ସିରିଜ୍ ଦୁର୍ଘଟଣା:ଟ୍ରକ୍ ଧକ୍କାରେ ଦୁଇ ମୃତ, ୨ ଗୁରୁତର

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ଉଦଳା-ବାରିପଦା ରାସ୍ତାରେ ଆଜି ଏକ ଟ୍ରକ୍ ସିରିଜ୍ ଦୁର୍ଘଟଣା ଘଟାଇଛି । ଏଥିରେ ୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି । ବାରିପଦା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହ ନିଶାସକ୍ତ ଚାଳକ ନୟାଗଡ଼ ଜିଲ୍ଲାର ପଙ୍କଜ ବରାଳକୁ ଗିରଫ କରିଛି । ଦୁର୍ଘଟଣାରେ ମୃତକମାନେ ହେଲେ ସଦର ଥାନା ଅଞ୍ଚଳର ସୁରେଶ କାଳନ୍ଦୀ ଓ ଭଞ୍ଜ କାଳନ୍ଦୀ ।
ବୁଧବାର ଅପରାହ୍ଣରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍(ଓଡି୦୫ଏୟୁ-୯୧୭୪) ଉଦଳା ପଟୁ ବାରିପଦା ଆଡ଼କୁ ଯାଉଥିବା ବେଳେ ଟିକରପଡ଼ା ଠାରେ ଚାଲି ଚାଲି ଯାଉଥିବା ଟିକରପଡ଼ାର ଦୁଇ ଭଉଣୀ ଝିଲି ସିଂ ଓ ଗାୟତ୍ରୀ ସିଂଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ । ଉଭୟ ଗୁରୁତର ହୋଇଥିଲେ । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟି ସେଠାରୁ ଦ୍ରୁତ ଗତିରେ ବାରିପଦା ଆଡକୁ ପଳାଇ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ପରେ ସନ୍ଧ୍ୟା ପାଖାପାଖି ୫ଟା ସମୟରେ ଉକ୍ତ ଟ୍ରକ୍ ସ୍ଥାନୀୟ ପୋଡ଼ାଅସ୍ତିଆ ପୋଲ ଉପରେ ଏକ ବାଇକ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ଥିବା ସୁରେଶ ଓ ଭଞ୍ଜ ଛିଟିକି ପଡ଼ିଥିଲେ । ଜଣେ ପୋଲବାଡ଼ରେ ପିଟି ହୋଇଥିବା ବେଳେ ଅନ୍ୟ ଜଣେ ପୋଲ ତଳକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ମଧ୍ୟ ଟ୍ରକ୍ଟି ଅଟକି ନଥିଲା । ସେଠାରୁ ମଧ୍ୟ ଚାଳକ ଜଣକ ଟ୍ରକ୍କୁ ଦ୍ରୁତ ଗତିରେ ନେଇ ଖସି ଯାଇଥିଲେ । ଶେଷରେ ବାରିପଦା ମୁଖ୍ୟ ଟ୍ରାଫିକ ଛକ ଠାରେ ଟ୍ରକ୍କୁ ସ୍ଥାନୀୟ ଲୋକେ କାବୁ କରିଥିଲେ । ନିଶାସକ୍ତ ଅବସ୍ଥାରେ ଥିବା ଚାଳକକୁ ଉତ୍ୟକ୍ତ ଲୋକେ ନିର୍ଧୁମ ଛେଚିବା ପରେ ପୁଲିସ ଜିମା ଦେଇଥିଲେ । ଟ୍ରକ୍ ଚାଳକ ପଙ୍କଜ ବରାଳର ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଥିବା ବେଳେ ସେ କଟକ ଟାଙ୍ଗିରୁ ସିମେଣ୍ଟ ନେଇ ଆସିଥିଲା । ସିମେଣ୍ଟ ଖାଲି କରି ସାରିବା ପରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଯାଉଥିଲା ।
ଅନ୍ୟପଟେ ପୋଡ଼ାଅସ୍ତିଆ ନିକଟରେ ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ ।ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons