ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ବାରିପଦା,(ବି.ବି.ବୁ୍ୟରୋ): ପ୍ରତିଟି ଜୀବନ ଅତ୍ୟନ୍ତ ମୂଲ୍ୟବାନ । ସାଧାରଣ ଚାଷୀ ହେଉ କି ଦିନ ମଜୁରିଆ ସମସ୍ତଙ୍କ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଏବେ ବି ଅନେକ ପରିବାରରେ କେହି ରୋଗଗ୍ରସ୍ତ ହୋଇପଡ଼ିଲେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଜମିବାଡ଼ି ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି । ଏଥିପାଇଁ କେହି କେହି ପିଲାଙ୍କ ପାଠପଢ଼ା ମଧ୍ୟ ବନ୍ଦ କରିଦିଅନ୍ତି । ମାତ୍ର ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦ୍ୱାରା ହିତାଧିକାରୀ ଯେକୌଣସି ରୋଗ ସମସ୍ୟାରେ ପଡ଼ିଲେ ସେଥିରୁ ମୁକ୍ତି ପାଇପାରିବେ । ଏହି ସ୍ମାର୍ଟ ହେଲ୍ଥ କାର୍ଡ ଦ୍ୱାରା ଦେଶର ୨ ଶହ ବଡ଼ ବଡ଼ ହସ୍ପିଟାଲ୍ରେ ଚିକିତ୍ସା ସୁବିଧା ମିିଳିପାରିବ । ଏଥିପାଇଁ ହିତାଧିକାରୀଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଥିସହ ମୟୂରଭଞ୍ଜବାସୀ ବିଶେଷ କରି ସାନ୍ତାଳ ଜନଜାତିଙ୍କ ପ୍ରତି ତାଙ୍କର ବିଶେଷ ଦରଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗତ ସେପ୍ଟେମ୍ବରରୁ ଓଡ଼ିଶା ସ୍ୱାସ୍ଥ୍ୟସେବା ଇତିହାସରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ ହୋଇଛି । ଏହା ହିତାଧିକାରୀଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିବା ସହ ବିପଦ ସମୟରେ ବନ୍ଧୁ ଭାବରେ କାର୍ଯ୍ୟ କରିବ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ହେଲିକପ୍ଟରରେ ବାରିପଦା ଛଉ ପଡ଼ିଆରେ ପ୍ରସ୍ତୁତ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସେଠାରୁ କାର୍ ଯୋଗେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଏବଂ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ କୃତି ଓ କୀର୍ତ୍ତିକୁ ସ୍ମରଣ କରିବା ସହ ଓଡ଼ିଶାର ବିକାଶରେ ଏହି ଦୁଇ ମହାରାଜାଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଥିବା କହିଥିଲେ । ଏହାଛଡ଼ା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଠାରୁ ଆରମ୍ଭ କରି ମୟୂରଭଞ୍ଜ ମାଟିରେ ଜନ୍ମିତ ଅନେକ ମହାପୁରୁଷଙ୍କ ସ୍ମୃତିଚାରଣ କରିଥିଲେ । ଏଥିସହିତ ମୟୂରଭଞ୍ଜର କଳା, ସାହିତ୍ୟ, ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ । ଛଉ ଓ ଝୁମର ନୃତ୍ୟର ପ୍ରସିଦ୍ଧି ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ । ମୟୂରଭଞ୍ଜର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ସରକାର ବଦ୍ଧ ପରିକର ଏବଂ ଏଥିପାଇଁ ମିଶନ ମୋଡରେ କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ୍ ମାଧ୍ୟମରେ ୪୦୫ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ୧୩୪ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ମୋଟ ୨୩ ଶହ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିିପ୍ରସ୍ତର ସ୍ଥାପନ କରାଯାଇଛି । ଅନ୍ୟପଟେ ଗତ ଜୁଲାଇ ମାସରେ ସୁବର୍ଣ୍ଣରେଖା ପ୍ରକଳ୍ପରୁ ପାଣି ଛଡ଼ା ଯାଇଥିବା ବେଳେ ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ମୟୂରଭଞ୍ଜର ସବୁ ପରିବାରକୁ ପାଇପ୍ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ୍ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବା କହିଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ବୁଲିବାକୁ ଥିବା ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଚାର ରଥକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons