ଉପନିର୍ବାଚନ ୨୦୨୨:ପଶ୍ଚିମବଙ୍ଗରେ ଟିଏମ୍ସିର ବଡ଼ ବିଜୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ୪ ରାଜ୍ୟରେ ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଶନିବାର ସାମ୍ନାକୁ ଆସିଛି । ଏସବୁ ବିଧାନସଭା ଆସନ ମଧ୍ୟରେ ରହିଛି ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡ଼ର ଖୈରାଗଡ଼, ବିହାରର ବୋଚହାଁ ଓ ମହାରାଷ୍ଟ୍ରର କୋହ୍ଲାପୁର । ସେହିପରି ଲୋକସଭା ଆସନଟି ହେଲା ପଶ୍ଚିମବଙ୍ଗର ଆସାନସୋଲ । ଏହି ଆସନଗୁଡ଼ିକରେ ଗତ ଏପ୍ରିଲ ୧୨ ତାରିଖରେ ମତଦାନ ହୋଇଥିଲା ।
ଉପନିର୍ବାଚନ ଫଳାଫଳ ଅନୁସାରେ ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ଟିଏମ୍ସିର ଶତ୍ରୁହ୍ନ ସିହ୍ନା ବଡ଼ ବିଜୟ ହାସଲ କରିଛନ୍ତି । ସେ ବିଜେପିର ଅଗ୍ନିମିତ୍ରା ପଲ୍ଙ୍କୁ ୩ ଲକ୍ଷ ୩ ହଜାର ୨୦୯ଖଣ୍ଡ ଭୋଟ୍ରେ ହରାଇଛନ୍ତି । ଏହି ଆସନ ଗତବର୍ଷ ବାବୁଲ ସୁପ୍ରିୟୋଙ୍କ ଇସ୍ତଫା ପରେ ଖାଲି ହୋଇଥିଲା । ଶତ୍ରୁଘ୍ନ ୨୦୧୯ରେ ବିଜେପି ସହ ୩୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରେ ଯୋଗଦେଇଥିଲେ । କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସେ ବିହାରର ପାଟନା ସାହିବ ଆସନରୁ ପରାଜିତ ହୋଇଥିଲେ । କିଛଦିନ ତଳେ ସେ ଟିଏମ୍ସିରେ ସାମିଲ ହୋଇଥିଲେ । ଆସନସୋଲରେ ଟିଏମ୍ସିର ବିଜୟ ପରେ ରାଜ୍ୟରେ ବିଜେପିର ଲୋକସଭା ସଦସ୍ୟ ସଂଖ୍ୟା ୧୭କୁ ହ୍ରାସ ପାଇଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୧୮ଟି ଆସନ ପାଇଥିଲା । ଅନ୍ୟପକ୍ଷରେ ଟିଏମ୍ସିର ୨୩କୁ ବୃଦ୍ଧି ପାଇଛି । ସେପଟେ ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିୟୋ ୨୦ ହଜାର ୨୨୮ ଖଣ୍ଡ ଭୋଟ୍ରେ ଜିତିଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଏମ୍ର ସାଇରା ଶାହ ହଲିମଙ୍କୁ ସେ ପରାସ୍ତ କରିଛନ୍ତି । ଏହି ଆସନ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ ପରେ ଖାଲି ପଡିଥିଲା । ତେବେ ଏଠାରେ ବିଜେପି ପ୍ରାର୍ଥୀ କେୟା ଘୋଷ ତୃତୀୟ ସ୍ଥାନରେ ରହିଛନ୍ତି ।
ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ଆସନରୁ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସର ଜୟଶ୍ରୀ ଯାଧବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସତ୍ୟଜିତ୍ କଦମ୍ଙ୍କୁ ୧୯ ହଜାର ୩୦୭ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି । ଗତବର୍ଷ ଡିସେମ୍ବର ମାସରେ କୋଭିଡ୍-୧୯ ଯୋଗୁ କଂଗ୍ରେସ ବିଧାୟକ ଚନ୍ଦ୍ରକାନ୍ତ ଯାଧବଙ୍କ ପରଲୋକ ପରେ ଏହି ଆସନ ଖାଲି ହୋଇଥିଲା । ସେହିପରି ବିହାରର ବୋଚହାଁ ବିଧାନସଭା ଆସନରେ ଆର୍ଜେଡିର ଅମର ପାଶୱାନ୍ ବିଜୟୀ ହୋଇଛନ୍ତି । ସେ ବିଜେପିର ବେବି କୁମାରୀଙ୍କୁ ୩୬,୬୫୩ ଖଣ୍ଡ ଭୋଟରେ ହରାଇଛନ୍ତି । ବିଧାୟକ ମୁସାଫିର ପାଶୱାନ୍ଙ୍କ ନିଧନ ପରେ ଏହି ଆସନ ଖାଲି ହୋଇଥିଲା । ଛତିଶଗଡ଼ର ଖୈରାଗଡ଼ ବିଧାନସଭା ଆସନରୁ କଂଗ୍ରେସର ଯଶୋଦା ବର୍ମା ୨୦ ହଜାର ୧୬୭ ଖଣ୍ଡ ଭୋଟ୍ରେ ଜିତିଛନ୍ତି । ଏହି ଆସନ ଜନତା କଂଗ୍ରେସର ବିଧାୟକ ଦେବବ୍ରତ ସିଂହଙ୍କ ବିୟୋଗ ପରେ ଖାଲି ହୋଇଥିଲା । ତେବେ ଏହି ଉପନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଝଟ୍କା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons