କୁନ୍ଦୁରା: ସ୍ୱାମୀର କୋଡ୍କି ଚୋଟରେ ସ୍ତ୍ରୀର ମୃତୁ୍ୟ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁନ୍ଦୁରା ଥାନା ବାଣୁଆଗୁଡା ପଞ୍ଚାୟତ ଡୁରୁକାଗୁଡା ଗାଁରେ । ମୃତା ହେଲେ ଯମୁନା ହରିଜନ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ବନମାଳୀ ହରିଜନ ଫେରାର୍ ହୋଇଯାଇଛି । ଖବରପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ହତ୍ୟା ଘଟଣାର ଯାଞ୍ଚ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି । ଅନ୍ୟପକ୍ଷେ ମା’ର ମୃତୁ୍ୟ ପରେ ୩ ପୁଅ ଝିଅ ଅନାଥ ହୋଇଯାଇଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ, ଆଜି ସକାଳେ ବନମାଳୀ କୌଣସି କାରଣରୁ ରାଗ ତମତମ ହୋଇ ଘରକୁ ଯାଇ ସ୍ତ୍ରୀକୁ ଖୋଜିଥିଲା । ସେତେବେଳେ ଯମୁନା ଗାଁ ଭିତରେ ଥିଲେ । ବନମାଳୀ ସ୍ତ୍ରୀକୁ ଗାଁ ଭିତରୁ ଘୋଷାଡ଼ି ଆଣି ଘର ଭିତରେ କବାଟ କିଳି ଦେଇଥିଲା । ପରେ ଏକ କୋଡ୍କି ସାହାଯ୍ୟରେ ବାରମ୍ବାର ହାଣି ଥିଲା । ରାକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ପଡ଼ିଯିବା ଦେଖି ଏକ ରେଜେଇ ଘୋଡେ଼ଇ ଦେଇ ପାଖରେ ଥିବା ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ବନମାଳୀର ଝିଅ ମୁକ୍ତା(୭) ଏସବୁ ଦେଖି ସାହି ଭିତରେ ରହୁଥିବା ବଡ଼ବାପା ଦାଶରଥୀ ହରିଜନ ଓ ଅନ୍ୟ ସାହିବାସିନ୍ଦାଙ୍କୁ ଡାକି ଆଣିଥିଲା । ସମସ୍ତେ ଆସିବା ବେଳକୁ ବନମାଳୀ କେଉଁଆଡେ଼ ଫେରାର୍ ହୋଇଯାଇଥିଲା । ସ୍ଥାନୀୟ ସରପଞ୍ଚ ଗୁପ୍ତ ନାୟକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ସେ କୁନ୍ଦୁରା ଥାନାକୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ଅଶ୍ୱିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ଆଇ ଶିବ ରଣବିଦାଙ୍କ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ଏସ୍ପି ସୂଚନା ପାଇବା ପରେ ସଙ୍ଗେସଙ୍ଗେ ଏକ ସାଇଣ୍ଟିଫିକ୍ ଟିମ୍କୁ ଅଧିକ ତଦନ୍ତ ପାଇଁ ପଠାଇଥିଲେ । ପୁଲିସ କୁନ୍ଦୁରା ନିକଟ ବାଲାଗୁଡ଼ା, ଗୋରାହାଣ୍ଡି, ଦିଶାରୀଗୁଡ଼ା, ବାରିଆଗୁଡ଼ା ଓ ଝଡ଼ଙ୍ଗା ଆଦି ଗାଁକୁ ଯାଇ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଥିଲା । ତେବେ ନିଜ ସ୍ତ୍ରୀକୁ ବନମାଳୀ କାହିଁକି ହତ୍ୟା କଲା ସେନେଇ କୌଣସି ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ପୁଲିସ ପାଇପାରିନି । ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରଯାଇ ତଦନ୍ତ ଚାଲିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି ।
କୁନ୍ଦୁରାରୁ ଦେବଦତ ପାଣିଙ୍କ ସହ କୋରାପୁଟରୁ ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ
Comments are closed, but trackbacks and pingbacks are open.