ବନ୍ଧୁକ ଦେଖାଇ ଟଙ୍କା ଗାଡ଼ି ନେଇଗଲେ, ୨୪ ଲକ୍ଷ ଲୁଟ୍

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡ଼ିକୁ ବନ୍ଧୁକ ଦେଖାଇ ନେଇଗଲେ ଦୁର୍ବୃତ୍ତ । ୨୪ ଲକ୍ଷ ଟଙ୍କା ଲୁଟ୍ କରିବା ପରେ ସହର ଠାରୁ ପ୍ରାୟ ୨୦ କିଲୋମିଟର ଦୂର ଗିରିସୋଲାରେ ଗାଡ଼ି ଛାଡ଼ି ଦେଇଗଲେ । ଗାଡ଼ି ଭିତରେ ଡ୍ରାଇଭରଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏଜିଏସ୍ ସିକ୍ୟୋର ଭାଲୁ୍ୟ ସଂସ୍ଥାର ଏହି ଗାଡ଼ି (ଓଡି୦୨ବିଡି୮୮୧୬) ଡ୍ରାଇଭର ଆଶିଷ ଦିଗାଲକୁ ଗୋଳନ୍ଥରା ଥାନା ପୁଲିସ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରିଛି । ଡାକ୍ତରଖାନାରେ ତାଙ୍କର ଚେତା ଫେରିବା ପରେ ବନ୍ଧୁକ ଦେଖାଇ ତାଙ୍କୁ ଓ ଗାଡ଼ିକୁ କିଛି ଦୁର୍ବୃତ୍ତ ନେଇଯାଇଥିବା ସେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଏଜିଏସ୍ର ଲୋକେସନ୍ ଇନ୍ଚାର୍ଜ ପଦ୍ମନାଭ ପଣ୍ଡାଙ୍କ ଅଭିଯୋଗକୁ ଆଧାର କରି ବଡ଼ ବଜାର ଥାନାରେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି । ବ୍ରହ୍ମପୁର ସହରରେ ଏଭଳି ଲୁଟ୍ ପ୍ରଥମଥର ଦେଖିବାକୁ ମିଳିଛି । ଦିନ ଦ୍ୱିପହରରେ ଲୁଟେରା ମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଥିବାବେଳେ ଟଙ୍କା ଲୁଟ୍ ପଛରେ ଥିବା ରହସ୍ୟ ଖୋଜାଯାଉଛି ବୋଲି ପୁଲିସ ପ୍ରକାଶ କରିଛି ।
ଅଭିଯୋଗ ପ୍ରକାରେ ଏଜିଏସ୍ ସିକ୍ୟୋର୍ ଭାଲୁ୍ୟ ସଂସ୍ଥା ବିଭିନ୍ନ ବ୍ୟାଙ୍କ୍ର ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଠିକା ନେଇଛି । ଲୁଟ୍ ହୋଇଥିବା ଗାଡ଼ିରେ ୧୪ଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରାଯାଉଥିଲା ଏବଂ ଚନ୍ଦ୍ରଗିରି ପର୍ଯ୍ୟନ୍ତ ଏହି ଗାଡ଼ି ଯାଏ । ଆଜି ପୂର୍ବାହ୍ନ ୧୦ଟ ୩୦ରେ ଡ୍ରାଇଭର ଆଶିଷ ଦିଗାଲ, ସିକୁ୍ୟରିଟି ଗାର୍ଡ ଦଣ୍ଡପାଣି ସାହୁ, ଏଟିଏମ୍ ଅପରେଟର ଲକ୍ଷ୍ମୀ ନାରାୟଣ ମହାରଣା ଓ ସୁଶୀଲ କୁମାର ପଟ୍ଟନାୟକ ଖାଲି ଗାଡ଼ି ଧରି ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ଛକରୁ ବାହାରିଥିଲେ । ଲକ୍ଷ୍ମୀନାରାୟଣଙ୍କ କହିବା ପ୍ରକାରେ ସେମାନେ ବଡ଼ ବଜାର ଥାନା ନିକଟ ରାଜା ସାହି ଆଇସିଆଇସିଆଇ ବ୍ୟାଙ୍କ୍କୁ ଆସିଥିଲେ । ସେଠାରୁ ସେମାନେ ୨୬ ଲକ୍ଷ ଟଙ୍କା ଆଣିଥିଲେ । ସେହି ଆଇସିଆଇସିଆଇ ବ୍ୟାଙ୍କ୍ ପାଶ୍ୱର୍ରେ ଥିବା ଏଟିଏମ୍ରେ ୨ ଲକ୍ଷ ଜମା କରିଥିଲେ । ଏହାପରେ ସେମାନେ ଶ୍ରୀରାମନଗର ଛକ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ନିକଟକୁ ଯାଇଥିଲେ । ଦଣ୍ଡପାଣି, ଲକ୍ଷ୍ମୀନାରାୟଣ ଓ ସୁଶୀଲ ଆକ୍ସିସ୍ ବ୍ୟାଙ୍କ୍ ଭିତରକୁ ଯାଇଥିବା ବେଳେ ଡ୍ରାଇଭର ଆଶିଷ ପାର୍କିଂ କରି ଗାଡ଼ିରେ ଥିଲେ । ଆକ୍ସିସ୍ ବ୍ୟାଙ୍କ୍ ଭିତରକୁ ଯାଇ ୧୦ ମିନିଟ୍ ମଧ୍ୟରେ ଅର୍ଥାତ୍ ପ୍ରାୟ ୧୧ଟା ୨୦ରେ ବାହାରକୁ ଆସି ଦେଖିବା ବେଳେ ଗାଡ଼ି ନଥିଲା । ଏ ସମ୍ପର୍କରେ ଲକ୍ଷ୍ମୀନାରାୟଣ ଲୋକେସନ୍ ଇନ୍ଚାର୍ଜ ପଦ୍ମନାଭ ପଣ୍ଡାଙ୍କୁ କହିଥିଲେ । ସେ ଭୁବନେଶ୍ୱର ଅଫିସକୁ ଜଣାଇ ଗାଡ଼ିରେ ଲାଗିଥିବା ଜିପିଏସ୍ (ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍) ଜରିଆରେ ଗାଡ଼ି ପିତାତଳି ନିକଟରେ ଆନ୍ଧ୍ର ଯାଉଥିବା ଜାଣିପାରିଥିଲେ । ଏ ସମ୍ପର୍କରେ ଗୋଳନ୍ଥରା ଥାନାରେ ଜଣାଇଥିଲେ । ଗୋଳନ୍ଥରା ଥାନା ପୁଲିସ ପ୍ରାୟ ଅପରାହ୍ନ ୧ଟାରେ ଗାଡ଼ିକୁ ଟ୍ରାକ୍ କରି ଗିରିସୋଲା ନିକଟରେ ଠାବ କରିଥିଲା । ଗାଡ଼ିଟି ରାସ୍ତା କଡ଼ରେ ଡୋର୍ ଖୋଲା ଅବସ୍ଥାରେ ଥିବାବେଳେ ଡ୍ରାଇଭର ଅଚେତ୍ ଥିଲେ । ଗାଡ଼ିରେ ଟଙ୍କା ନଥିଲା । ଡ୍ରାଇଭରକୁ ଉଦ୍ଧାର କରି ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା ।
ଏମ୍କେସିଜିରେ ଡ୍ରାଇଭର ଆଶିଷ ଦିଗାଲ୍ଙ୍କ ଚେତା ଫେରିବା ପରେ ସେ କହିଛନ୍ତି ଯେ, ଟଙ୍କା ନେଇ ଚନ୍ଦ୍ରଗିରି ଯିବାର ଥିଲା । ସେମାନେ ଶ୍ରୀରାମ ନଗର ଛକ ନିକଟରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଆଗରେ ଗାଡ଼ି ପାର୍କିଂ କରିଥିଲେ । ଦୁଇଜଣ ଯୁବକ ଚାଲି ଚାଲି ଆସିଥିଲେ । ଉଭୟେ ମାସ୍କ ଓ କ୍ୟାପ୍ ପିନ୍ଧିଥିଲେ । ଗନ୍ମ୍ୟାନ୍ ବସିବା କବାଟ ଖୋଲା ଥିଲା । ସେମାନେ ଗାଡ଼ି ଭିତରକୁ ଆସି ବନ୍ଧୁକ ଦେଖାଇଥିଲେ । ଜଣେ ଗାଡ଼ି ଚଳାଇଥିଲେ ଏବଂ ଆଉ ଜଣେ ପଛରେ ବସିଥିଲେ । ଉଭୟେ ତାଙ୍କୁ ବନ୍ଧୁକ ଦେଖାଇ ଗାଡ଼ି ନେଇଯାଇଥିଲେ । ଆନ୍ଧ୍ର ରାସ୍ତାରେ ଯିବା ପରେ ଗିରିସୋଲା ନିକଟରେ ଗାଡ଼ି ପାର୍କିଂ କରିଥିଲେ । ସେଠାରେ ପୂର୍ବରୁ ଆଉ ଗୋଟିଏ ସ୍କର୍ପିଓ ରହିଥିଲା ଏବଂ ତାହା ଭୁବନେଶ୍ୱର ରେଜିଷ୍ଟେ୍ରସନ୍ ନମ୍ବର ଥିବା ଡ୍ରାଇଭର ଦିଗାଲ କହିଛନ୍ତି । ସେଠାରେ ଜୋରଜବରଦସ୍ତ କିଛି ଖୁଆଇବା ସହ ମୁହଁରେ କିଛି ସ୍ପେ୍ର ପକାଇ ଦେଇଥିଲେ । ଏହା ପରେ କ’ଣ ହୋଇଛି କିଛି ଜାଣିନି । ସେପଟେ ଲୁଟ୍କୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି । ମୋବାଇଲ୍ ଲୋକେସନ୍ ଦେଖିବା ସହ ବିଭିନ୍ନ ଜାଗାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଗାଡ଼ିରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରୁଛି ପୁଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons