ଭୁବନେଶ୍ୱରର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଓଡ଼ିଶା ଷ୍ଟାଫ ସିଲେrନ କମିଶନର (ଏସ୍ଏସ୍ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ଆଜି ତାଙ୍କ ଘର, ଅଫିସ୍ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍ ୬ ଟି ଜାଗାରେ ଚଢ଼ଉ କରିଥିଲେ । ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଛି ।
ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ଘର । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍ । ଗୋଟିଏ କାର୍, ୨ ଟି ବାଇକ୍, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ହେଲେ ବ୍ୟାଙ୍କ୍ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ । ଆସନ୍ତା କାଲି ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ସବୁ ଠାରୁ ବଡ଼ କଥା ହେଲା ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି କରିଛନ୍ତି ଶ୍ରୀ ସାହୁ । ଶ୍ରୀ ସାହୁ କରୋନା ମହାମାରୀ ସମୟରେ ୨ ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥି ସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍ ମଧ୍ୟ ଠାବ କରାଯାଇଛି ।
ଗତ କିଛି ମାସ ତଳେ ଏସ୍ଏସ୍ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା । ଶ୍ରୀ ସାହୁ ଓ ତାଙ୍କର କିଛି ଖାସ୍ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍ କରୁଥିଲେ । ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ । ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଭିଜିଲାନ୍ସ ଏସ୍ପି ଆର୍ ପ୍ରକାଶଙ୍କ ସମେତ ୪ ଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା, ସେ ନେଇ ତଦନ୍ତ ଜାରି ରହିଛି । ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ଶ୍ରୀ ସାହୁ ଟଙ୍କା ନେଇଛନ୍ତି କି ନାହିଁ, ତା’ର ବି ତଦନ୍ତ ହେବ । ଜବତ ହୋଇଥିବା ସମ୍ପତ୍ତି ଦରମା ନୁହେଁ ବୋଲି ଭିଜିଲାନ୍ସ ସ୍ପଷ୍ଟ କରିଛି । ତେଣୁ ଶ୍ରୀ ସାହୁ ଏ ସବୁ ସମ୍ପତ୍ତି ଅସାଧୁ ଉପାୟରେ ଅର୍ଜନ କରିଛନ୍ତି । ଏସବୁର ଅନୁସନ୍ଧାନ ଚାଲିଛି ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.