ବଡ଼ବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ା ବାଂଶପାଣି ରେଳ ଷ୍ଟେସନ ପ୍ଲାଟଫର୍ମରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ବାଂଶପାଣି ରେଳ ଷ୍ଟେସନ ପ୍ଲାଟଫର୍ମର ଏକ ଵେଞ୍ଚ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତି ପଡିରହିଥିଲା। ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ଜଣେ ଆରପିଏଫ୍ ଯବାନଙ୍କର ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଷ୍ଟି ପଡିଥିଲା। ଏନେଇ ସେ ଷ୍ଟେସନ ମ୍ୟାନେଜରଙ୍କୁ ଅବଗତ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିବା କାରଣରୁ ତାଙ୍କର ଏଭଳି ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ଏହି ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ଘଟିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି।
ରିପୋର୍ଟ ଦେବବ୍ରତ ପାତ୍ରଙ୍କଠାରୁ
Comments are closed, but trackbacks and pingbacks are open.