସେହିପରି ୪୮୮ ବର୍ଗ କଲେଜ ସଭାପତି ପବିତ୍ର ମହଲା କହିଛନ୍ତି ଯେ, ଯୁକ୍ତ ଦୁଇ ପିଲାଙ୍କ ମୂଲ୍ୟାୟନ ପାଇଁ ଦଶମ ମାର୍କ ଦେଖି ମାର୍କ ଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ । ଏକାଦଶରେ ପରୀକ୍ଷା ହୋଇନାହିଁ କି ଦ୍ୱାଦଶରେ ପରୀକ୍ଷା ହୋଇନାହିଁ । ତେଣୁ ଏହା ହିଁ ବିକଳ୍ପ ବ୍ୟବସ୍ଥା । ବହୁ ଛାତ୍ରଛାତ୍ରୀ ଏହାଦ୍ୱାରା ସନ୍ତୁଷ୍ଟ ହେବେ ଆଉ ଅନେକ ସନ୍ତୁଷ୍ଟ ହେବେନି । ତଥାପି ସମସ୍ତଙ୍କୁ ଏହାକୁ ଗ୍ରହଣ କରିବାକୁ ହେବ ।
ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ପ୍ରୀତମ୍ ପଟ୍ଟନାୟକ କହିଛନ୍ତି ଯେ, ମୂଲ୍ୟାୟନ ବିଶେଷଜ୍ଞ କମିଟିଙ୍କ ସୁପାରିସ ସ୍ୱାଗତଯୋଗ୍ୟ । କରୋନା ଭଳି ମହାମାରୀ ପରିସ୍ଥିତିରେ ଆଉ କୌଣସି ରାସ୍ତା ନଥିଲା । ତଥାପି ମାର୍କ ମିଳିବା ପରେ ଜଣେ ଚାହିଁଲେ ଅଧିକ ମାର୍କ ରଖିବା ପାଇଁ ଆଉ ଥରେ ପରୀକ୍ଷା ଦେଇପାରିବ । ଛାତ୍ରୀ ମନୀଷା ପାତ୍ର କହିଛନ୍ତି ଯେ, ସିବିଏସଇ ଭଳି ଆମର ପ୍ରତି ବର୍ଷ ମାର୍କ ରହିବା ବ୍ୟବସ୍ଥା ହେବା ଉଚିତ୍ । ନଚେତ୍ ଦଶମ ତୁଳନାରେ ଦ୍ୱାଦଶ ବେଳକୁ ଉନ୍ନତି କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ ହେବ । ଆଗାମୀ ଦିନ ପାଇଁ ଉଭୟ ସରକାର ଓ ପରିଷଦ ପ୍ରସ୍ତୁତ ହେବା ଉଚିତ୍ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.