ତରବୋଡ଼,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲାରେ ଥମୁନି ଦାଦନ ଦୁଃଖ । ପେଟ ପାଇଁ ରାଜ୍ୟ ବାହାରକୁ ଯାଇ ଆଜି ପୁଣି ଜଣେ ଦାଦନର ମୃତ୍ୟୁ ହୋଇଛି । ମୃତ ଦାଦନ ଶ୍ରମିକ ଜଣକ ହେଲେ କୋମନା ବ୍ଲକ ବରପଦର ଗାଁର ସୁନାଧର ଶବର (୫୦) । ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିବାବେଳେ ଅତି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଡ଼ମ୍ବନାର ବିଷୟ ଅର୍ଥାଭାବରୁ ଦାଦନଙ୍କ ଶବ ଜନ୍ମମାଟିକୁ ମଧ୍ୟ ଫେରି ପାରି ନଥିଲା ।
ସୂଚନାମତେ, ଜମିବାଡ଼ିହୀନ ସୁନାଧର ପରିବାର ପେଟକୁ ଦାନା ଗଣ୍ଡେ ପାଇଁ ଦାଦନ ଖଟିବାକୁ ଯାଇଥିଲେ । ପରିବାର କହିଲେ ସ୍ତ୍ରୀ ଉର୍ମିଳା(୪୫) ଓ ଝିଅ ଶବିତା (୧୪) । ଝିଅ ଏବେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପୁରା ପରିବାର କୁଲି ମଜୁରୀ କରି ଚଳୁଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ ଜଣେ ଦଲାଲ ଠାରୁ ୫ହଜାର ଟଙ୍କା ଅଗ୍ରୀମ ନେଇ ଗତ ୧୬ ତାରିଖ ଦିନ ପଲସି ପାଣି ଗାଁର କିଛି ଲୋକଙ୍କ ସହ ସେ ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ ବୁଧବାର ଅସୁସ୍ଥ ହୋଇ ପଡ଼ିଥିଲେ । ସାଥୀଶ୍ରମିକମାନେ ସ୍ଥାନୀୟ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ହେଲେ ଗୁରୁବାର ସକାଳୁ ସୁନାଧରଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ନିକଟକୁ ଖବର ଆସିଥିଲା । ସୁନାଧରଙ୍କର ମୃତ୍ୟୁ ପରେ ସ୍ତ୍ରୀ ଓ ଝିଅ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି । ପାଖରେ ଭାଇ, ବନ୍ଧୁ କେହି ନାହାନ୍ତି । ଅର୍ଥାଭାବ ଯୋଗୁଁ ମୃତକଙ୍କ ଶବ ଗାଁକୁ ଆଣିବା ସମ୍ଭବ ହୋଇପାରି ନଥିଲା । ନାବାଳିକା ଝିଅ ଓ ବିଧବା ମହିଳା ଜଣକ ଏବେ ବାହୁନି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ । ପ୍ରଶାସନ ପକ୍ଷରୁ ପରିବାରକୁ ସହାୟତା ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.