ପୁରୀ: ଅଣସର ଗୁପ୍ତ ସେବା ପରେ ନବଯୌବନ ପାଇଛନ୍ତି ଶ୍ରୀବିଗ୍ରହ । ଶୁକ୍ରବାର ବିନା ଭକ୍ତରେ ବଡ଼ଦେଉଳରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ୧୧ ତାରିଖରେ ରଥକୁ ଆଜ୍ଞାମାଳ ବିଜେ କରାଯିବ । ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁÂିତ ହେବ । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ ।
କୋଭିଡ୍ ସଂକ୍ରମଣ ଆଶଙ୍କାରେ ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଛି । ଏହି କାରଣରୁ ପ୍ରଭୁଙ୍କ ନବଯୌବନ ଦର୍ଶନରୁ ଭକ୍ତମାନେ ଦୂରେଇ ରହିଥିଲେ । ଭକ୍ତ ନଥିବାରୁ ନବଯୌବନ ପ୍ରାପ୍ତି ପରେ ବି ମହାପ୍ରଭୁଙ୍କ ଶ୍ରୀମୁଖରେ ଉଲ୍ଲାସର ଚିହ୍ନ ଦେଖିବାକୁ ମିଳି ନଥିଲା ।
ଗୁରୁବାର ଖଡ଼ି ଲାଗି ପରଠାରୁ ଶ୍ରୀମୁଖ ସିଙ୍ଗାର ବିଧି ଆରମ୍ଭ ହୋଇଥିଲା । ଦତ୍ତମହାପାତ୍ର ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବାରେ ହାଜର ହୋଇଥିଲେ । ଶ୍ରୀମୁଖ ସିଙ୍ଗାର ପରେ ପ୍ରଭୁଙ୍କ ଶ୍ରୀମୁଖ ସୌନ୍ଦର୍ଯ୍ୟ ବିକଶିତ ହୋଇଥିଲା । ଦତ୍ତମହାପାତ୍ର ସେବକ ମଧ୍ୟାହ୍ନ ୧୨ଟାରେ ବାହାରିଥିଲେ । ଚକା ଅପସର ନୀତି ନିର୍ଘଣ୍ଟ ସକାଳ ୬ଟାରେ ହେବାର ଥିଲା । କିନ୍ତୁ ଏହି ନୀତି ୬ ଘଣ୍ଟା ୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା । ତା ପରେ ନେତ୍ରାତ୍ସବ ନୀତି ସକାଳ ୧୦ଟାରେ ହେବାର ଥିଲା । ଏହି ନୀତି ବଢ଼ିବା ବେଳକୁ ଅପରାହ୍ନ ୨ଟା ବାଜିଥିଲା । ନେତ୍ରୋତ୍ସବ ବନ୍ଦାପନା ପୂର୍ବରୁ ଚକା ଅପସର, ମଙ୍ଗଳ ଆଳତି, ମଇଲମ, ଅବକାଶ, ଦଶ ଅବତାର ଦିଅଁଙ୍କ ବାହୁଡା ବିଜେ ହୋଇଥିଲେ ।
ଅଣସର ତାଟି ଫିଟିବା ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ସେବାୟତ । ଭକ୍ତଙ୍କୁ ନ ଦେଖି ପ୍ରଭୁଙ୍କ ଶ୍ରୀମୁଖରୁ ଉଲ୍ଲାସର ଆଭା ଦେଖିବାକୁ ମିଳି ନ ଥିଲା । ପ୍ରଭୁଙ୍କ ଅଧରରେ ହସର ଲହରୀ ଖେଳୁ ନଥିଲା । ଭକ୍ତ ଆଉ ଭଗବାନଙ୍କ ମିଳନ ହୋଇପାରି ନଥିଲା । ଏହି କାରଣରୁ ସିଙ୍ଗାର ସତ୍ତେ୍ୱ ଶ୍ରୀମୁଖ ମଳିନ ଦେଖାଯାଉଥିଲା ।
ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତମାନେ କହିଥିଲେ କୋଭିଡ୍ ପୂର୍ବବର୍ଷ ମାନଙ୍କରେ ଶ୍ରୀମୁଖ ସିଙ୍ଗାର ପରେ ଶ୍ରୀବିଗ୍ରହଙ୍କ ଶୋଭା ଝଲସି ଉଠୁଥିଲା । ଭକ୍ତ ବିନୋଦିଆ ଜଗା ଚଳିତ ବର୍ଷ ବି ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ନବଯୌବନ ଦର୍ଶନ ପର୍ବରେ ବଡ଼ଦେଉଳରେ ସାହାଣ ମେଲା ଦର୍ଶନ ହେଉଥିଲା । ଚଳିତ ବର୍ଷ କଟକଣା ଯୋଗୁ ଭକ୍ତମାନେ ପ୍ରଭୁଙ୍କ ନବଯୌବନ କରି ପାରିନାହାନ୍ତି ।
ଶ୍ରୀମୁଖ ସିଙ୍ଗାର ପରେ ସୁଦର୍ଶନ ଦେବଙ୍କ ବୁଣାଟ, ଚକା ଅପସର, ମଙ୍ଗଳ ଆଳତି, ମଇଲମ, ଅବକାଶ ସରି ଅବତାର ଦିଅଁଙ୍କ ଆଳତି ସରି ଦକ୍ଷିଣି ଘରକୁ ବାହୁଡ଼ା ବିଜେ ହୋଇଥିଲେ । ପଟିଦିଅଁଙ୍କ ବାହୁଡ଼ା ବିଜେ ପରେ ପାଣି ପଡ଼ି ଧୁଆଧୁଇ ଏବଂ ଚୂନ ପାଣି ପଡ଼ି ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ଧୂଆଧୁଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ, ବନ୍ଦାପନା ବଢ଼ାନୀତି ବଢ଼ାଇଥିଲେ ।
ପରେ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ବନ୍ଦାପନା ନୀତି ହୋଇଥିଲା । ନେତ୍ରୋତ୍ସବ ବଢ଼ି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା । ବଡ଼ଦେଉଳରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ିବା ବେଳକୁ ନୀତି ବିଳମ୍ବ ସୁଧୁରି ନଥିଲା । ଏହା ପରେ ବେଶ ଶେଷ, ଗୋପାଳ ବଲ୍ଲଭ, ଘଣ୍ଟଛତା ସକାଳ ଧୂପ, ଭୋଗ ମଣ୍ଡପ, ମଇଲମ, ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ବଢ଼ି ପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହେବାବେଳକୁ ମଧ୍ୟରାତ୍ରି ଅତିକ୍ରମ କରିଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.