୧୬ ଲକ୍ଷର ବ୍ରାଉନ ସୁଗର ଜବତ: ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

କଟକ: ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ରାଉନ ସୁଗର୍ କାରବାର ବୃଦ୍ଧି ପାଇଛି । ନିଶା ମାଫିଆମାନେ ପୁଲିସ୍ ଏବଂ ଅବକାରୀ ବାବୁମାନଙ୍କୁ ଚକ୍ମା ଦେଇ ସହରଠୁ ଗାଁ ଯାଏ ସବୁଠି ମନଇଛା ବ୍ରାଉନ ସୁଗର କାରବାର ଚଳାଇଛନ୍ତି । ଏମିତି କଟକ ସହର ଉପକଣ୍ଠ ବାଙ୍କୀ ଅଞ୍ଚଳରେ ବ୍ରାଉନ ସୁଗର କାରବାର କରୁଥିôବା ଜଣେ ଯୁବକକୁ ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ବାଙ୍କୀ ପୋଡ଼ାଡିହ ଅଞ୍ଚଳର ସୁରେଶ ମହାପାତ୍ର(୩୧) । ଅଭିଯୁକ୍ତଠାରୁ ସ୍କ୍ୱାଡ୍ ୧୬୪ ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । ଜବତ ହେଇଥିବା ବ୍ରାଉନ ସୁଗରର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ଅବକାରୀ ଗୁଇନ୍ଦା ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ସୁରେଶ କିଛି ବର୍ଷ ହେଲା ଖୋର୍ଦ୍ଧା ଅଞ୍ଚଳର କୁଖ୍ୟାତ ବ୍ରାଉନ ସୁଗର ମାଫିଆ ଛୋଟା ଓରଫ ମହେଶ୍ୱର ପରିଡ଼ା ଲିଙ୍କ୍ରେ ରହି ବ୍ରାଉନ ସୁଗର କାରବାର ଚଳାଇ ଆସୁଥିଲା । ଛୋଟା ଗିରଫ ହେଇ ଏବେ ଜେଲ୍ରେ ରହିଥିଲେ ହେଁ ତା ଲିଙ୍କ୍ରେ ଥିବା ଅନ୍ୟ ନିଶା ମାଫିଆମାନଙ୍କ ସହ ମିଶି ସୁରେଶ ଖୋର୍ଦ୍ଧାରୁ ବ୍ରାଉନ ସୁଗର ଆଣି ବାଙ୍କୀ, ଆଠଗଡ଼, ନରାଜ, ବାରଙ୍ଗ ଆଦି ଗ୍ରାମାଞ୍ଚଳରେ କାରବାର ଚଳାଇ ଆସୁଥିଲା । ଅଭିଯୁକ୍ତର ବ୍ରାଉନ ସୁଗର କାରବାର ସମ୍ପର୍କରେ ଭିତିରି ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଆଜି ତାକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ଗୁଇନ୍ଦା ନିରୀକ୍ଷକ ଜଗଦୀଶ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ସୁରେଶକୁ ପିଛାକରି କାବୁ କରିନେବା ସହ ତାଠାରୁ ବ୍ରାଉନ ସୁଗର ଜବତ କରିଥିଲେ । ଉକ୍ତ ଚଢ଼ଉରେ ଏଏସ୍ଆଇ ନିରଞ୍ଜନ ବେହେରା, କିଶୋର ରାଉତ ପ୍ରମୁଖ କର୍ମଚାରୀ ସାମିଲ୍ ଥିଲେ । ଗିରଫ ହୋଇଥିବା ସୁରେଶ ସହ ଆଉ କିଛି ଅଭିୁଯୁକ୍ତ ମଧ୍ୟ ବ୍ରାଉନ ସୁଗର କାରବାର ଲିଙ୍କ୍ରେ ସକ୍ରିୟ ଥିବା ଜଣାପଡିଛି ।
ତେବେ ଜିଲ୍ଲା ଅବକାରୀ ବିଭାଗ ହେଉ ଅବା ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଏବଂ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ବିଭିନ୍ନ ସମୟରେ ବ୍ରାଉନ ସୁଗର ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରୁଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ନିକଟର ପହଞ୍ଚିପାରୁନାହାନ୍ତି । ଅଧିକାରୀମାନେ ଖୁଚୁରା ବେପାରୀଙ୍କୁ ଧରି ନିଜର ବାହାବାହା ଏବଂ ଆତ୍ମ ପ୍ରଚାର କରୁଥିବା ନିଶାମୁକ୍ତି ଅଭିଯାନର କର୍ମୀମାନେ ଅଭିଯୋଗ କରିଛନ୍ତି । ବ୍ରାଉନ ସୁଗର ଏବଂ ଗଞ୍ଜେଇ ଆଦି ନିଶା କାରବାର ଅଭିଯୋଗରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କ ସହ ମାଷ୍ଟର ମାଇଣ୍ଡଙ୍କୁ ଧରିପାରିଲେ ହିଁ ନିଶା ଚାଲଣ ଉପରେ ରୋକ୍ ଲଗାଯାଇପାରିବ ବୋଲି ନିଶାମୁକ୍ତି ଅଭିଯାନର କର୍ମୀମାନେ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons