ଶାଗ ତୋଳିବାକୁ ଯାଇ ବାଟବଣା ହୋଇଗଲେ ବାପ-ଝିଅ

Get real time updates directly on you device, subscribe now.

ଗାଇସିଲେଟ: କଥାରେ ଅଛି ‘ରଖେ ହରି ତ ମାରେ କିଏ’ ଏହି ଉକ୍ତି ଟି ସତ୍ୟ ପ୍ରମାଣିତ ହୋଇଛି ମେଲଛାମୁଣ୍ଡା ଥାନା ଟାଳ ଗାଁର ଗୋଟିଏ ପରିବାରର ନିଖୋଜ ବାପ-ଝିଅଙ୍କ କ୍ଷେତ୍ରରେ । ବାଟବଣା ହୋଇ ଜଙ୍ଗଲରେ ଦୀର୍ଘ ୫ ଦିନ ରହିବା ପରେ ସେମାନେ ଘରକୁ ଫେରିଛନ୍ତି ।
ପ୍ରକାଶ ଯେ, ଟାଳ ଗ୍ରାମର ବୁଟୁ ବରିହା (୬୫) ଏବଂ ତାଙ୍କ ଅବିବାହିତ ଝିଅ ଚନ୍ଦ୍ରକାନ୍ତି (୩୫) ଗତ ସୋମବାର ସକାଳେ କେନା ଶାଗ ତୋଳି ଆଣିବା ପାଇଁ ଗାଁ ମୁଣ୍ଡରେ ଥିବା ଝାଞ୍ଜ ପାହାଡ଼କୁ ଚଡ଼ିଥିଲେ । ମାତ୍ର ସନ୍ଧ୍ୟ ହେବା ପରେ ମଧ୍ୟ ସେମାନେ ଆଉ ଫେରିନଥିଲେ । ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରିବା ପରେ ବି ସେମାନଙ୍କ ସମ୍ପର୍କରେ କିଛି ସନ୍ଧାନ ନପାଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।
ଦୀର୍ଘ ୫ ଦିନ ପରେ ଉଭୟ ବାପ-ଝିଅ ଆଜି ଗାଁକୁ ଫେରିଛନ୍ତି । ସେମାନଙ୍କ କହିବା ମୁତାବକ ବାଟ ବଣା ହୋଇ ଯିବାରୁ ସେମାନେ ଭୋକ ଉପସରେ ଜଙ୍ଗଲରେ ଘୂରିବୁଲୁଥିଲେ । ବହୁ କଷ୍ଟରେ ଶୁକ୍ରବାର ଭୋରରେ ଜଙ୍ଗଲ ତଳି ଜାମପାଲି ଗାଁରେ ପହଞ୍ଚିଥିଲେ । ଜାମପାଲି ଗାଁକୁ ପହଞ୍ଚିଲା ସମୟରେ ବାପ-ଝିଅ ବର୍ଷାରେ ଭିଜି ଓଦା ହୋଇଥିବା ସହ ଭୋକରେ ଦୁର୍ବଳ ହୋଇପଡିଥିବା ଦେଖି ଗାଁର କିଛି ବଦାନ୍ୟ ବ୍ୟକ୍ତି ଉଭୟ ବାପ-ଝିଅଙ୍କୁ ପିନ୍ଧିବା ପାଇଁ କପଡ଼ା ସହ ଖାଇବାକୁ ଦେଇ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ । ପରିଚୟ ପାଇବା ପରେ ଟାଳ ଗାଁ ସହିତ ମେଲଛାମୁଣ୍ଡା ପୁଲିସକୁ ଖବର ଦେବାରୁ ପୂର୍ବରୁ ଉଭୟଙ୍କୁ ଖୋଜା ଖୋଜିରେ ଲାଗିଥିବା ମେଲଛାମୁଣ୍ଡା ଥାନାଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ ଜାମପାଲିରେ ପହଞ୍ଚି ବାପ-ଝିଅଙ୍କୁ ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା କରିବା ସହ ଟାଳସ୍ଥିତ ତାଙ୍କ ପରିବାର ପାଖରେ ଛାଡ଼ିଥିଲେ । ବାପ-ଝିଅ ଗାଁରେ ପହଞ୍ଚିବା ଖବର ପାଇ ସେମାନଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଉଠିଥିଲା । ଜଙ୍ଗଲରେ ୫ ଦିନ ପର୍ଯ୍ୟନ୍ତ କେବଳ ପାଣି ପିଇବା ସହ ବିଭିନ୍ନ ହିଂସ୍ରଜନ୍ତୁଙ୍କ କବଳରୁ ବଞ୍ଚି ଆସିବା ଭଗବାନଙ୍କ ଆର୍ଶିବାଦ ନୁହେତ ଆଉ କଣ ହୋଇପାରେ ବୋଲି ଲୋକେ କହୁଛନ୍ତି । ବାପ-ଝିଅ ଫେରିଥିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons