ସ୍ୱର୍ଗଦ୍ୱାର ପ୍ରଶାସନିକ କୋଠା :ନିର୍ମାଣ ବିଳମ୍ବ,ଜିଲ୍ଲାପାଳ ବିମୁଖ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପରିକଳ୍ପନାରେ ଜନସେବାକୁ ଗୁରୁତ୍ୱ ଦିଆଯାଇଛି । ଏହି ସେବା ପ୍ରଦାନ ନିମନ୍ତେ ଏକ ପ୍ରଶାସନିକ କୋଠା ନିର୍ମାଣ ଚାଲିଛି । କୋଠା ନିର୍ମାଣରେ କିନ୍ତୁ ବିଳମ୍ବ ହେଉଛି । ଠିକାଦାର ପରିବର୍ତ୍ତନ ଓ କୋଭିଡ୍ ସଂକ୍ରମଣ ପ୍ରତିବନ୍ଧକ ଥିବା ସଫେଇ ଦିଆଯାଉଛି । ତେବେ ଏହି ସଫେଇକୁ ଜିଲ୍ଲା ପ୍ରଶାସନ ସହଜେ ଗ୍ରହଣ କରି ପାରୁନାହିଁ । ସ୍ୱର୍ଗଦ୍ୱାର ପ୍ରଶାସନିକ କୋଠା ନିର୍ମାଣ ଅଗ୍ରଗତି ସମୀକ୍ଷା କରିବାକୁ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱର୍ଗଦ୍ୱାର ପରିଦର୍ଶନ କରିଥିଲେ । ବିଳମ୍ବ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶୀଘ୍ର ଏହି କୋଠାର ନିର୍ମାଣ ଶେଷ କରିବାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ତାଗିଦା କରିଥବାର ଖବର ମିଳିଛି ।
୫କୋଟି ବ୍ୟୟ ଅଟକଳର ଏହି ପରିକଳ୍ପନାରେ ଶବ ସଂସ୍କାର ପିଣ୍ଡି ନିର୍ମାଣ ସରିଛି । ମୋଟ ୨୮ଟି ପିଣ୍ଡିରେ ଶବ ସଂସ୍କାର କରାଯାଉଛି । ଶବ ସଂସ୍କାରରେ ମୋଟ ୪୫ ଜଣ ସଂସ୍କାରକ ତିନି ଦଫାରେ ସେବା ଯୋଗାଉଛନ୍ତି । ସେହିଭଳି ଚାରି ଜଣ ବ୍ରାହ୍ମଣ ପଥ ଶ୍ରାଦ୍ଧ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏବେ ସ୍ୱର୍ଗଦ୍ୱାରରେ ହାରାହାରି ୫୫ ଶବ ସଂସ୍କାର ହେଉଛି । ହରିଶ୍ଚନ୍ଦ୍ର ଯୋଜନାରେ ଅସ୍ଥାୟୀ ସେବା କେନ୍ଦ୍ରରୁ ସିଙ୍ଗଲ ୱିଣ୍ଡୋ ସେବା ଲୋକମାନେ ପାଉଛନ୍ତି ।
ସୂଚନା ମୁତାବକ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହେଉଥିବା ହିତାଧିକାରୀଙ୍କୁ ଶବ ଦାହ କାଠ ପାଇଁ ୧୨୭୫ ଟଙ୍କା, ବ୍ରାହ୍ମଣ ସେବା ପାଇଁ ୪୫୦, ପ୍ରତି ଶବ ପିଛା ସଂସ୍କାରକଙ୍କୁ ମିଳୁଛି ୬୫୦,ଶବଦାହର ଅନୁଷଙ୍ଗିକ ଖର୍ଚ୍ଚ ୨୨୮ ଟଙ୍କା ମିଳୁଛି । ଏହାବ୍ୟତୀତ ସ୍ୱର୍ଗଦ୍ୱାର ବିକାଶ ନିମନ୍ତେ ପ୍ରତି ହିତାଧିକାରୀଙ୍କଠାରୁ ହରିଶ୍ଚନ୍ଦ୍ର ଯୋଜନା ଅନୁଦାନରୁ ୩୫୦ ଟଙ୍କା ଆଦାୟ ହେଉଛି ।
ଜଣେ ହିତାଧିକାରୀ ଏହି ସବୁ ସେବା ‘ସିଙ୍ଗଲ ୱିଣ୍ଡୋ’ବ୍ୟବସ୍ଥାରୁ ପାଇବେ । ଏବେ କାମଚଳା ସେଣ୍ଟରୁ ଏହି ସବୁ ସେବା ହିତାଧିକାରୀ ପାଉଛନ୍ତି । ସ୍ୱର୍ଗଦ୍ୱାର ପ୍ରଶାସନିକ କୋଠାରେ ଏହି ସବୁ ସେବା ହିତାଧିକାରୀଙ୍କୁ ଦେବାକୁ ପ୍ରରିକଳ୍ପନାର ଲକ୍ଷ୍ୟ ରହିଛି । ତେଣୁ ଏହି କୋଠା ନିର୍ମାଣ ଜରୁରି ଥିବାର ପ୍ରଶାସନିକ ଅଧିକାରୀମାନେ ମତ ଦେଇଛନ୍ତି ।
ଏହି କୋଠା ନିର୍ମାଣ ଶେଷ ତାରିଖ ତିନି ଥର ଘୁଞ୍ଚି ଯାଉଥିବାରୁ ଗୋଟିଏ ସ୍ଥାନରୁ ଲୋକମାନେ ଶବ ସଂସ୍କାରର ଯାବତୀୟ ସେବା ପାଇବାରେ ଅସୁବିଧା ହେଉଛି । ତା ବ୍ୟତୀତ ଶବ ସହ ସ୍ୱର୍ଗଦ୍ୱାର ଆସୁଥିବା ସମ୍ପର୍କୀୟ, ପରିଜନଙ୍କ ପାଇଁ ମଧ୍ୟ ଏହି କୋଠାରେ ଗାଧୁଆ ଘର,ଶୌଚାଳୟ, ବିଶ୍ରାମ କକ୍ଷ, ବସିବାକୁ ସ୍ଥାନ, ଶବ ସଂରକ୍ଷଣ ଗୃହ ଆଦି ସେବା ଏହି କୋଠାରୁ ମିଳିବାର ବ୍ୟବସ୍ଥା ରହିବ । ସମ୍ପ୍ରତି ସ୍ୱର୍ଗଦ୍ୱାରରେ ସୁରକ୍ଷା ବ୍ୟବସ୍ଥା ଉପରେ ମୋଟ ୧୧ଟି ସିସିଟିଭି କ୍ୟାମେରା ନଜର ରଖିଥିବାର ଦେଖା ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons