ଦନ୍ତାହାତୀର ମୃତଦେହ ଠାବ :ବିଷ ଦେଇ ମାରିଦେଲେ!

Get real time updates directly on you device, subscribe now.

ପାଳଲହଡ଼ା,(ବି.ବି.ନୁ୍ୟଜ): ପାଳଲହଡ଼ା ବନାଞ୍ଚଳରୁ ଶନିବାର ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ପରେ ମାଟିଖୋଳି ମୃତଦେହ ପୋତି ଦିଆଯାଇଥିବା ଜଣାପଡ଼ିଛି । ଶିକାରୀ ଗୁଳି ଅବା ବିଷ ଦେଇ ଦନ୍ତାକୁ ହତ୍ୟା କରାଯାଇଛ. କି ରୋଗରେ ପଡ଼ି ଦନ୍ତାହାତୀ ମୃତୁ୍ୟ ମୁଖରେ ପଡ଼ିଛି ସେ ନେଇ ବନ ବିଭାଗର ଅଧିକାରୀମାନେ ଛାନଭିନ୍ ଚଳାଇଛନ୍ତି ।
ପାଳଲହଡ଼ା ବନାଞ୍ଚଳର ଜମରଡିହ ବିଟ୍ ଯୋଲଣ୍ଡା ସଂରକ୍ଷିତଜଙ୍ଗଲ ଯୋକପାଣି (କୋହ୍ଲସାହି) ନିକଟରୁ ଶନିବାର ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କଠାରୁ ସୂଚନା ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ହାତୀଟି ସ୍ଥାନୀୟ ପେଚାମୁଣ୍ଡି, ସଇଡ଼ା, ବନ୍ଧାଭୂଇଁ ଓ ନଗିରା ପଞ୍ଚାୟତର ଆଖପାଖ ଇଲାକାରେ ଗତ ଏକ ବର୍ଷ ଧରି ବୁଲାବୁଲି କରୁଥିଲା । ନିକଟସ୍ଥ ଜନବସତିରେ ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ନଷ୍ଟ କରୁଥିଲା । ଗୁରୁବାର ରାତିରେ ହାତୀଟି ରୁଗୁଡ଼ିଡ଼ିହ ସଂରକ୍ଷିତ ଜଙ୍ଗଲରୁ ବାହାରି ଜାମୁଡ଼ିହା ଗାଁ’ ନିକଟସ୍ଥ ପାହାଡ଼ ପାଶ୍ୱର୍ରେ ଧାନକ୍ଷେତ ନଷ୍ଟ କରିଥିବା ବେଳେ କେଉଁ ପରିସ୍ଥିତିରେ ତା’ର ମୃତୁ୍ୟ ହେଲା ସେ ନେଇ ନାନା ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଏହି ଇଲାକାରେ ରାଜ୍ୟ ବାହାରର ଶିକାରୀ ଡେରା ପକାଇ ଦାନ୍ତ ପାଇଁ ହାତୀ ଶିକାର କରିଥିବାର ନଜିର ରହିଛି । ତୀରରେ ବିଷ ଦେଇ ହାତୀ ଶରୀରକୁ ନିକ୍ଷେପ କରିଥାନ୍ତି । ବିଷ କ୍ରିୟାରେ ହାତୀ ଟଳିପଡ଼ିଲେ ଦାନ୍ତ ନେଇ ପାର୍ ହୋଇଯାଇଥାନ୍ତି । ତେବେ ଏହି ହାତୀର ଦାନ୍ତ ଠିକ୍ଠାକ ଥିବା ବେଳେ ମୁଣ୍ଡରେ ଏକ କ୍ଷତ ଚିହ୍ନ ରହିଥିବା ବେଳେ ଏହା ବହୁ ପୁରୁଣା ବୋଲି କୁହାଯାଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଷ ଦେଇ ହାତୀକୁ ମାରି ଦିଆଯାଇଥିବାର ବନବିଭାଗ ଅନୁସନ୍ଧାନରୁ ଜଣାପଡ଼ିଛି । ତେବେ ଶିକାରୀ ବିଷ ଦେଇଛନ୍ତି ନା ଫସଲ ନଷ୍ଟ କରିବାରୁ ଲୋକ ବିଷ ଦେଇଛନ୍ତି ବନ ବିଭାଗ ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଦେବଗଡ଼ ଡିଏଫ୍ଓଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons