ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଓ ବାଲିଗୁଡ଼ା ଥାନା ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସୀମାବର୍ତ୍ତୀ ଇଲାକାରେ ମାଓବାଦୀ- ପୁଲିସ ଗୁଳି ବିନିମୟ । ଶୁକ୍ରବାର ରାତିରୁ ଶନିବାର ଭୋର୍ ପର୍ଯ୍ୟନ୍ତ ୮ ଘଣ୍ଟା କାଳ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ଜଣ ଏସ୍ଓଜି କମାଣ୍ଡୋ ଗୁରୁତର ହୋଇଛନ୍ତି । କେତେକ ମାଓବାଦୀ ମଧ୍ୟ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ଗୁରୁତର ଏସ୍ଓଜି ଯବାନଙ୍କୁ ବିଏସ୍ଏଫ୍ ହେଲିକପ୍ଟର୍ ଯୋଗେ ଏୟାର୍ଲିଫ୍ଟ କରାଯାଇ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ନିଆଯାଇଛି । ଭୁବନେଶ୍ୱରଠାରେ ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ଆହତ ଯବାନଙ୍କ ମଧ୍ୟରୁ ଜଣେ ସମ୍ବଲପୁର ଓ ଅନ୍ୟ ଜଣେ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାଯାଇଛି । ଜଣଙ୍କ ଛାତି ଓ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଗୋଡ଼ ଓ ମୁହଁରେ ଗୁଳି ବାଜିଛି । ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି । କୋରାପୁଟ-ମାଲକାନଗିରି ଗସ୍ତରେ ଡିଜିପି ଅଭୟ ଯାଉଥିଲେ । ଗୁଳି ବିନିମୟ ଖବର ପାଇ ତାଙ୍କ ହେଲିକପ୍ଟର୍ କୋରାପୁଟରୁ ଆସି ଦୁଇ ଜିଲ୍ଲା ସୀମାବର୍ତ୍ତୀ ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ସେ ଓହ୍ଲାଇଥିଲେ । ଦୁଇ ଯବାନଙ୍କୁ ସାଥିରେ ନେଇ ଭୁବନେଶ୍ୱର ଯାଇଥିଲେ ଡିଜି ଅଭୟ । ସାଥିରେ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଚିକିତ୍ସକ ମଧ୍ୟ ଯାଇଥିଲେ ।
କେକେବିଏନ୍ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଡିଭିଜନ୍ର ମାଓ କ୍ୟାଡର୍ମାନେ ଏକାଠି ହୋଇଥିବା ଗୁଇନ୍ଦା ସୂଚନା ପାଇଥିଲା ପୁଲିସ । ତାହାରି ଆଧାରରେ ଶୁକ୍ରବାର ରାତିରେ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ସୀମାକୁ ଲାଗିଥିବା କଣ୍ଟାମାଳ ଥାନା ଅନ୍ତର୍ଗତ ଉମା ପଞ୍ଚାୟତର ସମାଡାଙ୍କି- ନାଦେନ ଜଙ୍ଗଲରେ ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ତରଫରୁ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇ ଥିଲା । ମାଓବାଦୀମାନେ ପ୍ରଥମେ ଏସ୍ଓଜି ବାହିନୀ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଗୁଳି ବିନିମୟ ଖବର ପାଇ ସିଆର୍ପିଏଫ୍ ବାହିନୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲା । ସିଆର୍ପିଏଫ୍ ସହଯୋଗରେ ଗୁରୁତର ଦୁଇ ଯବାନଙ୍କୁ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲାର ସମାଡାଙ୍କି ନିକଟ ତେନ୍ତୁଳିମୁଣ୍ଡା ଗାଁକୁ ଅଣାଯାଇ ଥିଲା । ସେଠାରେ କଣ୍ଟାମାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. ଜଗଦୀଶ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ସେମାନଙ୍କ ଚିକିତ୍ସା କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଘଣ୍ଟାପଡ଼ା ଅଣାଯାଇଥିଲା । ସେଠାକାର ହାଇସ୍କୁଲ ପଡ଼ିଆରେ ପୂର୍ବାହ୍ଣ ୧୦ଟା ୧୦ ବେଳକୁ କୌଶଳକ୍ରମେ ଅବତରଣ କରିଥିଲା କୋରାପୁଟରୁ ରୁଟ୍ ବଦଳାଇ ଆସିଥିବା ଡିଜିପି ଅଭୟ, ଆଇଜି (ଅପରେସନ୍) ଅମିତାଭ ଠାକୁର ଓ ଅନ୍ୟମାନେ ଥିବା ବିଏସ୍ଏଫ୍ ହେଲିକପ୍ଟର୍ । ଘଣ୍ଟାପଡ଼ାରୁ ୨ ଗୁରୁତର କମାଣ୍ଡୋଙ୍କୁ ଉକ୍ତ ହେଲିକପ୍ଟର ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା । ହେଲିକପ୍ଟରରେ ଦିନ ପ୍ରାୟ ସାଢେ଼ ୧୧ଟାରେ ଡିଜିପି ଅଭୟ, କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସେଠୀ ଓ ୨ ଗୁରୁତର ଯବାନ ଭୁବନେଶ୍ୱର ଯାଇଥିଲେ । ଆଇଜି ଠାକୁର ଘଟଣାସ୍ଥଳରେ ରହି ସ୍ଥିତିର ସମୀକ୍ଷା କରିଥିଲେ । ଚିକିତ୍ସା ପରେ ଉଭୟ ଯବାନଙ୍କ ସ୍ୱାସ୍ଥ୍ଥ୍ୟାବସ୍ଥା ସ୍ଥିର ଥିବା ଡା. ଜଗଦିଶ ସେଠୀ ସୂଚନା ଦେଇଛନ୍ତି ।
ଏଥିପାଇଁ ଡିଜିପି ଅଭୟ ବିଏସ୍ଏଫ୍ ହେଲିକପ୍ଟର୍ ପାଇଲଟ୍, ରି-ଏନ୍ଫୋର୍ସମେଣ୍ଟ୍ ପାଇଁ ପହଞ୍ଚି ଯବାନଦ୍ୱୟଙ୍କୁ ଉଦ୍ଧାର କରିଥିବା ସିଆର୍ପିଏଫ୍ ବାହିନୀ ଓ ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେ ଯବାନମାନଙ୍କ ସହ ହେଲିକପ୍ଟର୍ ଯୋଗେ ଭୁବନେଶ୍ୱର ଆସିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଛତିଶଗଡ଼ରୁ ଭାରତୀୟ ବାୟୁ ସେନାର ହେଲିକପ୍ଟର୍ ଉଦ୍ଧାର କାର୍ଯ୍ୟ ପାଇଁ ଆସିବାର ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ଆସିପାରି ନଥିଲା । କିନ୍ତୁ କୋରାପୁଟରେ ପହଞ୍ଚିଥିବା ବିଏସ୍ଏଫ୍ ହେଲିକପ୍ଟର୍ର ପାଇଲଟ୍ ସାହାସିକତା ଦେଖାଇ ଅପେକ୍ଷାକୃତ ସଂକ୍ଷିପ୍ତ ରୁଟ୍ରେ ଆସି ଘଣ୍ଟାପଡ଼ା ଭଳି ଏକ ଛୋଟିଆ ଜାଗାରେ ଲ୍ୟାଣ୍ଡିଂ ସୁବିଧା ନଥିବା ସତ୍ତେ୍ୱ କୌଶଳକ୍ରମେ ହେଲିକପ୍ଟର୍କୁ ଓହ୍ଲାଇଥିଲେ । ଫଳରେ ଯବାନଙ୍କୁ ଏୟାର୍ଲିଫ୍ଟ କରି ମାତ୍ର କିଛି କ୍ଷଣରେ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇ ପାରିଥିଲା ବୋଲି କହିଛନ୍ତି ଡିଜିପି । ସେହିପରି ଗୁଳି ବିନିମୟ ଖବର ପାଇ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ସିଆର୍ପିଏଫ୍ ବାହିନୀ ଏସ୍ଓଜି ଯବାନଙ୍କୁ ସହାୟତା କରିବା ସହ ଦୁଇ ଗୁରୁତର କମାଣ୍ଡୋଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲେ । କଣ୍ଟାମାଳର ଡାକ୍ତର ମଧ୍ୟ କାଳବିଳମ୍ବ ନକରି ଗୁରୁତର ଯବାନଙ୍କୁ ତୁରନ୍ତ ଚିକିତ୍ସା କରିବା ସହ ସେମାନଙ୍କ ସାଙ୍ଗରେ ଜରୁରୀକାଳୀନ ସ୍ଥିତିରେ ଭୁବନେଶ୍ୱର ଆସିଥିବାରୁ ତାଙ୍କୁ ମଧ୍ୟ ଡିଜିପି ଧନ୍ୟବାଦ ଦେଇଛନ୍ତି । ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରେ ମାଓବାଦୀ ବିରୋଧୀ ଖାନତଲାସ (ସର୍ଚ୍ଚ) ଅପରେସନକୁ ଅଧିକ ବ୍ୟାପକ କରାଯାଇଥିବା ଡିଜିପି କହିଛନ୍ତି ।
ଗୁଳି ବିନିମୟ ସ୍ଥାନ ହେଉଛି କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଓ ବାଲିଗୁଡ଼ା ସ୍ଥାନ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାର ସୀମାବର୍ତ୍ତୀ ଇଲାକା । ତେବେ ଘଣ୍ଟାପଡ଼ା ଠାରେ ହେଲିକପ୍ଟର୍ ଅବତରଣ କରିବା ପରେ ସ୍ଥାନୀୟ ଲୋକେ ମାଓବାଦୀ- ସୁରକ୍ଷାକର୍ମୀ ଗୁଳି ବିନିମୟ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଉଭୟ କନ୍ଧମାଳ ଓ ବୌଦ୍ଧ ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସୂଚନାଯୋଗ୍ୟ, ବୌଦ୍ଧ- କନ୍ଧମାଳ ଜିଲ୍ଲା ସୀମାର ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଓ ବଣ ପାହାଡ଼ ଘେରି ରହିଥିବାରୁ ମାଓବାଦୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଛି । ଏହି ସ୍ଥାନରେ ମାଓବାଦୀ ସକ୍ରିୟ ଥିବା ନେଇ ବିଭିନ୍ନ ସମୟରେ ଆଲୋଚନା ହେଉଥିବା ବେଳେ ୨୦୧୪ ମସିହାରେ ଶେଷ ଥର ପାଇଁ ମାଓବାଦୀ ଓ ଏସ୍ଓଜି ମୁହାଁମୁହିଁ ହୋଇଥିଲେ । ପରବର୍ତ୍ତୀ ସମୟରେ ଜଣେ ମହିଳା ମାଓବାଦୀ ଧରାପଡ଼ିଥିଲା । ଅପରପକ୍ଷରେ ଆଜିକୁ ଠିକ୍ ବର୍ଷକ ତଳେ ୧୦ ଜୁଲାଇ ୨୦୨୦ରେ ସରକାର ବୌଦ୍ଧ ଜିଲ୍ଲାକୁ ମାଓପ୍ରବଣ ତାଲିକାରୁ ବାଦ୍ ଦେଇଥିଲେ । କିନ୍ତୁ ଏବେ ଦୁଇ ଜିଲ୍ଲା ସୀମା ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି । ଉକ୍ତ ଅଞ୍ଚଳରେ ପୁଲିସ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.