ପାତ୍ରପୁର: ଭଣଜାର ମୃତଦେହ ଦେଖି ଟଳିପଡ଼ିଲା ମାମୁ । ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଶନିବାର ଘଟିଛି ଆନ୍ଧ୍ର ପ୍ରଦେଶ ରାଜମେନ୍ଦ୍ରୀ ସ୍ଥିତ ଏକ କନଷ୍ଟ୍ରକସନ କମ୍ପାନୀରେ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର କନିରିଡା ଓ ଷୋଳଭାଗପେଣ୍ଠ ଗ୍ରାମରେ ପୃଥକ ଭାବେ ଜଳିଛି ମାମୁ, ଭଣଜାଙ୍କ ଚିତା । ଏହି ଘଟଣା ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଛି ।
କନ୍ଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ କନିରିଡ଼ା ଗ୍ରାମର ନୀଳାଞ୍ଚଳ ନାଇକଙ୍କ ବଡ଼ପୁଅ ଲବ (୧୯) । ଶୁକ୍ରବାର କାମ କରୁଥିବା ବେଳେ ମେସିନରେ ଲାଗିଥିବା ବାଲିକୁ ଗୋଡ଼ ମାରି ସଜେଇବା ବେଳେ ମେସିନ ଭିତରେ ଲବ ପଶି ଯାଇଥିଲା । ଘଟଣାସ୍ଥଳରେ ତାର ମୃତୁ୍ୟ ହୋଇଥିଲା । ସେହି କମ୍ପାନୀରେ କାମ କରୁଥିବା ତାର ମାମୁ ପର୍ଶୁରାମ ନାଇକ (୫୧) ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲା । ଭଣଜାର ରକ୍ତ ଜୁଡ଼ୁବୁଡ଼ା ଅବସ୍ଥାରେ ମୃତଦେହ ଦେଖି ସେହି ଠାରେ ହିଁ ଟଳି ପଡ଼ିଥିଲେ । ସେଠାରୁ ତାଙ୍କୁ କମ୍ପାନୀ ପକ୍ଷରୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା ହେଲେ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିବା ଡାକ୍ତର କହିଛନ୍ତି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ କମ୍ପାନୀ ତରଫରୁ ଶନିବାର ସେମାନଙ୍କ ଗ୍ରାମକୁ ପଠାଇ ଦିଆଯାଇଥିଲା । ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି । ମୃତ ପର୍ଶୁରାମ ନିଃସନ୍ତାନ ଥିବା ବେଳେ ନିଜ ଭଣଜାକୁ ପୁଅ ଭଳି ଭଲ ପାଉଥିଲେ । ଉଭୟ ଗରିବ ପରିବାରର ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.