ପୁରୀ: ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଚାରିଦିନିଆ ଓଷ ଲାଗି ଉପଚାର ଶେଷ ହୋଇଛି । ଏହା ପରେ ମହାପ୍ରଭୁଙ୍କ ଜ୍ୱର ରୋଗ ଉପଶମ ହୋଇଛି । ଓଷ ଉପଚାର ପରେ ଆଜି ବିଳମ୍ବିତ ରାତିରେ ମହାପ୍ରଭୁ ସୁସ୍ଥ ହୋଇ ଚକା ଉପରେ ବିଜେ ହୋଇଛନ୍ତି । ଅଣସର ବାସର ଚକା ବିଜେ ବିଧିକୁ ଅତି ଗୋପନୀୟତାର ସହ ସମ୍ପନ୍ନ କରିଛନ୍ତି ଦଇତାପତି ସେବାୟତ । ଏହା ପରେ ସୋମବାର ଠାକୁରଙ୍କୁ ଆୟୁର୍ବେଦୀୟ ମୋଦକାଦି ଔଷଧ ଲାଗି ହେବ ।
ଦଇତାପତି ସେବକ କହିଛନ୍ତି ଓଷ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ଆଜି ରାତିରେ ମହାପ୍ରଭୁ ଚକା ବିଜେ ହୋଇ ବସିଛନ୍ତି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଓଷ ଲାଗିରେ ଜ୍ୱରରୋଗରେ ପୀଡ଼ିତ ମହାପ୍ରଭୁଙ୍କୁ ଓଷ ଝୁଣା, ରାଶି ତେଲ ଓ କର୍ପୂର ଆଦିରେ ପ୍ରସ୍ତୁତି ଔଷଧି ଲାଗି ହୋଇଛି । ଓଷ ଲାଗି ପରେ ମହାପ୍ରଭୁ ଜ୍ୱରରୋଗରୁ ସୁସ୍ଥ ହୋଇଥିବାରୁ ଶ୍ରୀମନ୍ଦିର ପଛ ଭଅଣ୍ଡ ଭୋଗ ଉଠିବା ପରେ ପ୍ରଭୁଙ୍କ ଚକା ବିଜେ ନୀତି ସମ୍ପନ୍ନ ହୋଇଛି ।
ଆସନ୍ତାକାଲି ଆଉ ଆୟୁର୍ବେଦୀୟ ଚିକିତ୍ସା କରାଯିବ । ଏହି ଉପଚାର ନିମନ୍ତେ ଦେଉଳ ବୈଦ୍ୟମାନେ ରବିବାର ବଡ଼ଦେଉଳକୁ ମୋଦକ ଦେଇଛନ୍ତି । ସୋମବାର ଆୟୁର୍ବେଦ ଜଡ଼ିବୁଟିରେ ପ୍ରସ୍ତୁତ ଦେଉଳ ବୈଦ୍ୟଙ୍କ ମୋଦକାଦିକୁ ମହାପ୍ରଭୁଙ୍କ ଲାଗି ହେବ । ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ କରିଛନ୍ତି । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧି ଲାଗି କରାଯିବ ।
ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ସମ୍ପାଦନ କରାଯିବାକୁ ଗୋପନ ନୀତିର ପରମ୍ପରା ଚଳି ଆସୁଛି । ଏହି ପର୍ଯ୍ୟାୟରେ ସୁଦ୍ଧ ସୁଆରଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ଖଳି ବିଜେ ହେବ । ଏହା ପରେ ପରେ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବକ ଦତ୍ତମହାପାତ୍ର ସେବାରେ ହାଜର ହେବେ । ଏହି ସବୁ ଉପଚାର ପରେ ଶ୍ରୀବିଗ୍ରହଙ୍କ ନବଯୌବନ ପ୍ରାପ୍ତି ଓ ନେତ୍ରୋତ୍ସବ ନୀତିର ବିଧି ପାଳନ ହେବ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.