ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ରେଳବାଇ ସୁରକ୍ଷା ବଳ (ଆର୍ପିଏଫ୍) କର୍ମଚାରୀଙ୍କ ସହାୟତାରେ ଦୁର୍ଘଟଣାର ଶୀକାର ଜଣେ ଟ୍ରେନ୍ ଯାତ୍ରୀ ନିଜ ଜିନିଷପତ୍ର ଭର୍ତ୍ତି ବ୍ୟାଗ୍ ଫେରି ପାଇଛନ୍ତି । ଉକ୍ତ ବ୍ୟାଗ୍ରେ ନଗଦ ୯ ହଜାର ଟଙ୍କା ମଧ୍ୟ ରହିଥିଲା । ଫଳରେ ନିଜ ଟଙ୍କା ଓ ଅନ୍ୟ ଆସବାବପତ୍ର ଫେରି ପାଇ ଦୁର୍ଘଟଣାର ଶୀକାର ଉକ୍ତ ଯୁବକ ଜଣକ ରେଳବାଇ ପୁଲିସକୁ କୃତଜ୍ଞତା ଜଣାଇଛନ୍ତି ।
ବ୍ରହ୍ମପୁର ଆର୍ପିଏଫ୍ ଥାନା ଆଇଆଇସିଙ୍କ ସୂଚନା ମୁତାବକ ବିହାର ରାଜ୍ୟ ହଙ୍ଗେର୍ ଜିଲ୍ଲା ବାସଦେବଲୁର କୋତୱାଲି (ଥାନା) ଅନ୍ତର୍ଗତ ଦୁର୍ଗାସ୍ଥାନ ବାସିନ୍ଦା ଜିତେନ୍ଦ୍ର କୁମାର (୧୯) ଭାଗଲପୁର ଯାତ୍ରା କରୁଥିଲେ । ସେ ସିକନ୍ଦରାବାଦ- ଭାଗଲପୁର ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୭୦୪)ର ସାଧାରଣ ବଗି (ଜେନେରାଲ୍ କ୍ଲାସ୍) ଯୋଗେ ଯାତ୍ରା କରୁଥିଲେ । ତେବେ ଟ୍ରେନ୍ରେ ଯାତ୍ରା ସମୟରେ ସେ ବିଶାଖାପାଟଣା ଠାରେ କୌଣସି ମତେ ରେଳରୁ ଖସି ଗୁରୁତର ହୋଇଇଥିଲେ । ସେଠାରୁ ତାଙ୍କୁ ଆର୍ପିଏଫ୍ ଉଦ୍ଧାର କରି ରେଳବାଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ତାଙ୍କ ଟିକଟରୁ ପରିଚୟ ପାଇଥିଲା ରେଳବାଇ ପୁଲିସ । ତେବେ ମାରିପଲ୍ଲମ୍ ଆର୍ପିଏଫ୍ ପୋଷ୍ଟରୁ ଟଙ୍କା, ପର୍ସ, ଲୁଗାପଟା ଓ ଅନ୍ୟ ବ୍ୟକ୍ତିଗତ ବ୍ୟବହାର ସାମଗ୍ରୀ ଥିବା ତାଙ୍କ ବ୍ୟାଗ୍ ବାବଦରେ ସୂଚନା ମିଳିଥିଲା, ଯାହା ସେ ଖସି ପଡିବା ବେଳେ ଟ୍ରେନ୍ରେ ହିଁ ରହି ଯାଇଥିଲା । ସମ୍ପୃକ୍ତ ଆର୍ପିଏଫ୍ ପୋଷ୍ଟରୁ ସୂଚନା ପାଇ ବ୍ରହ୍ମପୁର ଷ୍ଟେସନ୍ ଠାରେ ରେଳବାଇ ସୁରକ୍ଷା ବଳ ଉକ୍ତ ବ୍ୟାଗ୍ ସମ୍ପୃକ୍ତ ଟ୍ରେନ୍ରୁ ଉଦ୍ଧାର କରିଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଜିତେନ୍ଦ୍ର କୁମାର ବ୍ରହ୍ମପୁର ଆର୍ପିଏଫ୍ ଥାନାରେ ପହଞ୍ଚିଥିଲେ ଓ ସେଠାରୁ ନିଜ ବ୍ୟାଗ୍, ଟଙ୍କା ଫେରି ପାଇଥିଲେ । ନିଜ ଜିନିଷପତ୍ର ସହ ଟଙ୍କା ଫେରି ପାଇଥିବାରୁ ସେ ଆର୍ପିଏଫ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed, but trackbacks and pingbacks are open.