ଜୟପୁର: ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଡକାୟତମାନେ ମୋବାଇଲ ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ । ଘଟଣା ଘଟିବାର ମାତ୍ର ୬ ଘଣ୍ଟା ଭିତରେ ସଦର ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ସ୍ଥାନୀୟ ଜୟନଗର ଦାସିରିସାହିର ସମୀର ମହାପାତ୍ର(୧୯), ବିଷ୍ଣୁ ହରିଜନ(୧୯), ଚିଲିଗୁଡ଼ାର ବାବୁଲା ବାହାଦୂର(୧୯), ପାଇକସାହିର ସୁନିଲ ଆଚାରୀ(୧୮) ଏବଂ କୁନ୍ଦୁରା ବ୍ଲକ ଦିଗାପୁରର ଶଙ୍କର ଦଣ୍ଡସେନା(୩୦) । ଅଭିଯୁକ୍ତଙ୍କ ପାଖରୁ ଚୋରି ହୋଇଥିବା ୨ଟି ମୋବାଇଲ, ନଗଦ ୮ ହଜାର ୫୦ ଟଙ୍କା ଉଦ୍ଧାର କରାଯାଇଛି । ଏଥିସହ ଡକାୟତିରେ ବ୍ୟବହୃତ ୨ଟି ବାଇକ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ପୁରୁଣା ସଦର ଥାନା କଲୋନି ଅଞ୍ଚଳର କ୍ଷୀରୋଦଚନ୍ଦ୍ର ପୋଥାଳ(୪୯) ଏଲ୍ଆଇସି କାମରେ ଫାମ୍ପୁଣି ଯାଇଥିଲେ । ବକେୟା ଟଙ୍କା ଆଦାୟ କରି ଅପରାହ୍ନ ପ୍ରାୟ ୨ଟା ବେଳେ ସେ ଘରକୁ ଫେରୁଥିଲେ । ସେହି ସମୟରେ ଉପରୋକ୍ତ ୫ ଅଭିଯୁକ୍ତ ୨ଟି ବାଇକ୍( ଓଡି ୧୦ ଏମ୍-୯୧୯୮, ଓଡି ୧୦ ଏଫ୍-୦୯୫୨)ରେ ସୁନାରୀଗୁଡ଼ା ଛକରେ ପହଞ୍ଚିଥିଲେ । ସମସ୍ତେ ମୁହଁ ଘୋଡାଇ ରଖିଥିଲେ । ଶ୍ରୀ ପୋଥାଳଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ପାଖରେ ଥିବା ୨ଟି ମୋବାଇଲ ଫୋନ୍ ସହ ନଗଦ ୧୦ ହଜାର ଟଙ୍କା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଶ୍ରୀ ପୋଥାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତୁରନ୍ତ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା । ରାତି ପ୍ରାୟ ୮ଟାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଲୁଟ୍ ମୋବାଇଲ ଏବଂ ଟଙ୍କା ଉଦ୍ଧାର ହୋଇଥିଲା । ଏସ୍ଆଇ ନବୀନକୁମାର ଟପ୍ପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.