ସମ୍ବଲପୁର: ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ବଚସାକୁ କେନ୍ଦ୍ର କରି କାଠ ଫାଳିଆରେ ପିଟି ପିଟି ଯୁବକଙ୍କୁ ବିଭତ୍ସ ହତ୍ୟା । ରବିବାର ସମ୍ବଲପୁର ସହରର ମାନେଶ୍ୱର ହାଲିପାଲିରେ ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ମୃତକ ହେଲେ ହାଲିପାଲି ଗାଁର ଦୁର୍ଲ୍ଲଭ ବାଗ (୩୫) । ସଦର ଥାନା ପୁଲିସ୍ ମାମଲାର ତଦନ୍ତ କରୁଥିବା ବେଳେ ଖବର ଲେଖାହେବା ଯାଏ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି । ମୃତ ଦୁର୍ଲ୍ଲଭଙ୍କ ଶବ ବୁର୍ଲା ଡାକ୍ତରଖାନାରେ ରହିଛି । ସୋମବାର ଶବର ପଞ୍ଚନାମା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ବ୍ୟବହୃତ କାଠ ଫାଳିଆକୁ ପୁଲିସ୍ ଜବତ କରିଛି । ଅପରପକ୍ଷେ, ସୋମବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ କରିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ପୁଲିସ୍ ହାଲିପାଲିର ମାୟାଧର ବାଗ (୩୫) ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ ସୂଚନାନୁସାରେ, ଦୁର୍ଲ୍ଲଭଙ୍କ ପ୍ରକୃତ ଘର ଯୁଯୁମୁରା ଥାନା ଅଇଁଲାପାଲିରେ । କିଛି ବର୍ଷ ହେବ ଦୁର୍ଲ୍ଲଭ ଆସି ଶ୍ୱଶୁର ଘର ହାଲିପାଲି ନିକଟରେ ରହୁଥିଲେ । କିଛି ଦିନ ତଳେ ତାଙ୍କ ବନ୍ଧୁ ମାୟାଧର କୌଣସି ମାମଲାରେ ଫସିଥିବା ବେଳେ ଦୁର୍ଲ୍ଲଭ ତାଙ୍କୁ ଜାମିନ୍ରେ ମୁକୁଳାଇଥିଲେ । ୨ ଦିନ ତଳେ ଉଭୟ ବନ୍ଧୁ ଏକାସାଙ୍ଗରେ ଗାଁରେ ବୁଲାବୁଲି କରୁଥିବା ବେଳେ ରବିବାର ଦିନ ପ୍ରାୟ ସାଢେ଼ ୧୨ଟା ସମୟରେ ଉଭୟ ରୋଡ୍ ପଡ଼ାରେ ଛିଡ଼ା ହୋଇ ଗପସପ କରୁଥିଲେ । ଏହି ଘଟଣାର କିଛି ସମୟ ପରେ ଦୁର୍ଲ୍ଲଭ ଓ ମାୟାଧର ଉଭୟେ ନିକଟସ୍ଥ ଭାଟିକୁ ଯାଇ ମଦ ପିଇବା ପରେ ଏକାସାଙ୍ଗରେ ଘରକୁ ଫେରିଥିଲେ । ତେବେ ଦିନ ପ୍ରାୟ ୨ଟା ସମୟରେ ମାୟାଧରଙ୍କ ଘର ସମ୍ମୁଖରେ ଉଭୟ ବନ୍ଧୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ବଚସା ଉଗ୍ର ରୂପ ଧାରଣ କରିବା ସହ ଉଭୟ ବନ୍ଧୁଙ୍କ ମଧ୍ୟରେ ହାତାହାତି ଯାଏ ସ୍ଥିତି ଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମାୟାଧର ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ଦୁର୍ଲ୍ଲଭଙ୍କୁ ଆକ୍ରମଣ କରିଥିଲେ । ଦୁର୍ଲ୍ଲଭଙ୍କ ମୁଣ୍ଡରେ ଓ ମୁହଁରେ ଶକ୍ତ ଆଘାତ ଲାଗିଥିଲା । ଏହି ଆକ୍ରମଣ ପରେ ଦୁର୍ଲ୍ଲଭ ଲହୁଲୁହାଣ ହୋଇ ଗାଁ ଦାଣ୍ଡରେ ପଡ଼ି ରହିଥିଲେ । ଖୋଦ୍ ମାୟାଧରଙ୍କ ପରିବାର ଲୋକେ ଓ ଗାଁର ଅନ୍ୟ କିଛି ସଦସ୍ୟ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ । ଏନେଇ ସନ୍ଧ୍ୟା ସାଢେ଼ ୫ଟା ସମୟରେ ବୁର୍ଲା ମେଡିକାଲ ଫାଣ୍ଡିରୁ ସଦର ଥାନା ପୁଲିସ୍କୁ ସୂଚନା ମିଳିବା ପରେ ପୁଲିସ୍ ତନାଘନା ଆରମ୍ଭ କରିଥିଲା । ଖବର ଲେଖାହେବା ଯାଏ ଦୁର୍ଲ୍ଲଭଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.