ଜଗତସିଂହପୁର ରାମଚନ୍ଦ୍ର ସାହୁ ହତ୍ୟାକାଣ୍ଡ:ମହିଳାଙ୍କ ସମେତ ୩ ଗିରଫ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୁ(୩୩)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଆଜି ଭୋର୍ରୁ ମାଛଗାଁ କେନାଲ୍ରୁ ରାମଚନ୍ଦ୍ରଙ୍କ ଗଣ୍ଡି ମିଳିଥିବା ବେଳେ ମୁଣ୍ଡର ସନ୍ଧାନ ମିଳି ନାହିଁ । ତେବେ ଅପରାହ୍ନ ପରେ ଶରୀରର ଗୋଟିଏ ହାତ ସ୍ଥାନୀୟ କାଳିଆବୋରା ପାଖରେ କେନାଲ୍ରେ ଭାସୁଥିବା ଲକ୍ଷ୍ୟ କରାଯାଇଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏବେ ସୁଦ୍ଧା ଜଣେ ମହିଳାଙ୍କୁ ମିଶାଇ ତିନି ଜଣଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁର ପୌରାଞ୍ଚଳ ମାର୍କଣ୍ଡପୁର ବଡ଼ବାଗ ଗ୍ରାମ(ଅମରପୁର)ର କେଶବ ବେହେରା(୪୬), ତାଙ୍କ ପତ୍ନୀ ରୀନା ବେହେରା(୩୩) ଓ ଏହି ଗ୍ରାମର ସେଣ୍ଟ୍ରିଂ ମିସ୍ତ୍ରୀ ପର୍ଶୁରାମ ବେହେରା(୨୮) ଓରଫ ପର୍ଶୁଆ ଓରଫ ପ୍ରଶାନ୍ତ ।
ସକାଳୁ ସକାଳୁ ଲୋକାରଣ୍ୟ ହୋଇପଡ଼ିଥିଲା ବଡ଼ବାଗ ଗଡ଼ା ତଥା ମା’ ରାଢିଆଣିଙ୍କ ମନ୍ଦିର ସମ୍ମୁଖ ଅଞ୍ଚଳ । କାରଣ ମନ୍ଦିରଠାରୁ ଅଳ୍ପ ହାତ ଦୂରରେ ହିଁ ରାମଚନ୍ଦ୍ରଙ୍କ ଶରୀରର ଗଣ୍ଡି ଠାବ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ବାଧ୍ୟ ହୋଇ ପୁଲିସ ମାଛଗାଁ କେନାଲ୍ ବନ୍ଧର ଉଭୟ ପଟ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରି ଦେଇଥିଲା । ଜବତ ଗଣ୍ଡିରେ ରଶି ସହ ଏକ ଲୁଗା ରହିଥିଲା । ଜରି ଅଖାରେ ଶରୀରର ଗଣ୍ଡିକୁ ଭର୍ତ୍ତି କରି ଫିଙ୍ଗା ଯାଇଥିଲେ ସୁଦ୍ଧା ଏହା ପଦାକୁ ବାହାରି ଆସିଥିଲା । ଗତ ୧୭ ତାରିଖ ରବିବାର ରାତିରୁ ରାମଚନ୍ଦ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇ ଥିବାରୁ ଗଣ୍ଡିଟି ପଚି ଦୁର୍ଗନ୍ଧ ଖେଳାଉଥିଲା । ତଥାପି ପୁଲିିସ ଟିମ୍ ଗଳିତ ଗଣ୍ଡିକୁ କେନାଲ୍ରୁ ବାହାର କରି କଟକ ଏଫ୍ଏମ୍ଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶ କେନାଲ୍ରୁ ଖୋଜିବା ନିମନ୍ତେ ପୁଲିସ ଓଡ଼୍ରାଫ୍ ଟିମ୍ର ସାହାଯ୍ୟ ନେଇଛନ୍ତି । ଏତଦ୍ଭିନ୍ନ କେନାଲ୍ରେ ପ୍ରବାହିତ ପାଣିର ମାତ୍ରା କମାଇବାକୁ ଜଳସେଚନ ବିଭାଗକୁ ଚିଠି ଲେଖିଛନ୍ତି । ଅନ୍ୟପଟେ ପାଣିର ସ୍ରୋତ କିଛି ପରିମାଣରେ କମିଥିବା ଲକ୍ଷ୍ୟ କରାଯାଇଛି । ଫଳରେ ପୁଲିସ ଟିମ୍ ବଡ଼ବାଗ ଗଡ଼ାର କେଇ ହାତ ଦୂରରୁ ମୃତ ରାମଚନ୍ଦ୍ରଙ୍କ ବାଇକ୍କୁ ଠାବ କରିଛି । ହତ୍ୟାକାରୀମାନେ ବାଇକ୍କୁ ମଧ୍ୟ କେନାଲ୍ ଭିତରକୁ ଠେଲି ଦେଇଥିବା ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons