ସୁନାମଣୀଙ୍କ ମୁହଁରେ ସୁନାଫୁଲିଆ ହସ

Get real time updates directly on you device, subscribe now.

ସେମିଳିଗୁଡ଼ା,(ବି.ବି.ନୁ୍ୟଜ): ସୁନାମଣୀ ମାଝୀ । ବୟସ ୪୦ । ଘର ସୁନାବେଡ଼ା ନିକଟ ବୁଦାପୁଟ ଗାଁରେ । ପିଲା ଦିନୁ ଦୁର୍ଘଟଣାରେ ହାତ ହରାଇଥିବା ସୁନାମଣୀଙ୍କ ମୁହଁରେ ଏବେ ସୁନାଫୁଲିଆ ହସ । କାରଣ ତାଙ୍କୁ ଆଉ ଦିବ୍ୟାଙ୍ଗ ଜୀବନ ବିତାଇବାକୁ ପଡ଼ିବନି । ଦୁଇଦିନ ତଳେ ସେମିଳିଗୁଡ଼ାରେ ଆୟୋଜିତ ଏକ ସ୍ୱାସ୍ଥ୍ୟ ଶିବିରରେ ତାଙ୍କର କୃତ୍ରିମ ହାତ ରୋପଣ କରାଯାଇଛି । ଏବେ ସୁନାମଣୀଙ୍କ ଆଖିରେ ଆଖିଏ ସ୍ୱପ୍ନ । କାମ କରୁଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କର ସଠିକ୍ ଯତ୍ନ ନେଇପାରିବେ । ବାକିତକ ଜୀବନ ସେମାନଙ୍କ ଗହଣରେ ବିତାଇଦେବେ ।
ପିଲା ଦିନେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ସୁନାମଣୀ । କଟିଯାଇଥିଲା ତାଙ୍କ ଡାହାଣ ହାତ । ତଥାପି ସେ ହାର୍ ମାନି ନଥିଲେ । ଗୋଟିଏ ହାତରେ ମୂଲ ଲାଗି ଅଭାବୀ ସଂସାରକୁ ଆଗେଇ ନେଇଥିଲେ । ୨୦ ବର୍ଷ ତଳେ ଗାଁରେ ଖୋଲିଥିଲା ନୂଆ ଅଙ୍ଗନବାଡି କେନ୍ଦ୍ରଟିଏ । ଦରକାର ପଡ଼ିଥିଲା ସହାୟିକାଟିଏ । ତକ୍ରାଳୀନ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର କେନ୍ଦ୍ରକୁ ଆସିଥିଲେ ସହାୟିକା ବାଛିବା ଲାଗି । ନଜର ପଡ଼ିଥିଲା ସୁନାମଣୀଙ୍କ ଉପରେ । ତାଙ୍କୁ ବାଛିଥିଲେ ସ୍ନିଗ୍ଧାରାଣୀ । ହେଲେ ଗାଁ ଲୋକେ ରାଜି ହୋଇନଥିଲେ । ଲୋକଙ୍କ ମନରେ ଆଶଙ୍କା ଥିଲା, ଗୋଟିଏ ହାତ ନଥିବା ସୁନାମଣୀ ରାନ୍ଧିବାଢ଼ÿି ପିଲାଙ୍କୁ କେମିତି ଖାଇବାକୁ ଦେବେ । ସେମାନଙ୍କ ଯତ୍ନ କିଭଳି ନେବେ । ସ୍ନିଗ୍ଧାରାଣୀ କିନ୍ତୁ ସବୁ ଦାୟିତ୍ୱ ନିଜ ଉପରକୁ ନେଇଥିଲେ । ସୁନାମଣୀଙ୍କ ଉପରେ ଭରସା ରଖି ଏହି ଦାୟିତ୍ୱ ଦେଇଥିଲେ । ଆଉ ସୁନାମଣୀ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ପିଲାଙ୍କର ସବୁ ପ୍ରକାର ଯତ୍ନ ନେବା ଲାଗି । ଗୋଟିଏ ହାତରେ ସବୁ ଅସାଧ୍ୟ କାମ କରି ଦେଖାଇଥିଲେ ।
ହାତ ନଥିବାରୁ ସୁନାମଣୀଙ୍କୁ ବାହା ହେବାକୁ କେହି ରାଜି ହୋଇନଥିଲେ । ତଥାପି ତାଙ୍କ ମନରେ ଦୁଃଖ ନଥିଲା । ପିଲାଙ୍କ ଗହଣରେ ରହି ଜୀବନର ସବୁକିଛି ଦୁଃଖକୁ ସେ ଭୁଲି ଯାଉଥିଲେ । ନିକଟରେ ଖବର ମିଳିଥିଲା ସୁନାବେଡ଼ାରେ ଅଙ୍ଗ ପ୍ରତିରୋପଣ ଲାଗି ଶିବିର କରାଯାଉଛି । ସେଠାରେ ତାଙ୍କର କୃତ୍ରିମ ହାତ ଲଗାଯାଇପାରିବ । ପୁଣିଥରେ ଉଭୟ ହାତରେ ସବୁ କିଛି କାମ କରିପାରିବେ ସେ । ଏକଥା ଶୁଣିଲା ପରେ ଧାଇଁ ଯାଇଥିଲେ ସୁନାମଣୀ । ଲାୟନ୍ସ କ୍ଲବ୍ ଓ ରାଜସ୍ଥାନ ଉଦୟପୁରର ଦାତବ୍ୟ ଅନୁÂାନ ନାରାୟଣ ସେବା ସଂସ୍ଥାନ ଆନୁକୂଲ୍ୟରେ ଶିବିର ଚାଲିଥାଏ । ସୁନାମଣୀଙ୍କ ହାତର ମାପ ନିଆଗଲା । ଏହା ତାଙ୍କ ପାଇଁ ଯେତିକି ଆନନ୍ଦ ଆଣିଥିଲା, ତା’ଠାରୁ କାହିଁ କେତେଗୁଣା ଖୁସି ଆଣିଥିଲା ସେଠାରେ ସ୍ନିଗ୍ଧାରାଣୀଙ୍କ ସହ ଭେଟ ହେବା ପରେ । ୨ ମାସ ପରେ ହାତ ଲଗାଯିବ ବୋଲି କୁହାଯାଇଥିଲା ।
ଠିକ୍ ୨ ମାସ ପରେ ସ୍ନିଗ୍ଧାରାଣୀଙ୍କଠାରୁ ଫୋନ୍ କଲ୍ ପାଇ ଶିବିରରେ ପହଞ୍ଚିଥିଲେ ସୁନାମଣୀ । ଉପସ୍ଥିତ ଡାକ୍ତରମାନେ ତାଙ୍କଠାରେ କୃତି୍ରମ ହାତ ଲଗାଇ ଦେଇଥିଲେ । ଆଖିରେ ସୃଷ୍ଟି ହୋଇଥିଲା ନୂଆ ସ୍ୱପ୍ନ ଏବଂ ଆତ୍ମବିଶ୍ୱାସର ଆତ୍ମ ପ୍ରତ୍ୟୟ । ମନରେ ଥିଲା ମେଞ୍ଚାଏ ଖୁସି । ଉଭୟ ସଂସ୍ଥାକୁ ହୃଦୟରୁ ଧନ୍ୟବାଦ ଦେଇଥିଲେ ସୁନାମଣୀ । ଏଥିସହ ସ୍ନିଗ୍ଧାରାଣୀଙ୍କଠାରୁ ନୂଆଶାଢୀଟିଏ ପାଇଥିଲେ । ଫେରିବା ବେଳେ ସ୍ନିଗ୍ଧାରାଣୀଙ୍କୁ କହିଥିଲେ ଦିଦି ତୁଇ କେବେ ଆସିବୁ । ମୁଁ ତୋ ପାଇଁ ସୁଆଁ ଚାଉଳ ସଙ୍ଗେଇଥିବି । ବାସ୍ତବରେ ଏହାକୁ କହନ୍ତି ସମ୍ପର୍କ । ମାନବିକତାର ଅସଲ ମହାମନ୍ତ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons