ଲାପଟପ୍, ହାତଲେଖା ଖୋଲିବ ରହସ୍ୟ

Get real time updates directly on you device, subscribe now.

ପାରଳାଖେମୁଣ୍ଡ: ଗଜପତି ଜିଲ୍ଲାର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ହତ୍ୟା ଘଟଣାରେ ଦିନ ଯେତିକି ବଢୁଛି, ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ୫ ଦିନ ପରେ ମଧ୍ୟ କିଭଳି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଘଟଣା ଘଟିଗଲା ତାହା ଉପରୁ ପରଦା ହଟିପାରିନାହିଁ । ଶନିବାର ପୁଲିସ ଅଭିଯୋଗକାରୀ ବାପା ଅଭିରାମ ମହାପାତ୍ରଙ୍କ ସମେତ ମାମୁ, ଭାଇ ପ୍ରମୁଖ ୪ ଜଣଙ୍କ ବୟାନ ଥାନାରେ ରେକର୍ଡ କରିଛି ପୁଲିସ । ତେବେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ପତ୍ନୀ ବିଦ୍ୟାଭାରତୀଙ୍କୁ ଏ ପର୍ଯ୍ୟନ୍ତ ପଚରାଉଚୁରା କରିନି ପୁଲିସ । ସେପଟେ ଅଭିରାମ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ସମ୍ପର୍କୀୟମାନେ ଗଜପତି ଏସ୍ପି ତପନ ପ;ନାୟକଙ୍କୁ ଶନିବାର ସକାଳେ ଭେଟି ନ୍ୟାୟ ମାଗିଛନ୍ତି । ପୁଲିସ ସବୁ ଦିଗରୁ ତଦନ୍ତ କରୁଛି ଏବଂ ଶୀଘ୍ର ଘଟଣାର ରହସ୍ୟ ଏବଂ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜଣାପଡିବ ବୋଲି ଗଜପତି ଏସ୍ପି କହିଛନ୍ତି । ଅପରପକ୍ଷରେ ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିବା ଲାପ୍ଟପ୍, ଏକ ହାତଲେଖା ଖାତା ଓ କିଛି ହାତଲେଖା କାଗଜ ରହସ୍ୟ ଉପରୁ ପରଦା ହଟାଇ ପାରିବ ବୋଲି କୁହାଯାଉଛି । ଏପରିକି ଉଭୟଙ୍କ ମଧ୍ୟରେ ଛାଡପତ୍ର ପାଇଁ ମଧ୍ୟ ଚୁକ୍ତିନାମା କରିବା ସକାଶେ ଲେଖା ହୋଇଥିବା ଏକ କାଗଜ ମଧ୍ୟ ଜବତ କରିଛି ପୁଲିସ । ଅପରାଧୀଙ୍କ ନିକଟରେ ପହଞ୍ଚିବା ପାଇଁ ପୁଲିସକୁ ଏଥିରୁ ସୁରାକ ମିଳିବ ବୋଲି ମଧ୍ୟ ଆଶା କରାଯାଉଛି । ଜବତ ଖାତାରେ ସୌମ୍ୟ ଅନେକ କିଛି ଉଲ୍ଲେଖ କରିଛନ୍ତି ଯେଉଁଥିରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା କଥା ଲେଖାହୋଇଥିବା କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ । ଆଇନଜୀବୀ ନାୟକ ତଦନ୍ତରେ ସହଯୋଗ ପାଇଁ ସୌମ୍ୟଙ୍କ ବାପାଙ୍କ ସହ ପାରଳାଖେମୁଣ୍ଡି ଆସିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଅଭିରାମ ଏବଂ ଆଇନଜୀବୀ ନାୟକଙ୍କ ଉପସ୍ଥିତିରେ ଘଟଣାସ୍ଥଳ କୁହାଯାଉଥିବା ସରକାରୀ ବାସଭବନ ଚାବି ଖୋଲି ଭିତରେ ଛାନଭିନ କରିଥିଲା ସାଇଣ୍ଟିଫିକ୍ ଟିମ୍ । ଘରୁ ବାହାରକୁ ଆସି ଅଭିରାମ ଓ ଆଇନଜୀବୀ ଅଭିଯୋଗ କରିଥିଲେ ଯେ- ପାରିପାଶ୍ୱିର୍କ ସ୍ଥିତିରୁ କ୍ୱାର୍ଟର୍ସ ଘଟଣାସ୍ଥଳ ନୁହେଁ, ବରଂ ଅନ୍ୟ କେଉଁ ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ଘଟାଯାଇଛି ଓ ଷଡଯନ୍ତ୍ର ମୁତାବକ ସରକାରୀ ବାସଭବନକୁ ଘଟଣାସ୍ଥଳ ବୋଲି କୁହାଯାଉଛି । ଘରେ ଜଣେ ଲୋକ ପୋଡି ଯାଉଛି, ଅଥଚ ଘରର ଅନ୍ୟ କୌଣସି ଜିନିଷ ପୋଡୁନାହିଁ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଉକ୍ତ ଘରୁ ପୁଲିସ ଏକ ଲାପ୍ଟପ୍ ଏବଂ ସୌମ୍ୟଙ୍କ ହାତଲେଖା ଏକ ଖାତାକୁ ଜବତ କରିଛି । ସେଥିରେ ସ୍ୱାମୀ-ସ୍ତ୍ରୀ ବିବାଦ ଥିବା ସ୍ପଷ୍ଟ ହେଉଛି । ତେଣୁ ଏହାରି ଆଧାରରେ ବହୁତ କିଛି ରହସ୍ୟ ବାହାରକୁ ଆସିବ ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ । ପୁଲିସ ଏହାର ଉପଯୁକ୍ତ ତଦନ୍ତ କରି ଘଟଣାସ୍ଥଳ ବାହାର କରିବା ସହ କିଏ ଏବଂ କାହିଁକି ସୌମ୍ୟଙ୍କୁ ଏଭଳିି ପୋଡ଼ି ମାରିଲା ତାହାର ଖୁଲାସା କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।
‘ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି ।’ କ୍ୱାର୍ଟରରୁ ମିଳିଥିବା ସୌମ୍ୟଙ୍କ ହାତଲେଖା ଖାତାରେ ଏଭଳି କିଛି ଲେଖା ହୋଇଥିବା କହିଛନ୍ତି ସୌମ୍ୟଙ୍କ ସମ୍ପର୍କୀୟ ଭାଇ । ସୌମ୍ୟ ତାଙ୍କ ବଦଳି ପାଇଁ ଆବେଦନ କରିଥିଲେ, ବଦଳି ଆଦେଶ ମଧ୍ୟ ହୋଇଥିଲା । ଏହାର ଆଭାସ ପାଇବା ପରେ ବୋଧେ ସୌମ୍ୟ ଏଭଳି ଲେଖିଥିବା ଅନୁମାନ କରିଛନ୍ତି ତାଙ୍କ ଭାଇ । ଏଠାରେ ସେ ଯେଉଁଭଳି ମାନସିକ ଚାପରେ ରହୁଥିଲେ ବଦଳି ହେଲେ ସେ ଶାନ୍ତିରେ ରହିବେ ବୋଲି ବୋଧେ ଭାବୁଥିଲେ । ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖା ହୋଇଛି । ତେଣୁ ଏହା କାହିଁକି ଲେଖା ଯାଇଥିଲା ତାହାର ବି ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ସେହିଭଳି ସୌମ୍ୟଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ଗତ ଛୁଟିରେ ଆସିଥିବା ବେଳେ ଡିଏଫ୍ଓ କିଭଳି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ତାହା ସୌମ୍ୟ ପ୍ରକାଶ କରିଥିଲେ । ତାଙ୍କ ଅନୁପସ୍ଥିତିରେ ଡିଏଫ୍ଓ ତାଙ୍କ ଘରକୁ ଯାଇ ଖାଇବା ପିଇବା କରୁଥିବା ମଧ୍ୟ କହିଥିଲେ । ଏହାକୁ ନେଇ ସୌମ୍ୟ ନିଜ ସ୍ତ୍ରୀ- ଡିଏଫ୍ଓଙ୍କ ଅନୈତିକ ସମ୍ପର୍କକୁ ସନେ୍ଦହ କରୁଥିବା ସେ କହିଛନ୍ତି ।
ଗତ ୧୨ ତାରିଖ ରାତିରେ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଅଧାପୋଡା ଏବଂ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲ । ହେଲେ ୧୨ ଘଣ୍ଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ସୌମ୍ୟ । କଟକର ଏକ ଘରୋଇ ହସ୍ପିଟାଲ୍ରେ ୧୩ ତାରିଖ ସକାଳେ ତାଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣାରେ ସୌମ୍ୟଙ୍କ ପନôୀ ବିଦ୍ୟା ଭାରତୀ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ଅଭିରାମ ମହାପାତ୍ର । ଡିଏଫଓ- ସୌମ୍ୟଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ରହିଥିଲା । ରୋଷେୟା ସହଯୋଗରେ ମିଳିତ ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଅଭିରାମ । ଏହା ଆଧାରରେ ପାରଳାଖେମୁଣ୍ଡି ପୁଲିସ ଏକ ଅପରାଧିକ ଷଡଯନ୍ତ୍ରମୂଳକ ହତ୍ୟା ମାମଲା (୧୪୧/୨୦୨୧) ରୁଜୁ କରି ତଦନ୍ତ ଜାରି ରଖିଛି ।
ତେଣେ ଥାନାରେ ମାମଲା ରୁଜୁ ହେବାର ୪ ଦିନ ପରେ ମଧ୍ୟ ପୁଲିସ ଏଯାଏଁ କେବଳ ରୋଷେୟାଙ୍କୁ ପଚରାଉଚୁରା କରିଛି । ନା ଡିଏଫଓ କିମ୍ବା ସୌମ୍ୟଙ୍କ ପନôୀଙ୍କ ପାଖରେ ପହଞ୍ଚି ନାହିଁ । ତେଣୁ ଗଜପତି ଜିଲ୍ଲା ଏସ୍ପିଙ୍କୁ ସୌମ୍ୟଙ୍କ ବାପା ଏବଂ ପରିବାର ଲୋକ ଭେଟି ତଦନ୍ତକୁ କ୍ରିୟାଶୀଳ କରିବା ସହ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ଦାବି କରିଛନ୍ତି । ଗଜପତି ଏସ୍ପି କହିଛନ୍ତି ଯେ- ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଛି । ବର୍ତ୍ତମାନ ଅଭିଯୋଗକାରୀ ଏବଂ ଅନ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟମାନଙ୍କ ନିକଟରେ ମଧ୍ୟ ପୁଲିସ ପହଞ୍ଚି ତଦନ୍ତ କରିବ । ଏଥିପାଇଁ ଏକ ଟିମ୍ ଗଢାଯାଇଛି । ଏହି ଟିମ୍ ଡିଏଫ୍ଓ ଏବଂ ତାଙ୍କ ସ୍ତ୍ରୀଙ୍କୁ ଜେରା କରିବ । ଘଟଣାର ସବୁ ଦିଗରୁ ତଦନ୍ତ କରାଯିବ, ଯିଏ ଦୋଷୀ ବୋଲି ଜଣାପଡିବେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons