ବୈପାରିଗୁଡା,(ସତ୍ୟ ନାରାୟଣ ସାହୁଙ୍କଠାରୁ): ନଳକୂପ ଅଛି କିନ୍ତୁ ବାହାରୁନି ପାଣି । ଟୋପାଏ ପାଣି ପାଇଁ ଗ୍ରାମବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରି କି ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ପାନୀୟଜଳ ସୁବିଧା ନାହିଁ । ଛୋଟଛୋଟ ପିଲାମାନେ ଶୋଷ ହେଲେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଗାଁ ମୁଣ୍ଡ ଜମିର ଏକ ଚୁଆରୁ ପାଣି ସଂଗ୍ରହ ଲୋକେ ବ୍ୟବହାର କରୁଛନ୍ତି । ଚୁଆପାଣିର ଦୂଷିତ ଜଳରେ ଶୋଷ ମେଣ୍ଟୁଛି । ଏଭଳି ଅଭିଯୋଗ କରିଛନ୍ତି ବୈପାରିଗୁଡା ବ୍ଲକ କେଲାର ପଞ୍ଚାୟତ କନ୍ଧପୋଡାପଦର ଗ୍ରାମବାସୀ ।
ବୈପାରିଗୁଡା ଠାରୁ ଭାୟା ମାଲକାନଗିରି ରାସ୍ତାରେ ଗଲାବେଳେ ଟାପାଯୋଡି ଗାଁ ରହିଛି । ଏହି ଛକରୁ ୨ କିମି ଗଲେ କନ୍ଧପୋଡାପଦର ଗାଁ । ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୫କିମି ଦୂରରେ ରହିଥିବା ଏହି ଗାଁରେ ଗତ ମେ’ରେ ଝାଡାବାନ୍ତି ବ୍ୟାପିଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁକୁ ଆସି ୫ ଦିନିଆ କ୍ୟାମ୍ପ କରି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥଲେ । ସେତେବେଳେ ଝାଡାବାନ୍ତିିର କାରଣ ପାନୀୟଜଳ ଥିଲା ବୋଲି ଡାକ୍ତରୀ ଦଳ ସନେ୍ଦହ କରିଥିଲେ । ବିଭାଗୀୟ ଅଧିକାରୀମାନେ ଆସି ଗାଁରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ମଧ୍ୟ ପଠାଇଥିଲେ । ଗାଁ ଲୋକ ଏଠୁସେଠୁ ସଂଗ୍ରହ କରି ପିଉଥିବା ପାଣି ରୋଗର କାରଣ ବୋଲି ସେତେବେଳେ ଜଣାପଡିଥିଲା । ତେବେ ବିଡମ୍ବନାର ବିଷୟ ଆଜିଯାଏ ଏହି ଗାଁରେ ପାନୀୟଜଳର ପ୍ରତିକାର କରାଯାଇ ନାହିଁ । ଫଳରେ ଏଠାରେ ବସବାସ କରୁଥିବା ୨୯ ପରିବାରର ଶତାଧିକ ଲୋକ ଏବେ ବି ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଗ୍ରାମବାସୀଙ୍କ କହିବା ପ୍ରକାରେ, ଖରାଦିନ ହେଲେ ପାନୀୟଜଳ ପାଇଁ ଲୋକଙ୍କ ଦୁଃଖ ଯନ୍ତ୍ରଣା ବଢିଯାଉଛି । ଢାଳେ ପାଣି ପାଇଁ ଗାଁ ପାଖରେ ଥିବା ନାଳ ଭିତରେ ଗାତ ଖୋଳି ଜଳ ସଂଗ୍ରହ କରିବାକୁ ପଡୁଛି । ଗାଁର ସମସ୍ତେ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଆଜିଯାଏଁ ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ମାତ୍ର ୬ଜଣ ବ୍ୟକ୍ତିଙ୍କୁ ଆବାସ ମିଳିଛି । ଗାଁର ଗୋରା ଖିଲ, ରାମ ଖିଲ, ଲବି ଖିଲ, ଲିଙ୍ଗା ଖରା, କୃଷ୍ଣ ଖରା ଓ ନୀଳା ଖିଲଙ୍କୁ ଆବାସ ମିଳିଥିବା ବେଳେ ଅନ୍ୟ ବହୁଲୋକ ଏହି ସୁବିଧାରୁ ବଞ୍ଚିିତ ଥିବା ଗାଁ ମୁଖିଆ ସାହେବ ଖିଲ କ୍ଷୋଭର ସହ କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଗାଁରେ ପାନୀୟଜଳ ସୁବିଧା ସହ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.