ମମିତା ମେହେର ହତ୍ୟା ଘଟଣା: ରହସ୍ୟ ହଟିନି

Get real time updates directly on you device, subscribe now.

ବଲାଙ୍ଗିର, (ବି.ବି.ବୁ୍ୟରୋ): ରହସ୍ୟ ହଟିନି । ଆହୁରି ଅନେକ କଥା ରହିଛି । ଯେଉଁକଥାର ଖିଅ ପୁଲିସକୁ ଅଡ଼ୁଆରେ ପକାଇଛି । କେବଳ ଗୋବିନ୍ଦ-ମମିତା ପାଖରେ କଥା ଛିଣ୍ଡି ଯାଉନି । ସମଗ୍ର ଘଟଣାର ପୃÂଭୂମିରେ ଆହୁରି ଅନେକ ଚରିତ୍ର ରହିଥିବା ପୁଲିସ ଆଶଙ୍କା କରୁଛି । ସମ୍ଭବତଃ ପୁଲିସକୁ ଏହାର ଆଭାସ ବି ମିଳି ସାରିଛି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ କାଳରେ ଗୋବିନ୍ଦ ଯାହା ସବୁ ପୁଲିସ ଆଗରେ ବଖାଣିଛି ତାହାଠୁ ଢେ଼ର ଅଧିକ ତା’ର ଅପରାଧର ସାମ୍ରାଜ୍ୟ । କିନ୍ତୁ ଗୁଡେ଼ଇତୁଡେ଼ଇ ପଚାରିବା ସତ୍ତେ୍ୱ ଗୋବିନ୍ଦ ଗୁମ୍ ମାରିଦେଇଛି । ସେଥିପାଇଁ ଏବେ ଗୋବିନ୍ଦକୁ ସାମୟିକ ବିରତି ଦେଇ ପୁଲିସ ଭିନ୍ନ ଦିଗରେ କଥା ବାହାର କରିବାର କୌଶଳ ଅବଲମ୍ବନ କରିଛି । ରିମାଣ୍ଡ ଅବଧିର ତୃତୀୟ ଦିନସୁଦ୍ଧା ଏହି ଘଟଣାର ପ୍ରାୟ ୬୨ଟି ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବା ପାଇଁ ପୁଲିସ ପ୍ରସ୍ତୁତ ହୋଇସାରିଛି । ପୁଲିସ ଯେକୌଣସି ମୁହୂର୍ତ୍ତରେ ବି ଗୋବିନ୍ଦକୁ ଅଦାଲତରେ ହାଜର କରିଦେଇପାରେ ବୋଲି ଜଣାପଡ଼ିଛି ।
ଅପରପକ୍ଷେ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରାଧେ ଓରଫ ରାଧେଶ୍ୟାମ ଚଣ୍ଡୀ ଘରୁ ମିଳିଥିବା ବ୍ୟାଗ ପୁଲିସର ନିଦ ହଜାଇଦେଇଛି । ଉକ୍ତ ବ୍ୟାଗ୍ରୁ ଉଦ୍ଧାର ହୋଇଥିବା ମୋବାଇଲ ମମିତାଙ୍କର ନୁହଁ ବୋଲି ଗତକାଲି ତାଙ୍କ ପରିବାର ପକ୍ଷରୁ ମନା କରିଦିଆଯାଇଥିଲା । ଫଳରେ ବ୍ୟାଗ୍ର ଅନ୍ୟାନ୍ୟ ସାମାଗ୍ରୀ ଚିହ୍ନଟ ପାଇଁ ଆଜି ମୃତ ମମିତାଙ୍କ ବାପା, ମାଁଙ୍କୁ ବଲାଙ୍ଗିିର ପୁଲିସ ମୁଖ୍ୟାଳୟକୁ ଡକାଯାଇଥିଲା । ସ୍ଥାନୀୟ ରିଜର୍ଭ ବାରାକ୍ରେ ପହଞ୍ଚିବା ପରେ ସେମାନଙ୍କୁ ବ୍ୟାଗ ଓ ତା’ ଭିତରେ ଥିବା ଉପକରଣ ଗୁଡ଼ିକୁ ଦେଖାଯାଇଥିଲା । ମାତ୍ର ସେସବୁ ମଧ୍ୟରୁ କିଛିବି ସେମାନଙ୍କର ନୁହେଁ ବୋଲି କହିଥିଲେ । ମମିତାଙ୍କ ପରିବାର ମନା କରିବା ପରେ ତଦନ୍ତର ଦିଗ ପୁଣି ମହାଲିଙ୍ଗକୁ ମୁହାଁଇଛି । ବ୍ୟାଗକୁ ନେଇ ପୁଲିସ ତନାଘନା ଆରମ୍ଭ କରିଦେଇଛି । ଉକ୍ତ ବ୍ୟାଗଟି ମମିତାଙ୍କ ଜଣେ ପୁରୁଣା ସହପାଠୀ ତଥା ବର୍ତ୍ତମାନର ସହକର୍ମୀ ଶିକ୍ଷୟିତ୍ରୀଙ୍କର ବୋଲି ଜାଣିବାକୁ ମିଳିଛି । ସୂଚନା ଅନୁସାରେ, ଉକ୍ତ ଶିକ୍ଷୟିତ୍ରୀ ଜଣକ ଗୋବିନ୍ଦ ସହିତ ଅତି ଘନିÂ ଥିଲେ ଏବଂ ସେମାନଙ୍କର କେତେକ ଆପତ୍ତିଜନକ ଫଟୋ/ଭିଡ଼ିଓ ମମିତାଙ୍କ ପାଖରେ ରହିଥିଲା । ଯେଉଁ କାରଣରୁ ସେହି ଶିକ୍ଷୟିତ୍ରୀ ସମୟ ସମୟରେ ମମିତାଙ୍କ ଦୋଷ ଦୁର୍ବଳତାକୁ ନେଇ ଗୋବିନ୍ଦର କାନ ଭରୁଥିଲେ । ପ୍ରକାରାନ୍ତରେ ମମିତା ବଦଳରେ ସେ ନିଜେ ଅଧ୍ୟକ୍ଷା ହେବା ପାଇଁ ବି ଛକାପଞ୍ଝା ଚଳାଇଥିଲେ । ଏଠାରେ ପ୍ରଶ୍ନ ଉଠେ, ତାଙ୍କ ସାମଗ୍ରୀ ରାଧେଙ୍କ ଘରୁ କେମିତି ଓ କେଉଁ ପରିସ୍ଥିତିରେ ବାହାରିଲା? ହତ୍ୟାକାଣ୍ଡ ଦିନ ରାଧେ ଓ ସମ୍ପୃକ୍ତ ମହିଳା ଶିକ୍ଷୟିତ୍ରୀ ବି ଉପସ୍ଥିତ ଥିଲେ କି? ତାଙ୍କ ଭଳି ଆଉ କାହାକାହା ସହିତ ଗୋବିନ୍ଦର ଅବୈଧ ସମ୍ପର୍କ ରହିଥିଲା? ଏନେଇ କୌଣସି ଥାନାରେ କିଛି ଅଭିଯୋଗ ରହିଛି କି? ସେଦିଗରେ ପୁଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡିଛି । ଅପରପକ୍ଷେ, ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଗୋଟିଏ ପାଉଁଜି ଏବଂ ଚେନକୁ ପରିବାରବର୍ଗ ଚିହ୍ନିବାରୁ ତାହା ସେମାନଙ୍କୁ ହସ୍ତାନ୍ତର କରିଦିଆଯାଇଛି ।
ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ସମେତ ଏକ ୪ ଜଣିଆ ଟିମ୍ ମୃତ ମମିତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କ ସହ ଆଲୋଚନା କରିଛନ୍ତି । ମମିତାଙ୍କ ଶିକ୍ଷା ତଥା ଅନ୍ୟାନ୍ୟ ଘଟଣା ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ । ଆଲୋଚନା ପରେ କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଥିଲେ, ଏନେଇ ତଦନ୍ତ ଆରମ୍ଭ ହୋଇ ସାରିଛି । ଅଭିଯୁକ୍ତ କିଭଳି କଠୋର ଦଣ୍ଡ ପାଇବ ସେଥିପାଇଁ ପୁଲିସ ତା’ କାମ କରୁଥିବା ବେଳେ କମିଶନ ମଧ୍ୟ ନଜର ରଖିଛି । ପରେ କମିସନର ସଦସ୍ୟମାନେ ବଲାଙ୍ଗିରରୁ ବାହାରି ମହାଲିଙ୍ଗ ଅଭିମୁଖେ ଯାଇଥିଲେ । ସେଠାରେ ପହଞ୍ଚି ମମିତାଙ୍କୁ ପୋଡ଼ି ପୋତି ଦିଆଯାଇଥିବା ଷ୍ଟାଡିଅମ ପରିସର ବୁଲି ଦେଖିଥିଲେ । ପରେ ମହାଲିଙ୍ଗ କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କିନ୍ତୁ ସେଠାରେ ତାଲା ପଡ଼ିଥିବାରୁ ଭିତରକୁ ନଯାଇ ଫେରିଆସିଥିଲେ । ଭବାନୀପାଟଣା ସର୍କିଟ ହାଉସଠାରେ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଏସ୍ପି ଶ୍ରବଣ ବିବେକ ଏମ୍, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡିଇଓ ସୁଶାନ୍ତ ଚୋପଦାର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମହାଲିଙ୍ଗ କଲେଜରେ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଯେମିତି ବାଧାପ୍ରାପ୍ତ ନହେବ ଓ ସେମାନଙ୍କ ଥଇଥାନକରି ଅନ୍ୟ କଲେଜରେ କିଭଳି ନାମଲେଖା ହେବ ସେଥିପାଇଁ ପ୍ରଶାସନ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons