୨ କୋଟିର ବ୍ରାଉନସୁଗର ଜବତ, ଭାଇଭଉଣୀ ଗିରଫ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ଧଳା ଜହର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଶୁକ୍ରବାର ସକାଳେ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳର ଜଣେ ବେପାରୀଙ୍କ ଘରେ ଚଢ଼ଉ କରି ଆନୁମାନିକ ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଥିଲେ । ଏଥିସହିତ ଏଥିରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଦୁହେଁ ହେଲେ ବସ୍ତା ବ୍ଲକ ପତ୍ରଝଡ଼ା ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ସେକ୍ ସଲ୍ଲାଉଦ୍ଧିନଙ୍କ ପୁଅ ଆଶାଦୁଲ କାଦ୍ରୀ(୩୪) ଓ ଝିଅ ନୁରଜାହାନ ବିବି(୪୦) । ଏମାନଙ୍କଠାରୁ ପୁଲିସ ୨ କିଗ୍ରା ୧୦୦ ଗ୍ରାମ ବ୍ରାଉନସୁଗର ଓ ନଗଦ ଲକ୍ଷେ ୭୫ ହଜାର ଟଙ୍କା ଜବତ କରିଥିଲା । ମାତ୍ର ଏମାନଙ୍କୁ ଗିରଫ କରିବା ପରେ ସମ୍ପର୍କୀୟମାନେ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏହାର ସୁଯୋଗ ନେଇ ଅନ୍ୟ ଜଣେ ଗିରଫ ଅଭିଯୁକ୍ତ ଚମ୍ପଟ ମାରିଥିଲା । ଏଥିରେ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ, ବସ୍ତା ବ୍ଲକ୍ ବିଦ୍ୟାଧରପୁର ଗ୍ରାମରେ ବ୍ରାଉନସୁଗର କାରବାର ହେଉଥିବା ଖବର ବିଭାଗୀୟ କମିସନର ଆଶିଷ କୁମାର ସିଂଙ୍କୁ ମିଳିଥିଲା । ତାଙ୍କ ନିଦେ୍ର୍ଧଶକ୍ରମେ ବାଲେଶ୍ୱର ଆଇଜି ହିମାଂଶୁ ଲାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଅଧୀକ୍ଷକ ଦେବାଶିଷ ପଟେଲ, ଡେପୁଟି କମିସନର ଅଶୋକ କୁମାର ଶତପଥୀ, ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି, ଜଳେଶ୍ୱର ଅବକାରୀ ଥାନା ଓଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏକ ୩୫ ଜଣିଆ ଟିମ୍ ୪ଟି ଗାଡ଼ି ଯୋଗେ ଆଜି ସକାଳେ ବିଦ୍ୟାଧରପୁର ଗ୍ରାମରେ ପହଞ୍ଚି ସେକ୍ ସଲ୍ଲାଉଦ୍ଧିନଙ୍କ ଘରେ ଚଢ଼ଉ କରିଥିଲେ । ଗୁରୁବାର ତାଙ୍କ ଘରେ ଏକ ଘରୋଇ ଉତ୍ସବ ଥିବା ବେଳେ ବନ୍ଧୁବାନ୍ଧବମାନେ ରହିଥିଲେ । ସଂପୃକ୍ତ ଟିମ୍ ସକାଳେ ତାଙ୍କ ଘରେ ଯାଞ୍ଚ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଥିଲା । ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିଲା । ଏତିକିବେଳେ ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ପୁଲିସକୁ ଅତର୍କିତ ଆକ୍ରମଣ କରିବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ । ଫଳରେ ଫ୍ଲାଇଂ ସ୍କ୍ୱାଡ୍ର ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ଜଣେ ଅଭିଯୁକ୍ତଙ୍କୁ ପୁଲିସ କବଳରୁ ସେମାନେ ଛଡ଼ାଇ ନେଇଥିଲେ । ଗିରଫ ଭାଇଭଉଣୀ ଆଶାଦୁଲ କାଦ୍ରୀ ଓ ନୁରଜାହାନ ବିବିକୁ ପୁଲିସ ବସ୍ତା ଥାନାକୁ ଆଣିଥିଲା ।
ଗିରଫ ନୁରଜାହାନ ବିବିର ଶାଶୂ ଘର ଜଳେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ସେଠାରେ ସେ ବ୍ରାଉନସୁଗର ବେପାର କରୁଥିଲା । ଜଳେଶ୍ୱରରେ ଏସ୍ଟିଏଫ୍, ପୁଲିସ ଓ ଅବକାରୀ ବିଭାଗର ଘନ ଘନ ଚଢ଼ଉ ଯୋଗୁଁ ସେ ପୁଲିସର ସ୍କାନରକୁ ଆସିଯାଇଥିଳା । ଫଳରେ ସେ ବାପଘର ବିଦ୍ୟାଧରପୁରକୁ ଆସି ବେପାର ସୁରୁଖୁରୁରେ ଚଳାଇ ଆସୁଥିଲା ବୋଲି ଅବକାରୀ ବିଭାଗ ସୂତ୍ରରୁ ଖବର ମିଳିଛି ।
ଏହି ଚଢ଼ଉରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ନିଶା କାରବାର ସମ୍ପର୍କରେ ବସ୍ତା ପୁଲିସ ଓ ବସ୍ତା ଅବକାରୀ ଥାନା ଜାଣି ପାରି ନଥିବା ବେଳେ ଆଜିର ଏହି ଚଢ଼ଉରେ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲ୍, ବସ୍ତା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ଓ ବସ୍ତା ଅବକାରୀ ଓଆଇସି କୁଳମଣି ମହାରଣା ସାମିଲ ନଥିବା ନଜରକୁ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons