ବାଲେଶ୍ୱର: ବାଲେଶ୍ୱରର ଆର୍ଟ ଆଣ୍ଡ କ୍ରାପ୍ଟ କଲେଜରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ସଦର ଥାନା ପୁଲିସ୍ ଶନିବାର ଅଧ୍ୟାପକ ଶଖାଙ୍କ ଶେଖର ଦାସଙ୍କୁ ଗିରଫ କରିଛି । ଅନ୍ୟପଟେ ଗିରଫ ଅଧ୍ୟାପକଙ୍କ ସମର୍ଥକମାନେ ପୀଡ଼ିତା ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାପ୍ଟ କଲେଜରେ ଦୀର୍ଘ ଦିନ ହେଲା ବିଭିନ୍ନ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିଲା । ଜଣେ ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକ ଶଶାଙ୍କ ଶେଖର ଦାସ ନାମକ ଜଣେ ଅଧ୍ୟାପକ ଅସଦାଚାରଣ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏନେଇ ‘ପ୍ରମେୟ’ରେ ଖବର ପ୍ରକାଶ ପରେ ପୀଡ଼ିତାଙ୍କ ବାପା ସଦର ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ଅଧ୍ୟାପକ ଶ୍ରୀ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅନ୍ୟପଟେ ଏହି ସବୁ ଘଟଣାକୁ ଚପାଇ ଦେବା ପାଇଁ ଜୋରସୋର୍ ଉଦ୍ୟମ ଚାଲିଛି । ଏହାକୁ ଭିନ୍ନ ମୋଡ଼ ଦେବା ପାଇଁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଉଭୟ ପୁଲିସ୍, ପୀଡ଼ିତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଉଛନ୍ତି । ଯେଉଁମାନେ ଏହିଭଳି ସଙ୍ଗୀନ ଅଭିଯୋଗକୁ ଫର୍ଦ୍ଧାଫାସ୍ କରିଛନ୍ତି, ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ପ୍ରବର୍ତ୍ତାଉଛନ୍ତି ।
ଅପର ପକ୍ଷରେ ଏହି ଘଟଣାକୁ ନେଇ ସହର ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାପ୍ଟ କଲେଜ ବାଲେଶ୍ୱରବାସୀଙ୍କ ସମ୍ମାନର ପ୍ରତୀକ ହୋଇଥିବାରୁ ଏହାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ସେମାନେ ଦାବି କରିଛନ୍ତି । ଏସବୁ ଅଭିଯୋଗର ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କରିବା ସହ କଲେଜ ପରିଚାଳନା ଦାୟିତ୍ୱ ଉପଯୁକ୍ତ ବ୍ୟକ୍ତିଙ୍କୁ କିମ୍ବା ନିଜ ହାତକୁ ନେବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.