ବିରୋଧୀ ଦଳକୁ ଚାଲେଞ୍ଜ, ଏମିତି କରି ଦେଖାନ୍ତୁ: ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପଛୁଆ ବର୍ଗଙ୍କ ପାଇଁ କାହାର ବେଶି ଦରଦ । ଏ ନେଇ ବିଜେଡ଼ି ବିଜେପି ମଧ୍ୟରେ ସପ୍ତାହେ ହେଲା ଚାଲିଥିଲା ବିବୃତି ଯୁଦ୍ଧ । ପଛୁଆ ବର୍ଗଙ୍କ ପାଇଁ ବିଜେଡ଼ିର ଆନ୍ତରିକତା ନାହିଁ ବୋଲି ବିଜେପି ଅଭିଯୋଗ କରିଥିଲା । ବିଜେଡ଼ି ଏହାକୁ ଗ୍ରହଣ ନ କରି ପାଲଟା ଜବାବ ଦେଇଥିଲା । ପଞ୍ଚାୟତ ନିର୍ବାଚନରେ ୨୭% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଘୋଷଣା କରି ଆଜି ବିରୋଧୀଙ୍କୁ ଚମକାଇ ଦେଇଛି ।
ପଞ୍ଚାୟତ ଦଖଲ ପାଇଁ ବିଜେଡି ଆରମ୍ଭ କରିଦେଇଛି ମିଶନ । ଦଳ ଖେଳିଛି ପଛୁଆବର୍ଗ କାର୍ଡ । ବିଜେଡିର ଏହି ବଡ଼ ନିଷ୍ପତ୍ତି ରାଜ୍ୟ ରାଜନୀତିରେ ହଟଚମଟ ଖେଳାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପଛୁଆବର୍ଗ କାର୍ଡ ଖେଳିବା ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏଭଳି କରିବା ପାଇଁ ଖୋଲା ଆହ୍ୱାନ ଦେଇଛି ବିଜେଡି । ନବୀନଙ୍କ ଏହି ମାଷ୍ଟର ଷ୍ଟ୍ରୋକ୍ ବିରୋଧୀ ଶିବିର ପାଇଁ ଚାଲେଞ୍ଜ ଛିଡ଼ା କରିଦେଇଛି ।
ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡ. ଅରୁଣ କୁମାର ସାହୁ ଦଳର ଏହି ବଡ଼ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ରଣେନ୍ଦ୍ର ଓ ଅରୁଣ କହିଛନ୍ତି, ଆଗାମୀ ପଞ୍ଚାୟତ ଭୋଟରେ ଅତି କମ୍‌ରେ ୨୭% ପଛୁଆବର୍ଗଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରିବ । ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ ନଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦଳଗୁଡ଼ିକ ମଧ୍ୟ ଏଭଳି ଘୋଷଣା କରିବା ପାଇଁ ବିଜେଡି ଆହ୍ୱାନ ଦେଉଛି । ଏହାସହ ବିଧାନସଭା ଓ ଲୋକସଭା ନିର୍ବାଚନରେ ୩୩ଧ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ ଦେଉଛି ।
ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ (ଏସଇବିସି) ଠିକ୍ ପରିସଂଖ୍ୟାନ ନାହିଁ । ତେଣୁ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ କରୁଛନ୍ତି । ପଛୁଆବର୍ଗଙ୍କ ସଂଖ୍ୟାର ଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା ଆବଶ୍ୟକ । ଏହାକୁ ଆଧାର କରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ କୋର୍ଟ କୌଣସି ଅଙ୍କୁଶ ଲଗାଇବେ ନାହିଁ । ସଂରକ୍ଷଣ ସୀମା ୫୦% ମଧ୍ୟରେ ସୀମିତ ଥିବାବେଳେ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% । ତେଣୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ ୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ କୋର୍ଟର ଆଦେଶ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନି । ରଣେନ୍ଦ୍ର ଓ ଅରୁଣ କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁଯାୟୀ ସରକାରୀ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ରାଜ୍ୟଗୁଡ଼ିକ ଏସଇବିସି ତାଲିକା ପ୍ରସ୍ତୁତ କରୁଥିଲେ ଓ ଏବେ ମଧ୍ୟ କରିପାରିବେ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାର ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନାମଲେଖାରେ ସଂରକ୍ଷଣ ସୁବିଧା ପାଉଛନ୍ତି । ସେହିପରି ରାଜ୍ୟ ପଛୁଆ ବର୍ଗ ତାଲିକା ଅନୁସାରେ ଏସଇବିସି ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ସାମିଲ କରିବାକୁ ହେଲେ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହ ଦାବି ଉପସ୍ଥାପନ କରିବାକୁ ପଡ଼ିଥାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହେଲେ ହିଁ ସେଇ ଜାତି ଓବିସି ତାଲିକାଭୁକ୍ତ ହୋଇଥାଏ । ୨୦୧୮ ଅଗଷ୍ଟ ୧୧ ପୂର୍ବରୁ ରାଜ୍ୟରେ ୨୦୦ଟି ଜାତି ଓ ଉପଜାତି ଓବିସି ତାଲିକାଭୁକ୍ତ ରହିଛି । ପୂର୍ବଭଳି ରାଜ୍ୟଗୁଡ଼ିକ ପଛୁଆ ବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧୀ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ବୋଲି ବିଜେଡି କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons