ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ଘଟଣା ଅଡୁଆ ସୂତା ମଧ୍ୟରେ ଛନ୍ଦି ହୋଇଯାଉଛି । ଘଟଣାକୁ ୯ ଦିନ ବିତିଲାଣି, ତଥାପି ମୃତୁ୍ୟ ଘଟଣାର ପର୍ଦ୍ଧାଫାସ ହୋଇପାରିନାହିଁ । ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିବା ବେଳେ ମଙ୍ଗଳବାର ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ୍୍ର ୪ ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ଡିଏସପି ବିଜୟ କୁମାର ମଲ୍ଲିକ ଏହାର ନେତୃତ୍ୱ ନେଉଛନ୍ତି । ଯଦିଓ ମାମଲା କ୍ରାଇମବ୍ରାଞ୍ଚ୍ ଅଧୀନକୁ ଯାଇନାହିଁ, ତଥାପି ତଦନ୍ତରେ ସହାୟତା ପାଇଁ ଏହି ଟିମ୍ ଆସିଥିବା କହିଛନ୍ତି ଡିଏସ୍ପି । ଏହି ଟିମ୍ ଗଜପତି ଏସ୍ପି ତପନ କୁମାର ପ;ନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ତଦନ୍ତକାରୀ ଅଧିକାରୀ ପାରଳାଖେମୁଣ୍ଡି ଫେରିବା ପରେ ତାଙ୍କ ସହ ମାମଲା ସମ୍ପର୍କରେ ଆଲୋଚନା ପରେ ଅଧିକ କଣ କରାଯାଇପାରେ ସେନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ସୌମ୍ୟଙ୍କ ପିତା ସୋମବାର ଡିଜିପିଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ । ପରେ ଡିଜିପିଙ୍କ ନିଦେ୍ର୍ଧଶରେ କ୍ରାଇମ୍ବ୍ରାଞ୍ଚ ଟିମ୍ ଗଜପତି ପଠାଯାଇଥିବା ବିଭାଗ ତରଫରୁ ଟ୍ୱିଟ୍ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡି ଥାନା ପୁଲିସକୁ ତଦନ୍ତରେ ସହାୟତା ଦେବା ପାଇଁ ସାଇଣ୍ଟିଫିକ୍ ପ୍ରମାଣ ଯୋଗାଡ଼ କରିବା ଉପରେ ଗୁରୁତ୍ୱ ଦେଇଛି । ତଦନ୍ତ ଅବସରରେ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ସୌମ୍ୟରଞ୍ଜନ ପୋଡ଼ି ହୋଇଥିବା ଘଟଣାସ୍ଥଳକୁ ଯାଇ ଛାନ୍ଭିନ୍ ଚଳାଇଥିବା ଖବର ମିଳିଛି । ସ୍ଥାନୀୟ ପୁଲିସର ତଦନ୍ତର ପ୍ରତିଟି ଦିଗକୁ କ୍ରାଇମବ୍ରାଞ୍ଚ ଟିମ୍ ଅନୁଧ୍ୟାନ କରିବା ସହ ତଦନ୍ତର ଅଗ୍ରଗତି ଓ ଯାଞ୍ଚରେ ପୁଲିସ କେଉଁ ଦିଗକୁ ଛାଡିଯାଇଛି ସେସବୁ ତଦାରଖ କରୁଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଗଜପତି ପୁଲିସର ସାଇଣ୍ଟିଫିକ୍ ଟିମ୍ ରିପୋର୍ଟ, ବ୍ୟବଚ୍ଛେଦ ରିପୋର୍ଟ ସମେତ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତର୍ଜମା କରୁଛନ୍ତି । ମୃତ ସୌମ୍ୟଙ୍କ ସମେତ ତାଙ୍କ ପତ୍ନୀ ଏବଂ ସ୍କାନର୍ରେ ଥିବା ବନ ଅଧିକାରୀଙ୍କ କଲ୍ ଡିଟେଲସ୍ ରିପୋର୍ଟ (ସିଡିଆର) କ୍ରାଇମବ୍ରାଞ୍ଚ ଟିମ୍ ମଗାଇଥିବା ଖବର ମିଳିଛି । ସିଡିଆର୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ।
ଏସିଏଫଙ୍କ ରହସ୍ୟଜନକ ମୃତୁ୍ୟ ରହସ୍ୟ ଭେଦ ପାଇଁ ପାରଳାଖେମୁଣ୍ଡି ଥାନା ପୁଲିସ ତଦନ୍ତ ଜାରି ରଖିଛି । ଯାଞ୍ଚ ସଠିକ ରାସ୍ତାରେ ଚାଲିଥିବା ଏସ୍ପି ତପନ କୁମାର ପ;ନାୟକ ମଧ୍ୟ କହିଛନ୍ତି । ତଥାପି ଏମିତି କଣ ଆବଶ୍ୟକ ହେଲା ଯେ, ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ୍ ଟିମକୁ ପାରଳାଖେମୁଣ୍ଡି ଆସିବାକୁ ପଡିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ଜଣେ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଉଠିବା ପରେ ତଦନ୍ତର ଦିଗ ବଦଳିବା ଆଶଙ୍କାରେ କ୍ରାଇମବ୍ରାଞ୍ଚ୍ ଟିମ୍ ଏଠାକୁ ପଠାଯାଇଛି କି ବୋଲି ପ୍ରଶ୍ନବାଚୀ ହୋଇଛି । ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ନେଇ କୌଣସି ଘୋଷଣା କରାଯାଇନଥିବା ବେଳେ କେବଳ ସହଯୋଗ ପାଇଁ ଏଠାକୁ ଟିମ୍ ଆସିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।
ସେପଟେ ଅଭିଯୁକ୍ତ ସୌମ୍ୟଙ୍କ ପନôୀ ବିଦ୍ୟାଭାରତୀଙ୍କୁ ତାଙ୍କ ବାପ ଘର କପ୍ତିପଦାରେ ସୋମବାରରୁ ୬ ଜଣିଆ ସ୍ୱତନ୍ତ୍ର ପୁଲିସ ଟିମ୍ ଜେରା କରୁଥିବା ସୂଚନା ଦେଇଛନ୍ତି ଏହି ଟିମ୍ର ନେତୃତ୍ୱ ନେଇଥିବା ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ । ସେପଟେ ବ୍ରହ୍ମପୁର ଠାରେ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ- ଯେଉଁମାନଙ୍କ ନାଁରେ ଅଭିଯୋଗ ଉଠୁଛି, ଯାହା ଏଫ୍ଆଇଆର୍ରେ ଅଭିଯୋଗ କରାଯାଇଛି, ସେସବୁ ନେଇ ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଆଗେଇ ଚାଲିଛି । ପୁଲିସ ଟିମ୍ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇଛି । ଗଜପତି ଏସ୍ପି ତାହାର ତତ୍ତ୍ୱାବଧାନ କରୁଛନ୍ତି । ଯାଞ୍ଚ ଜାରି ରହିଥିବା ବେଳେ ଏବେ ଠାରୁ କିଛି କହିବା ବହୁତ ଜଲଦି ହୋଇଯିବ । ସେହିପରି ମହିଳା ପୁଲିସ ଅଧିକାରୀଙ୍କ ଉପସ୍ଥିତି ପ୍ରଶ୍ନବାଚୀ ହୋଇଥିବା ବେଳେ ଏ ସମ୍ପର୍କରେ ଡିଆଇଜି କହିଛନ୍ତି ଯେ- ସେଦିନ ସେହି ସମୟରେ କଣ ସବୁ ଘଟିଥିଲା, କଣ ଅଭିଯୋଗ କରାଯାଉଛି ସବୁ ଦିଗରୁ ତଦନ୍ତ କରାଯାଉଛି ।
ସୌମ୍ୟଙ୍କ ପରିବାର ଲୋକ ବିଭିନ୍ନ ଅଭିଯୋଗ ଆଣୁଥିବା ବେଳେ ମଙ୍ଗଳବାର ସୌମ୍ୟଙ୍କ ପନôୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ଶ୍ୱଶୁର ଘର ଲୋକେ ଆଣିଥିବା ସମସ୍ତ ଅଭିଯୋଗ ଖଣ୍ଡନ କରିବା ସହ ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା, ଏହା ସେ ଜାଣିବା ପରେ ସୌମ୍ୟ ଏବଂ ତାଙ୍କ ମଧ୍ୟରେ ସାମାନ୍ୟ ବିବାଦ ହୋଇଥିଲା । ନଚେତ ସ୍ୱାମୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଦ୍ୟା ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.