ହାତ ଛାଡ଼ିଲେ ପ୍ରଦୀପ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସକୁ ଶକ୍ତ ଝଟ୍କା । କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି, ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ପରେ ଆଜି କଂଗ୍ରେସକୁ ବାୟ ବାୟ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନା ନା କହି ଶେଷରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାପତ୍ରକୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ରାହୁଲ ଗାନ୍ଧି, ଓଡ଼ିଶା ଦାୟିତ୍ୱରେ ଥିବା ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଆଗାମୀ ୪ ଦିନ ଭିତରେ ସେ ତାଙ୍କ ରାଜନୈତିକ ଭବିଷ୍ୟତ ସଂପର୍କରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ପ୍ରଦୀପ । ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି, ଆଗାମୀ ଦିନରେ ସେ ବିଜେଡିରେ ହିଁ ସାମିଲ ହୋଇ ଶଙ୍ଖ ଫୁଙ୍କିବେ । ଚନ୍ଦ୍ରଶେଖର ଏବଂ କୈଳାସଙ୍କ ଭଳି ଭୁବନେଶ୍ୱରରେ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବେ ନା ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ଉପସ୍ଥିତିରେ-ସେଥିରୁ ସ୍ପଷ୍ଟ ହେବ ତାଙ୍କୁ ବିଜେଡିରେ କେତେ ଗୁରୁତ୍ୱ ଦିଆଯିବ ।
ଇସ୍ତଫାପତ୍ରରେ ପ୍ରଦୀପ ଉଲ୍ଲେଖ କରିଛନ୍ତି, ଅତ୍ୟନ୍ତ ଦୁଃଖର ସହ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ପ୍ରବଳ ଆଗ୍ରହ ସହ ଦଳରେ ଯୋଗ ଦେଇଥିଲେ । ଦଳ ମଧ୍ୟ ତାଙ୍କୁ ଅଧିକ ଗୁରୁତ୍ୱ ଦେଇଥିଲା । ବଡ଼ ପଦବୀ ସହିତ ଲୋକଙ୍କ ସ୍ନେହ ମମତା ପାଇଥିଲେ । କିନ୍ତୁ ଦଳବିରୋଧୀ ନେତାଙ୍କ ଲାଗି କଂଗ୍ରେସ ରସା ତଳକୁ ଖସିଯାଉଛି । ଦଳକୁ ସୁଦୃଢ କରିବାକୁ ହେଲେ ବହୁତ ଲମ୍ବା ସମୟ ଲାଗିବ । ଏଭଳି ସ୍ଥିତିରେ କଂଗ୍ରେସରେ ରହି ଜନସେବା କରିବା ଅସମ୍ଭବ । ତେଣୁ ଦଳ ଛାଡିବାକୁ ବାଧ୍ୟ ହେଲେ ।
ଆଗରୁ ବହୁବାର ଚର୍ଚ୍ଚା ହୋଇଥିଲା ଯେ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ । ଯାହାକୁ ସେ ଖଣ୍ଡନ କରିଆସୁଥିଲେ । ଶେଷରେ ଆଶଙ୍କା ସତ ହୋଇଛି । ଆଗାମୀ ଦିନରେ ବିଜେଡିରେ ଯୋଗଦେବା ଲାଗି ପଥ ପରିସ୍କାର ହୋଇଥିବା କୁହାଯାଉଛି । ତାଙ୍କର ଅନେକ ଘନିÂ ସମର୍ଥକ ଏବଂ କର୍ମୀ ମଧ୍ୟ ତାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସରୁ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଯାହା ରାଜ୍ୟ କଂଗ୍ରେସ ପାଇଁ ଶକ୍ତ ଝଟ୍କା । ସୂଚନାଥାଉକି, ପ୍ରଦୀପଙ୍କ ବାପା ଭଗବାନ ମାଝୀ ନିଜ ରାଜନୈତିକ ଜୀବନ ବିଜୁବାବୁଙ୍କ ପାଖରୁ ଆରମ୍ଭ କରିଥିଲେ । ୧୯୯୪ରେ ବିଜୁବାବୁ ଜନତା ଦଳରୁ ଭଗବାନଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ରାଜନୀତି ସମୀକରଣ ବଦଳିଥିଲା । କଂଗ୍ରେସରେ ସାମିଲ ହୋଇଥିଲେ ଭଗବାନ । ପ୍ରଦୀପ କିନ୍ତୁ ତାଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରିଥିଲେ । ସଫଳତା ବି ପାଇଥିଲେ । ଝରିଗାଁ ବ୍ଲକ ଡଙ୍ଗରୀଗୁଡାରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ ପ୍ରସଙ୍ଗକୁ ରାଜ୍ୟ ଓ ଜାତୀୟସ୍ତରକୁ ନେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ । ପରେ ଦୁଇଥର ନିର୍ବାଚନ ହାରିଥିଲେ । ଜଙ୍ଗଲ ଜମି, ଖଣି ଓ ପାଇଖାନା ଦୁର୍ନୀତି, କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ଶାସକ ବିଜେଡିକୁ ଘାଇଲା କରିଥିଲେ । ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ନିଜ ଦବ୍ଦବା ଜାହିର କରିବାରେ ସଫଳ ହୋଇଥିଲେ । ତାଙ୍କ ଇସ୍ତଫା କଂଗ୍ରେସ ପାଇଁ ଶକ୍ତ ଝଟକା ହୋଇଛି । ଆଗାମୀ ଦିନରେ ପ୍ରଦୀପ ନିଜ ସମର୍ଥକମାନଙ୍କୁ ନେଇ ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚା ଜୋର୍ ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons