ଉଦଳା,(ବି.ବି.ନ୍ୟୁଜ୍): ଶନିବାର ବିଳମ୍ବିତ ରାତିରେ ଉଦଳା ଡାକ୍ତରଖାନାରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି ୩ ଜଣ ନିଶାଗ୍ରସ୍ତ ଯୁବକ । ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ଆସିଥିଲେ । ହେଲେ ଡାକ୍ତରଙ୍କୁ ପିଟିବା ସହିତ ଡାକ୍ତରଖାନାର ଆସବାବପତ୍ର ଭାଙ୍ଗି ଏହାକୁ ରଣକ୍ଷେତ୍ରରେ ପରିଣତ କରିଦେଲେ । ତିନି ମଦ୍ୟପଙ୍କ ଆକ୍ରମଣରୁ ଦୁଇଜଣ ସିକ୍ୟୁରିଟି ଗାର୍ଡ ମଧ୍ୟ ବାଦ୍ ପଡ଼ିଲେନି । ଶେଷର ପୁଲିସ ପହଞ୍ôଚ ସେମାନଙ୍କୁ କାବୁ କଲା । ଏବେ ଆକ୍ରମଣକାରୀମାନେ ଜେଲ୍ରେ । ଅନ୍ୟପକ୍ଷରେ ଗତରାତି ଘଟଣାର ପ୍ରତିବାଦରେ ତଥା ସୁରକ୍ଷା ଦାବିରେ ଆଜି ସକାଳେ ଡାକ୍ତର,କର୍ମଚାରୀମାନେ ଧାରଣାରେ ବସିବାରୁ ଡାକ୍ତରଖାନାରେ ଦୀର୍ଘ ୫ଘଣ୍ଟା ଧରି ରୋଗୀ ସେବା ବ୍ୟାହତ ହୋଇଛି । ଶେଷରେ ପ୍ରଶାସନିକ ଅଧିକାରୀ ତଥା ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଡାକ୍ତରଖାନା ପରିସରରେ ସ୍ୱାଭାବିକ ଅବସ୍ଥା ଫେରିଛି ।
ସବିଶେଷ ଘଟଣା ମୁତାବକ ତିନି ଜଣ ଯୁବକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାକୁ ଗତକାଲି ବିଳମ୍ବିତ ରାତିରେ ଆସିଥିଲେ । ଏହି ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ । ସେମାନେ ହେଲେ ସ୍ଥାନୀୟ ଏନଏସି ୱାର୍ଡ ନଂ ୨ ର ଚନ୍ଦନ କୁମାର ମୁଖୀ(୨୫), ୱାର୍ଡ ନଂ ୩ ର ସୁରେଶ ନାଏକ (୨୧) ଏବଂ ଏନଏସି ୨ ନଂ ୱାର୍ଡର ଅଶୋକ କୁମାର ନାଏକଙ୍କ ପୁଅ ଦୀପକ ନାଏକ(୧୫) । ତିନିଜଣ ଯାକ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ । ଡ୍ୟୁଟିରେ ଥିବା ଡାକ୍ତର ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦେଖୁଥିବାବେଳେ ହଠାତ୍ ଉତକ୍ଷିପ୍ତ ହୋଇ ଉଠିଥିଲେ ତିନି ଯୁବକ । ଏବଂ ଡାକ୍ତରଖାନାରେ ଆରମ୍ଭ କରିଥିଲେ ଭଙ୍ଗାରୁଜା । କେବଳ ସେତିକି ନୁହେଁ, ଆଉଟଡୋର ଡ୍ୟୁଟିରେ ଥିବା ଡାକ୍ତର ବିଜୟ କେତନ ଦାସଙ୍କୁ ମାଡ଼ ମାରିବା ସହିତ ଆଉଟଡୋରରେ ଥିବା ଚେୟାର ଟେବୁଲ ସହିତ ଅନ୍ୟାନ୍ୟ ଆସବାବପତ୍ର ଫିଙ୍ଗାପୋଫଡ଼ା କରି ଭଙ୍ଗାରୁଜା କରିଥିଲେ । ଏପରିକି ଆଉଟଡୋରର କାଚ କବାଟକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ । ଏହି ସମୟରେ ଡାକ୍ତରଖାନାରେ ଡ୍ୟୁଟିରେ ଥିବା ଦୁଇ ସିକ୍ୟୁରିଟି ଗାର୍ଡ ତିନି ଜଣଙ୍କୁ ଅଟକାଇବାକୁ ଆସିଥିବାବେଳେ ସେହି ଦୁଇଜଣଙ୍କୁ ମଧ୍ୟ ଯୁବକମାନେ ମାଡ଼ ମାରି ଗୁରୁତର କରିଥିଲେ ।
ଡାକ୍ତରଖାନାରେ ଏଭଳି ଲଙ୍କାକାଣ୍ଡ ଘଟିବା ଖବର ପାଇ ଉଦଳା ପୁଲିସ ଡାକ୍ତରଖାନାରେ ପହଞ୍ôଚ ତିନି ଉତ୍ପାତକାରୀଙ୍କୁ କାବୁ କରିବା ସହିତ ଥାନାକୁ ଆଣି ଅଟକ ରଖିଥିଲା । ଏହି ଘଟଣାକୁ କଡ଼ା ବିରୋଧ କରିଛନ୍ତି ଡାକ୍ତର ଏବଂ କର୍ମଚାରୀ । ବାରମ୍ବାର ଉଦଳା ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଉଥିବା ଏବଂ ବିଭିନ୍ନ ସମୟରେ ଡାକ୍ତରଖାନାରେ ସ୍ଥାନୀୟ ମଦ୍ୟପ ଯୁବକମାନେ ହୋ ହାଲ୍ଲା କରୁଥିବାର ଦର୍ଶାଇ ସେମାନଙ୍କ ସୁରକ୍ଷା ଦାବିରେ ରବିବାର ସକାଳେ ଡାକ୍ତର,କର୍ମଚାରୀମାନେ ଏକାଠି ହୋଇଥ୍ରିଲେ । ସେମାନେ ଆଉଟଡୋର ସମ୍ମୁଖରେ ଧାରଣାରେ ବସିଥିଲେ । ଏହାସହିତ ଡାକ୍ତରଖାନା ପରିସରରେ ପୁଲିସ ଆଉଟ ପୋଷ୍ଟ ସ୍ଥାପନ ସହିତ ସୁରକ୍ଷା ନିମନ୍ତେ ପୁଲିସ୍ ବ୍ୟବସ୍ଥା କରାଯିବା ଜିଦ୍ରେ ଅଡ଼ିି ବସିଥିଲେ ଧାରଣାରତ ଡାକ୍ତର ଏବଂ କର୍ମଚାରୀ । ଏହି ଧାରଣା ଫଳରେ ଡାକ୍ତରଖାନାରେ ରୋଗୀ ସେବା ଠପ୍ ପଡ଼ିଯାଇଥିଲା । ଦୀର୍ଘ ୫ ଘଣ୍ଟା ଧରି ଡାକ୍ତରଖାନାରେ ରୋଗୀ ସେବା ବନ୍ଦ ରହିବାରୁ ରୋଗୀ ଏବଂ ସଂପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ଜାରି ରଖାଯାଇଥିଲା ।
ଅନ୍ୟପକ୍ଷରେ ଡାକ୍ତରଖାନା ଭଳି ଜରୁରି ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ କାର୍ଯ୍ୟ ବନ୍ଦ ଖବର ପାଇ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା । ଉଦଳା ବିଧାୟକ ଭାସ୍କର ମଢେଇ, ଉପଜିଲ୍ଲାପାଳ ଭଗବାନ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଶିବାନନ୍ଦ ମହାନ୍ତି ପ୍ରମୁଖ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଡାକ୍ତରଖାନା ପରିସରରେ ଆଉଟପୋଷ୍ଟ ସ୍ଥାପନ ସହିତ ପୁଲିସ ମୁତୟନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରିଥିଲେ । ଏଥିସହିତ ଡାକ୍ତରଖାନାରେ ରୋଗୀ ସେବା ସ୍ୱାଭାବିକ ହୋଇଥିଲା ।
ଡାକ୍ତରଖାନାରେ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ଡା. ବିଜୟ କେତନ ଦାସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଆଧାର କରି ପୁଲିସ କେସ୍ ନଂ – ୮୬/୧୯ ରେ ଏକ ମାମଲା ରୁଜୁ କରିଛି । ଅଟକଥିବା ତିନି ଆକ୍ରମଣକାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଘଟଣାର ପରବର୍ତ୍ତୀ ତଦନ୍ତ ମଧ୍ୟ ଜାରି ରହିଛି ।
Comments are closed, but trackbacks and pingbacks are open.