ଗୋବିନ୍ଦଙ୍କୁ ଏନ୍‌କାଉଣ୍ଟର କରି ରହସ୍ୟକୁ ଲୁଚା ନଯାଉ!

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ବୁ୍ୟରୋ):ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍‌ ଭିତରେ ମମିତାଙ୍କୁ ବୋର୍ଡା ଗାଁ ନିକଟରେ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କରିବା ପରେ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ବୋଲି ସ୍ବୀକାର କରିଥିବା ଜଣାପଡ଼ିଛି। ଉତ୍ତରାଞ୍ଚଳ ଡିଆଇଜି ଡା ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେବେ ବୋଲି ଜଣାପଡ଼ିଛି । ମଙ୍ଗଳବାର କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡ଼ିଆ ଖୋଳା ଯିବା ପରେ ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି, ଏକ ସୁନାଚେନ ଓ ଏକ ବ୍ୟାଗ ମିଳିଥିଲା ଓ ବଙ୍ଗୋମୁଣ୍ଡା ଥାନାର ବୁଢୀପଦର ଗାଁ ଆଖୁ କିଆରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗିରଫ ହୋଇଥିଲେ। ଗୋବିନ୍ଦ ନାଟକୀୟ ଢ଼ଙ୍ଗରେ ଫେରାର ହେବା ଓ ଫେରାର ହେବାର ଦୁଇଦିନ ପରେ ପୁଣି ନାଟକୀୟ ଢ଼ଙ୍ଗରେ ଧରାପଡ଼ିବା ସମଗ୍ର ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗୋବିନ୍ଦଙ୍କ ଗୋଡ଼ରେ ଅସ୍ତ୍ରୋପଚାର ହୋଇଥିଲା । ତେଣୁ ୧୦ ଫୁଟ ଉଚ୍ଚର ପାଚେରୀ ଡେଇଁବା ତାଙ୍କ ପକ୍ଷେ ଅସମ୍ଭବ । କିନ୍ତୁ ଠିକ୍‌ ସେହି ସମୟରେ ବିଜୁଳି ବିଭ୍ରାଟ ହେବା ଓ ବାରାକ୍‌ରେ ଲାଇଟ ନଥିବା ସମୟରେ ଗୋବିନ୍ଦଙ୍କ ଫେରାର ମାରିବା ଅନେକ କଥା କହୁଛି । ତାହାଠୁ ବଡ଼ କଥା ହେଉଛି, ଟିଟିଲାଗଡ଼ରୁ ଫେରାର ମାରିବା ପରେ ଦୁଇଦିନ ପର୍ୟ୍ୟନ୍ତ ଗୋବିନ୍ଦ କ’ଣ ସେହି ଆଖପାଖ ଅଞ୍ଚଳରେ ରହିଥିଲେ ! ଶେଷରେ ଏକ ଆଖୁ କିଆରୀରୁ ତାଙ୍କୁ ଠାବ କରାଯିବା ସାଧାରଣରେ ସଂଶୟ ସୃଷ୍ଟି କରିଛି । ବାସ୍ତବରେ ଗୋବିନ୍ଦ ଫେରାର ରହିଥିଲେ ନା ଘଟଣାକୁ ଭିନ୍ନ ମୋଡ଼ ଦେବା ପାଇଁ ଏଭଳି ନାଟକ କରାଯାଇଥିଲା? ଏହି କେଳେଙ୍କାରୀରୁ ବଡ଼ବଡ଼ିଆଙ୍କୁ ମୁକ୍ତ କରିବା ପାଇଁ ଗୋବିନ୍ଦଙ୍କୁ ଏନ୍‌କାଉଣ୍ଟର କରିବାପାଇଁ ଷଡ଼ଯନ୍ତ୍ର ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି । ଲୋକମାନଙ୍କ ପକ୍ଷରୁ ଚର୍ଚ୍ଚା ହେଉଥିବା କଥା ଯେପରି ସତ ନ ହେଉ । ଗୋବିନ୍ଦଙ୍କୁ ଏନ୍‌କାଉଣ୍ଟର କରି ରହସ୍ୟକୁ ଲୁଚା ନଯାଉ!

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons