ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତୁ୍ୟ ମାମଲା

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ମାମଲାର ତଦନ୍ତ ଭାର ଏବେ କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଛି । ଘଟଣାକୁ ଏକ ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ତଦନ୍ତ କରୁଥିବା ପୁଲିସ କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିନାହିଁ । ତେଣୁ ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚର ଏକ ଟିମ୍ ପାରଳାଖେମୁଣ୍ଡିରେ ଶନିବାର ପହଞ୍ଚି ମାମଲାର ମୂଳରୁ ତଦନ୍ତ ଆରମ୍ଭ କରିଛି । ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ଭାବେ ମୂଳରୁ କରାଯିବ । ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ପୁଣି ଥରେ ପଚରାଉଚୁରା କରାଯିବ । ତଦନ୍ତ ସରିବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ।
ସୌମ୍ୟଙ୍କ ପରିବାର ଲୋକେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ କିମ୍ବା ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ଆଇଟି ଗଢି ଯାଞ୍ଚ ଦାବି କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ପୁଲିସ ଡିଜିଙ୍କ ନିଦେ୍ର୍ଧଶକ୍ରମେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚୁକୁ ପ୍ରଦାନ କରାଯାଇଛି । ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପାରଳାଖେମୁଣ୍ଡି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିରେ ବିଭିନ୍ନ ବିଶେଷଜ୍ଞ ମଧ୍ୟ ସାମିଲ ରହିଛନ୍ତି । କ୍ରାଇମବ୍ରାଞ୍ଚ ଟିମ୍ ସିଧା ପାରଳାଖେମୁଣ୍ଡି ଥାନାକୁ ଯାଇ ପୂର୍ବତନ ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରି ଫାଇଲ୍ ଗ୍ରହଣ କରିଥିଲେ । ଏହାପରେ ଟିମ୍ ଘଟଣାସ୍ଥଳ କୁହାଯାଉଥିବା ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଇ ଯାଞ୍ଚ କରିଥିଲେ । ସେଠାରେ ଅଢେଇ ଘଣ୍ଟାର ତଦନ୍ତ ବେଳେ ବିଶେଷଜ୍ଞମାନେ ଆବଶ୍ୟକତା ଅନୁଯାୟୀ ତଥ୍ୟ ସଂଗ୍ରହ କରିଥିଲେ ।
ଗତ ଜୁଲାଇ ୧୨ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଅତି ଗୁରୁତର ଆବସ୍ଥାରେ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ଥିତି ସଙ୍କଟାପନ୍ନ ଥିବାରୁ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତୁ୍ୟ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ ପରେ କଟକର ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ପରିବାର ଲୋକେ ଏଥିପାଇଁ ସୌମ୍ୟଙ୍କ ପନôୀ ବିଦ୍ୟାଭାରତୀ ଏବଂ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ସମ୍ପର୍କକୁ ଦାୟୀ କରିବା ସହ ଏଥିରେ ରୋଷେୟା ମନ୍ମଥ କୁମ୍ଭ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଏହି ୩ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରମୂଳକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପାରଳାଖେମୁଣ୍ଡି ପୁଲିସ । ପୁଲିସକୁ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ମଧ୍ୟ ଆସିଥିଲେ । ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଯାଞ୍ଚ ଟିମ୍ ୧ ମାସ ମଧ୍ୟରେ ୪ଟି ଜିଲ୍ଲା ବୁଲି ତନାଘନା କରିଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟାଇ ପାରିନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons