ରାୟଗଡ଼ା: ସିପିଆଇ ମାଓବାଦୀ ସଂଗଠନ ତରଫରୁ ଆଜିଠାରୁ ସହିଦ ସପ୍ତାହ ଆରମ୍ଭ ହୋଇଛି । ଜିଲ୍ଲାରେ ସକ୍ରିୟ ଥିବା ମାଓ ସଂଗଠନର ବାସଧାରା-ଘୁମସୁର-ନାଗାବଳୀ ଡିଭିଜନାଲ କମିଟି ସହିଦ ସପ୍ତାହ ପାଳନ ପାଇଁ ଗାଁଗୁଡିକରେ ଆହ୍ୱାନ ଦେଇଛନ୍ତି । ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମଧ୍ୟ ମାରିଥିବା ଖବର ମିଳିଛି । ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯିବା ସହ ଯାଞ୍ଚ କାର୍ଯ୍ୟ ଜୋରଦାର କରାଯିବାକୁ ଏସପି ବିବେକାନନ୍ଦ ଶର୍ମା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଆଗାମୀ ୩ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରଖାଯାଇଥିବା ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ।
ଜୁଲାଇ ୨୮ରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଆସୁଛନ୍ତି । ଏହି ସାତଦିନ ବ୍ୟାପି ସଂଗଠନ ତରଫରୁ ପୁଲିସ ଗୁଳିରେ ନିହତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ସହିଦସ୍ତମ୍ଭ ନିକଟରେ ଏକଜୁଟ ହୋଇଥାନ୍ତି । ଏହି ସମୟରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାର ଅନେକ ନଜିର ମଧ୍ୟ ରହିଛି । ୨୦୧୩ ଜୁଲାଇ ୧୯ ତାରିଖରେ ହଳଦୀମାଳି ଏନ୍କାଉଣ୍ଟରରେ ମୃତ ୩ ମାଓବାଦୀ ଏବଂ ୨୦୧୧ ଡିସେମ୍ବର ୯ ତାରିଖରେ ବାସଙ୍ଗମାଳି ଏନକାଉଣ୍ଟରରେ ମୃତ ୯ ଜଣ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସଂଗଠନ ସଦସ୍ୟମାନେ ଏକଜୁଟ ହେବା ଆଶଙ୍କା ରହିଛି । କିଛିଦିନ ତଳେ କନ୍ଧମାଳ ଜିଲ୍ଲା ସିର୍ଲା ଜଙ୍ଗଲରେ ଘଟିଥିବା ଦୁଇଟି ଏନକାଉଣ୍ଟରରେ ମୃତ ମାଓବାଦୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବାର ସମ୍ଭାବନା ରହିଥିବା ପୁଲିସ ଆକଳନ କରିଛି । ତେଣୁ ଚନ୍ଦ୍ରପୁର ଓ ରାଇବିଜି ସିଆରପିଏଫ ଯବାନଙ୍କୁ କନ୍ଧମାଳ ସୀମା ଏବଂ କଲ୍ୟାଣସିଂହପୁର ଓ କାଶୀପୁର ସିଆରପିଏଫ ଯବାନଙ୍କୁ କଳାହାଣ୍ଡି ସୀମାକୁ ଅପରେସନ ପାଇଁ ପଠାଯାଇଛି । ଜିଲ୍ଲାରେ ୫ଟି ସିଆରପିଏଫ୍ ଓ ୨ଟି ବିଏସଏଫ୍ ବାଟାଲିୟନକୁ ସତର୍କ କରାଯାଇଛି । ମାଓବାଦୀ ପ୍ରବଣ କଲ୍ୟାଣସିଂହପୁର, କାଶୀପୁର, ଦୋରାଗୁଡ଼ା, ଅମ୍ବାଦଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ଓ ଗୁଡ଼ାରୀ ଥାନା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ ସିଲ କରାଯିବା ସହ ଚେକିଂ ଓ ପିକେଟିଂ ଜାରି ରହିଛି । ମୁଖ୍ୟତଃ ନିୟମଗିରି ଓ ବାସଙ୍ଗମାଳି ପାହାଡ଼ ମାଓବାଦୀଙ୍କ ଆ‡ାସ୍ଥଳୀ ହୋଇଥିବାରୁ ଅଧିକ ସଂଖ୍ୟାରେ ଏସଓଜି ଓ ସିଆରପିଏଫ ଯବାନଙ୍କୁ ସେହି ଅଞ୍ଚଳକୁ ପଠାଯାଇଥିବା ପୁଲିସ କହିଛି । ମାଓବାଦୀଙ୍କ ସମସ୍ତ ପ୍ରକାର ଯୋଜନାକୁ ପଣ୍ଡ କରିବା ପାଇଁ ଜିଲ୍ଲା ପୁଲିସ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗୁଇନ୍ଦା ତଥ୍ୟ ସଂଗ୍ରହ ମଧ୍ୟ ଚାଲିଥିବା ଏସପି କହିଛନ୍ତି । ଅପରପକ୍ଷରେ, ବିଭିନ୍ନ ନିର୍ମାଣ ସଂସ୍ଥା ଓ ଠିକାଦାରଙ୍କୁ ସେମାନଙ୍କ ମେସିନଗୁଡ଼ିକ ସୁରକ୍ଷିତ ଭାବେ ରଖିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି । ସେହିପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରୁ ରାୟଗଡ଼ା ଦେଇ ଗଞ୍ଜାମ, ଗଜପତି, କନ୍ଧମାଳ ଓ କଟକ ଜିଲ୍ଲାକୁ ଯାତାୟତ କରୁଥିବା ବସଗୁଡ଼ିକ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ଓଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଘରୋଇ ବସ ହିଁ ବର୍ତ୍ତର୍ମାନ ଚଳାଚଳ କରୁଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.