ଧୂପକାଠି କାରଖାନାରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ଜଗତପୁର,(ବି.ବି.ନୁ୍ୟଜ): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍-୧ ଏକ ସ୍ଥିତ ଏକ ଧୂପକାଠି କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ମେସିନ୍, ଧୂପକାଠି ଓ କଞ୍ଚାମାଲ୍ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ସ୍ଥାନୀୟ ଅଞ୍ଚଳରେ ଥିବା ଅନ୍ୟ କାରଖାନାକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ସଫଳତାର ସହ ଏହାକୁ ଆୟତ୍ତ କରିବାରୁ ବଡ଼ଧରଣର ବିପତ୍ତି ଟଳିଯାଇଯାଇଛି । ନିଆଁ ଲାଗିବା ପୂର୍ବରୁ ଶ୍ରମିକମାନେ କାମ ସାରିଚାଲିଯାଇଥିବାରୁ କେହି ମୃତାହତ ହୋଇନାହାନ୍ତି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସଟ୍ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।
ପ୍ରାପ୍ତଖବର ମୁତାବକ, ଜଗତପୁର ବଜାର ପାଶ୍ୱର୍ ନୂତନ ଶିଳ୍ପାଞ୍ଚଳ ଫେଜ୍-୧ଠାରେ ଏସ୍.ଏସ୍.ଇଣ୍ଟରପ୍ରାଇଜର୍ସର ମଙ୍ଗଳଦୀପ ଧୂପକାଠି କାରଖାନା ରହିଛି । ଶ୍ରମିକମାନେ କାମ ସାରିବା ପରେ ଅପରାହ୍ନ ପ୍ରାୟ ୫ଟାବେଳେ କାରଖାନା ବନ୍ଦ ହୋଇଥିଲା । ତେବେ ସଂଧ୍ୟା ପ୍ରାୟ ୬ଟା ବେଳେ କାରଖାନା ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପ୍ରବଳ ମାତ୍ରାରେ ଧୂଆଁ ବାହାରିବାରୁ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କିଛି ସମୟ ମଧ୍ୟରେ କଟକରୁ ଅଗ୍ନିଶମ କେନ୍ଦ୍ରରୁ ଗୋଟିଏ ଦମକଳ ଗାଡି ଆସି ପହଞ୍ଚି ନିଅାଁ ଲିଭାଇବାକୁ ଉଦ୍ୟମ କରିଥିଲା । ମାତ୍ର ବେଳୁବେଳ ନିଅାଁର ପ୍ରକୋପ ତୀବ୍ର ହୋଇଥିଲା ଓ କାରଖାନା ଚାରିପଟୁ ନିଆଁ ବ୍ୟାପିଯାଇଥଲା । ବନ୍ଦ ଥିବା କାରଖାନାର ଆଜ୍ବେଷ୍ଟସ ଫଟେଇ ନିଆଁ ପଦାକୁ ବାହାରିବାରୁ ଲୋକେ ଆତଙ୍କିତ ହେବା ସହ ଶିଳ୍ପାଞ୍ଚଳ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଆଖାପାଖ କାରଖାନାକୁ ନିଆଁ ବ୍ୟାପିବାର ଆଶଙ୍କା ସୃଷ୍ଟି ହେବାରୁ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର, ଚାଉଲିଆଗଞ୍ଜ ଅଗ୍ନିଶମ କେନ୍ଦ୍ରରୁ ୧୦ଟି ଦମକଳ ଗାଡ଼ି ଆସି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ପ୍ରାୟ ଚାରି ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ମାତ୍ର ସେତେବେଳକୁ କାରଖାନା ମଧ୍ୟରେ ଥିବା ପ୍ରାୟ ୨୦ରୁ ଅଧିକ ମେସିନ୍, ତିଆରି ହୋଇଥିବା ଧୂପକାଠି ଓ କଞ୍ଚାମାଲ୍ ପୋଡ଼ି ପାଉଁଶ ହୋଇଯାଇଥିଲା ।
କାରଖାନାରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଧୂପକାଠି ତିଆରି କରନ୍ତି । ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୪୦ରୁ ଅଧିକ । ପ୍ରତିଦିନ ରାତି ପ୍ରାୟ ୮ଟା ଯାଏ କାମ ହୁଏ । ଏଣେ ଦଶହରା ଛୁଟି ଓ ଅର୍ଡର ଅଧିକ ଥିବାରୁ ଆଜି ରବିବାରରେ ମଧ୍ୟ କାରଖାନା ଚାଲିଥିଲା । ଆଜି କିନ୍ତୁ ରାତି ୮ଟା ବଦଳରେ ଅପରାହ୍ନ ୫ଟାରେ କାମ ଶେଷ ହୋଇଥିଲା ଓ ଶ୍ରମିକମାନେ ଘରକୁ ଚାଲିଯାଇଥିଲେ । ତେଣୁ କାରଖାନାରେ ନିଆଁ ଲାଗିବା ବେଳେ କୌଣସି ଶ୍ରମିକ ନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons