ରାଜଧାନୀରୁ ୨ କିଲୋ ନକଲି ସୁନା ଜବତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅସଲି ସୁନା ଦେଖାଉଥିଲେ । ବଜାର ମୂଲ୍ୟଠୁ ଅଧା ଦାମରେ ଦେବେ ବୋଲି ଲୋଭ ଦେଖାଉଥିଲେ । ଲୋଭର ବଶବର୍ତ୍ତୀ କେହି ସୁନା କିଣବାକୁ ଚାହିଁଲେ ତାଙ୍କୁ ନକଲି ସୁନା ଧରାଇ ଦେଉଥିଲେ । ଏହି ଭଳି ଭାବେ ଠକୁଥିବା ଏକ ଗ୍ୟାଙ୍ଗ୍ର ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ସେମାନେ ହେଲେ ଛତିଶଗଡ଼ର ମୋହନ ସୁଲାଙ୍କି(୫୦) ଓ ଘନଶ୍ୟାମ ସୁଲାଙ୍କି(୨୫) । ଉଭୟଙ୍କ ଠାରୁ ୨ କିଲୋ ନକଲି ସୁନା ଜବତ ହୋଇଛି । ସେମାନେ ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ନକଲି ସୁନାତକ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗ୍ର ଏହି ୨ ଜଣ ବିଭିନ୍ନ ବସ୍ ଷ୍ଟପ୍ ଓ ରେଳ ଷ୍ଟେସନରେ ଲୋକଙ୍କୁ ଟାର୍ଗେଟ କରୁଥିଲେ । ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ଲୋକଙ୍କ ଭରସା ଜିତୁଥିଲେ । ଏପରିକି ସୁନାକୁ ବଜାର ମୂଲ୍ୟ ଠାରୁ ଅଧା ଦାମରେ ବିକ୍ରି କରିବାକୁ ଉସୁକାଉଥିଲେ । ସେମାନଙ୍କ କଥାରେ ଭଳି ଯାଇ ତାଙ୍କଠୁ ଯିଏ ସୁନା କିଣୁଥିଲା, ତାକୁ ନକଲି ସୁନା ଧରାଇ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ଏମିତି ଢ଼ଙ୍ଗରେ ଏହି ୨ଜଣ ଜୟଦେବବିହାର ବସ୍ଷ୍ଟପରେ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କାର ସୁନାକୁ ୧୫ ଲକ୍ଷରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ବିଶ୍ୱସ୍ତସୂତ୍ରରୁ ଖବରପାଇ ସହିଦନଗର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା । ୨ ଜଣଙ୍କୁ ଧରି ଥାନାକୁ ଉଠାଇ ଆଣିଥିଲା । ପୁଲିସ ସେମାନଙ୍କ ଠାରୁ ୨ କିଲୋ ଓଜନର ନକଲି ସୁନା ଓ କିଛି ଅସଲି ସୁନା ସମେତ ୨ଟି ମୋବାଇଲ ଫୋନ୍ ଜବତ କରିଥିଲା । ଆଗକୁ ଧନତେରାସ ପର୍ବ ଥିବାରୁ ବଜାର ଡିମାଣ୍ଡ୍ ଦେଖି ଲୋକଙ୍କୁ ଠକିବା ଲାଗି ଏମାନେ ଭୁବନେଶ୍ୱରରେ ଡେରା ପକାଇଥିବା ଜଣା ପଡ଼ିଛି । ଏମାନେ ଏପରି କେତେ ଲୋକଙ୍କୁ ଠକିଛନ୍ତି ଓ ଏହି ର୍ୟାକେଟ୍ରେ ଆଉ କେଉଁମାନେ ଅଛନ୍ତି, ସେ ନେଇ ପୁଲିସ ୨ଜଣଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ ଚଳାଇଛି । ଆସନ୍ତାକାଲି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons