ଜୟପୁର: ଦୀର୍ଘଦିନ ଧରି ସହରରେ ଚୋରି, ଡକାୟତି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଧାଫାସ୍ କରିଛି ଜୟପୁର ପୁଲିସ । ଉଭୟ ସଦର ଏବଂ ଟାଉନ ପୁଲିସ ମିଳିତ ଭାବେ ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ୧୬ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ୯ ଜଣ ନାବାଳକ । ଅଭିଯୁକ୍ତମାନଙ୍କ ପାଖରୁ ପ୍ରାୟ ୯ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ସେ ଭିତରେ ରହିଛି ସୁନା ଅଳଙ୍କାର, ଗୋଟିଏ ଟିଭି, ୩୮ ହଜାର ଟଙ୍କା, ୨୯ଟି ମୋବାଇଲ୍, ୨ଟି ଲ୍ୟାପଟପ୍, ଗୋଟିଏ ମୋପେଡ୍, ପ୍ରାୟ ୬ରୁ ୭ ଲକ୍ଷ ଟଙ୍କାର ଲୁଗା ଏବଂ ଦୋକାନ ସମାଗ୍ରୀ । ସଦର ପୁଲିସ ଗିରଫ କରିଥିବା ୧୦ ଅଭିଯୁକ୍ତ ହେଲେ ସ୍ଥାନୀୟ ଇରିଗେସନ୍ କଲୋନିର ରମେଶ ଖରା(୧୯), ଯମୁନାଗୁଡ଼ାର ଶଙ୍କର ଖରା(୧୯) ଓରଫ ଖଡ଼ା, କୋରାପୁଟ ସଦର ଥାନା ଅନ୍ତର୍ଗତ ମୁଜାଙ୍ଗ(ବର୍ତ୍ତମାନ ଜୟପୁରର କୁନ୍ଦାରୀଗୁଡ଼ା ବାସିନ୍ଦା) କର୍ଣ୍ଣ ମୁଦୁଲି(୧୯), ପାରାବେଡ଼ା ଏଲ୍ଆଇସି କଲୋନିର ସୂର୍ଯ୍ୟ ବିଶୋୟୀ(୪୨), ଡଙ୍ଗାଗୁଡ଼ାର ରାହୁଲ ମାଛ(୨୧) ଏବଂ ଅନ୍ୟ ୫ ନାବାଳକ । ସେହିପରି ଟାଉନ ପୁଲିସ ଗିରଫ କରିଥିବା ୬ ଅଭିଯୁକ୍ତ ହେଲେ ଏମ୍ଜି ରୋଡ୍ ଦୈନିକ ବଜାର ଅଞ୍ଚଳର ଜି. ଉତେଜା(୨୦), ନୂଆସାହି ପଞ୍ଚମ ଲେନ୍ର ଟି. ମଣିକଣ୍ଠ(୨୧) ଏବଂ ଅନ୍ୟ ୪ ଜଣ ନାବାଳକ । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ସ୍ଥାନୀୟ ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଛନ୍ତି, ଉପରୋକ୍ତ ଗ୍ୟାଙ୍ଗର ସଦସ୍ୟମାନେ ସହର ଏବଂ ସଦର ଅଞ୍ଚଳରେ ବିଭିନ୍ନ ସମୟରେ ଚୋରି, ଲୁଟ୍, ଡକାୟତି ଭଳି କାମରେ ସମ୍ପୃକ୍ତ ରହୁଥିଲେ । ଗତ ୨୧ ତାରିଖ ରାତିରେ ସଦର ଥାନା ତେଲିଗୁଡ଼ାର ଦେବାଶିଷ ଭଞ୍ଜଦେଓଙ୍କ ଦୋକାନ ତାଲା ଭାଙ୍ଗି ଦଳର କେତେଜଣ ନଗଦ ୧୨ ହଜାର ଟଙ୍କା, ୧୦ଟି ନୂଆ, ୧୫ଟି ପୁରୁଣା ମୋବାଇଲ୍ ଫୋନ୍ ଏବଂ ପ୍ରାୟ ୮ ଲକ୍ଷ ଟଙ୍କାର ରେସନ ସାମଗ୍ରୀ ଚୋରାଇ ନେଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଡଗ୍ ସ୍କ୍ୱାଡ୍, ସିସିଟିଭି ଫୁଟେଜ ଏବଂ ଅଧିକାରୀଙ୍କ ତଦନ୍ତରୁ ୧୦ ଜଣ ଏହି ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି । ଅଭିଯୁକ୍ତମାନଙ୍କ ନାଁରେ ସଦର ଥାନାରେ ୩, ଟାଉନ ଥାନାରେ ଗୋଟିଏ ଏବଂ ସୁନାବେଡ଼ା ଥାନାରେ ଏଭଳି ୫ଟି ମାମଲା ରହିଛି । ଦୋକାନ ଚୋରି ମାମଲାର ତଦନ୍ତକାରୀ ଅଧିକାରୀ ସଦର ଓଆଇସି ଆଦିତ୍ୟ ମହାକୁଡ଼ ଅଛନ୍ତି । ଅନ୍ୟ ୨ଟି ମଧ୍ୟ ଚୋରି ମାମଲା । ଉମୁରୀର ଜଣେ ବ୍ୟକ୍ତିଙ୍କ ଘରୁ ଏକ ଲ୍ୟାପଟପ୍ ଚୋରି ହୋଇଥିବା ନେଇ ଗତ ମାସ ୨୩ ତାରିଖରେ ଅଭିଯୋଗ ହୋଇଥିଲା । ଉମୁରୀ ପଞ୍ଚାୟତ ବାଳିକା ସେବାଶ୍ରମ ପରିସରରୁ ଏକ ୩୨ ଇଞ୍ଚର ଟିଭି ଚୋରି ସମ୍ପର୍କରେ ସ୍କୁଲର ଜଣେ ଶିକ୍ଷକ ଅଭିଯୋଗ କରିଥିଲେ ।
ଟାଉନ ପୁଲିସ ୩ଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ଗତ ୨୩ ତାରିଖରେ ପୁରୁଣା ମାଛ ମାର୍କେଟ୍ ଅଞ୍ଚଳର ଜଣେ ଯୁବତୀଙ୍କୁ ପେପର୍(ଗୋଲମରିଚ) ଗୁଣ୍ଡ ଲିକୁ୍ୟଡ୍ ସ୍ପେ୍ର କରି ସୁନା ଚେନ୍ ଲୁଟି ନେଇଥିଲେ । ଏଥିରେ ସାମିଲ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ । ସେମାନଙ୍କ ପାଖରୁ ସୁନାଚେନ୍, ମାସ୍କ, ବିଭିନ୍ନ କିସମର ଖଣ୍ଡା, ଚାକୁ, ଲୁହା ଚେନ୍, ପେପର୍ ସ୍ପେ୍ର ଇତ୍ୟାଦି ଜବତ କରାଯାଇଛି । ଗତ ମେ’ ୨୪ରେ ପ୍ରଥମ ଦୈନିକ ବଜାରରେ ଥିବା ଏକ ଶୁଖୁଆ ଦୋକାନରୁ ୨ ଲକ୍ଷ ଟଙ୍କା ଏବଂ କାନଫୁଲ ଚୋରି ହୋଇଥିବା ନେଇ କଣ୍ଡରାସାହିର ପାର୍ବତୀ ବେହେରା ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ସହରର ଜଣେ ୧୫ ବର୍ଷୀୟ ନାବାଳକ ଧରା ପଡ଼ିଛି । ଗତବର୍ଷ ଅକ୍ଟୋବର ୧୫ରେ ସତୀଗୁଡ଼ା ଡ୍ୟାମ ଛକରେ ଡକାୟତି ଯୋଜନା ମାମଲାରେ ୨ ଜଣ ନାବାଳକ ଧରା ପଡ଼ିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଥାନା ଓଆଇସି ଶ୍ରୀ ମହାକୁଡ଼, ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଏସ୍ଆଇ ବିଷ୍ଣୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ସତ୍ୟ ନାରାୟଣଙ୍କ ଠାରୁ
Comments are closed, but trackbacks and pingbacks are open.