ନୀଳଗିରି,(ବି.ବି.ନ୍ୟୁଜ୍): ନୀଳଗିରି ବନବିଭାଗ ଅଧୀନ ତିନିକୋଶିଆ ଜଙ୍ଗଲ ନିକଟରୁ ଏକ ଭାଲୁର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଗରଡିହି ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲ ପାଖରେ ମୃତ ଭାଲୁଟି ପଡ଼ିଥିଲା ବେଳେ ଜଙ୍ଗଲକୁ ଯାଇଥିବା ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଭାଲୁଟି ଦେହରେ ଏକ କଣା ହୋଇ ରକ୍ତ ବାହାରୁଥିବାରୁ ଶିକାରୀ ଗୁଳି ମାରିଥିବା ଅନୁମାନ କରାଯାଉଛି । ଚଳିତ ବର୍ଷ ନୀଳଗିରିରେ ପାଖାପାଖି ୭ରୁ ଅଧିକ ଭାଲୁ ମୃତ୍ୟୁବରଣ କରିଥିବା ବେଳେ ପୁଣି ଆଜି ଭାଲୁ ମୃତ୍ୟୁ ନେଇ ବନବିଭାଗ ଚିନ୍ତାରେ ପଡ଼ିଛି । ନୀଳଗିରି ରେଞ୍ଜର ସୁକୁମାର ଦାସ ପଶୁ ଚିକିତ୍ସା ଅଧିକାରୀଙ୍କୁ ନେଇ ଭାଲୁଟିର ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି । ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି । କୁଲଡିହା ସଂରକ୍ଷିତ ସ୍ୱର୍ଣ୍ଣଚୂଡ଼ ପାହାଡ଼ ସମେତ ତିନିକୋଶିଆ ଜଙ୍ଗଲରେ ଭାଲୁ ମରିବା ନେଇ ପରିବେଶବିତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.