ଆଠଗଡ: ତେଲ ଟ୍ୟାଙ୍କର ସହିତ ବାଇକ୍ ଧକ୍କା ହେବା ଫଳରେ ବାଇକ୍ ଜଳିଯାଇଛି । ଏଥିସହ ବାଇକ୍ରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ଦୁଇ ମୃତକ ହେଲେ ଖୁଣ୍ଟୁଣୀ ରମ୍ପେଇ ଗ୍ରାମର ଦୋଳଗାବିନ୍ଦ ନାଏକଙ୍କ ପୁଅ ପ୍ରକାଶ ନାଏକ (୩୯) ଏବଂ ସ୍ୱର୍ଗତ ପ୍ରହଲ୍ଲାଦ ନାଏକଙ୍କ ପୁଅ ପ୍ରଦୀପ ନାଏକ ଓରଫ କାଳିଆ (୩୫) ।
ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ୫ଟାରେ ଦୁର୍ଘଟଣାଟି ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ୬୫ ନଂ ରାଜ୍ୟ ରାଜପଥର କୁଲାଇଲୋ ଛକ ନିକଟରେ । ତେଲ ଟ୍ୟାଙ୍କର୍(ଓଆର୍-୦୪-ଏମ୍-୨୧୫୧)ଟି ଅନୁଗୋଳରେ ତେଲ ଖଲାସ କରି କଟକକୁ ଫେରୁଥିଲା । ଏହି ସମୟରେ କୌଣସି କାମରେ ପ୍ରକାଶ ଏବଂ ପ୍ରଦୀପ ଏକ ବାଇକ୍ରେ ଖୁଣ୍ଟୁଣୀରୁ ଆଠଗଡ଼କୁ ଆସୁଥିଲେ । କୁଲାଇଲୋ ଛକ ନିକଟରେ ବାଇକ୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଟ୍ୟାଙ୍କର୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ବାଇକ୍ଟି ଜଳିଯାଇଥିଲା । ପ୍ରକାଶ ଏବଂ ପ୍ରଦୀପ ରାସ୍ତା ଉପରେ ଛିଟ୍କି ପଡିଥିଲେ । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ଆଠଗଡ଼ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ନିଅାଁକୁ ଲିଭାଇଥିଲେ । ତେବେ ନିଆଁରେ ବାଇକ୍ଟି ସଂପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣା ପରେ ଟ୍ୟାଙ୍କର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଆଠଗଡ଼ ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.