ଅର୍ଥମନ୍ତ୍ରୀ ସୀତାରମଣଙ୍କ ଟିପ୍ପଣୀ:କୋଇଲା ସଙ୍କଟ ରିପୋର୍ଟ ଅମୂଳକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ କୋଇଲା ସଙ୍କଟ ଯୋଗୁ ଅନେକ ରାଜ୍ୟରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ନେଇ ରିପୋର୍ଟ ଆସୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଜୋରଦାର ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କୌଣସି କ୍ଷେତ୍ରରେ ଆଦୌ ଅଭାବବୋଧ ନାହିଁ । ପାୱାର ପ୍ଲାଣ୍ଟଗୁଡ଼ିକରେ କୋଇଲା ସଙ୍କଟ ଥିବା ନେଇ ଯେଉଁସବୁ ରିପୋର୍ଟ ଆସୁଛି, ତାହା ସମ୍ପୂର୍ଣ୍ଣ ଅମୂଳକ । ଭାରତ ଏକ ବିଦୁ୍ୟତ ବଳକା ଦେଶ ।
ସୀତାରମଣ କହିଛନ୍ତି, କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍ କେ ସିଂହ ନିଜେ ସ୍ଥିତିର ସମୀକ୍ଷା କରିବା ପରେ କୋଇଲା ସଙ୍କଟ ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇଥିଲେ । ଦୁଇଦିନ ତଳେ ସେ ସ୍ଥିତି ସମୀକ୍ଷା କରିଥିଲେ । ବିଦୁ୍ୟତ ଉତ୍ପାଦନକାରୀ ପ୍ଲାଣ୍ଟଗୁଡ଼ିକରେ ୪ ଦିନ ପାଇଁ କୋଇଲା ମହଜୁଦ ରହିଛି । ପ୍ରତ୍ୟେକ ଦିନ ଯୋଗାଣ ସୁନିଶ୍ଚିତ ହେଉଛି । ପ୍ଲାଣ୍ଟଗୁଡ଼ିକର ପରିସରରେ କୋଇଲା ମହଜୁଦ ରହିଛି । ଯୋଗାଣ ଶୃଙ୍ଖଳରେ ମଧ୍ୟ କୌଣସି ସମସ୍ୟା ଦେଖାଦେଇ ନାହିଁ ।
ଆମେରିକାର ହାର୍ଭାର୍ଡ କେନେଡି ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅର୍ଥମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ଏଭଳି ବିବୃତି ରଖିଛନ୍ତି । ଭାରତରେ କୋଇଲା ଉପଲବ୍ଧତା କମିବା ଯୋଗୁ ବିଦୁ୍ୟତ ସେବା ପ୍ରଭାବିତ ହୋଇଛି କି ବୋଲି ହାର୍ଭାର୍ଡ ପ୍ରଫେସର ଲରେନ୍ସ ସମର୍ସ ପ୍ରଶ୍ନ କରିଥିଲେ । କିନ୍ତୁ ଭାରତରେ ସେଭଳି କୌଣସି ସମସ୍ୟା ନାହିଁ । ବରଂ ଭାରତ ଏକ ବିଦୁ୍ୟତ ବଳକା ଦେଶ ବୋଲି ସେ ଜବାବ ଦେଇଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥ ସଚିବ ଟି ଭି ସୋମନାଥନ ଏକ ସାକ୍ଷାତକାରରେ କହିଛନ୍ତି, ଭାରତୀୟ ଅର୍ଥନୀତି ଏବେ ସୁଧାର ପଥରେ ରହିଛି । କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କା କମୁଥିବାରୁ ଏହା ଅର୍ଥନୀତି ପାଇଁ ଆହୁରି ସକାରାତ୍ମକ ହେବାରେ ଲାଗିଛି । ଏହା ଯୋଗୁ ବିଭିନ୍ନ କ୍ଷେତ୍ରରେ ଚାହିଦା ଆଖିଦୃଶିଆ ଭାବେ ବୃଦ୍ଧି ପାଇବ । ତେବେ କୋଇଲା ଯୋଗାଣରେ ଯେଉଁ ସମସ୍ୟା ଦେଖାଦେଇଛି, ତାହା କ୍ଷଣସ୍ଥାୟୀ । ସ୍ଥିତି ଶୀଘ୍ର ସୁଧୁରିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେ ଦର୍ଶାଇଛନ୍ତି ଯେ ପାଣିପାଗ ସଂକ୍ରାନ୍ତ ସମସ୍ୟା ଯୋଗୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥାଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons