୧୨ ଶହ ସ୍ଥାନରେ ବୋମାବର୍ଷା

Get real time updates directly on you device, subscribe now.

କିଏଭ୍/ମସ୍କୋ: ୟୁକ୍ରେନ୍ ହମ୍ଲାର ଆଉ ଏକ ଭୟଙ୍କର ପର୍ଯ୍ୟାୟ ଆରମ୍ଭ କରିଦେଇଛି ରୁଷ । ପୂର୍ବାପେକ୍ଷା ହୋଇଉଠିଛି ଅଧିକ ଘାତକ । ରାଜଧାନୀ କିଏଭ୍ରୁ ଫୋକସ୍ କମାଇ ସିଧା ପୂର୍ବାଞ୍ଚଳକୁ କରିଛି ଟାର୍ଗେଟ୍ । ଡୋନ୍ବାସ୍ ଉପରେ ଜୋରଦାର ହୋଇଛି ହମ୍ଲା । ମୁଖ୍ୟତଃ ଡୋନ୍ବାସ୍କୁ ମିଶାଇ ୟୁକ୍ରେନ୍ର ମୋଟ ୧,୨୦୦ ସ୍ଥାନରେ ରାତିତମାମ ମିସାଇଲ୍, ତୋପ ଏବଂ ଏୟାର ଷ୍ଟ୍ରାଇକ୍ କରିଛି ପୁଟିନ୍ ସେନା ।
ରୁଷ-ୟୁକ୍ରେନ୍ ଯୁଦ୍ଧକୁ ମଙ୍ଗଳବାର ୫୫ ଦିନ ପୂରିଛି । ବେଳକୁ ବେଳ ଏହା ଉଗ୍ର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ରୁଷର ନିÂୁର ଆକ୍ରମଣ ଏବଂ ଘରୋଇ ସେନାର ଜବାବୀ କାର୍ଯ୍ୟାନୁÂାନରେ ଥରିଉଠୁଛି ୟୁକ୍ରେନ୍ । ସୋମବାର ବିଳମ୍ବିତ ରାତିରୁ ୟୁକ୍ରେନ୍ର ଅଧିକାଂଶ ସହରରେ ରୁଷ ସେନା ତୋପ ଏବଂ ବୋମା ବର୍ଷା ଜାରି ରଖିଛି । ବନ୍ଦର ସହର ମାରିଉପଲ୍କୁ ନିୟନ୍ତ୍ରଣ ପାଇଁ ଆଜି ପୁଟିନ୍ ସେନା ପୁଣି ୨ ଘଣ୍ଟାର ଡେଡ୍ଲାଇନ୍ ଦେଇଥିଲା । ତାହା ପାର୍ ହୋଇଯିବା ପରେ ସାଙ୍ଘାତିକ ହମ୍ଲା ହୋଇଛି । ଏଠାରେ ଏବେ ବି ୧ ଲକ୍ଷ ଲୋକ ଫସିରହିଥିବାରୁ ଯୁଦ୍ଧ ଯୋଗୁ ଅନେକ ଲୋକ ପ୍ରାଣ ହରାଇବା ଆଶଙ୍କା ରହିଛି ।
ସୂଚନା ମୁତାବକ, ମାରିଉପଲ୍ରେ ଥିବା ଆଜୋଭଷ୍ଟଲ୍ ଇସ୍ପାତ ପ୍ଲାଣ୍ଟରେ ଥିବା ୟୁକ୍ରେନ୍ ଓ ବିଦେଶୀ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ଦୁଇ ଘଣ୍ଟା ସମୟ ଦିଆଯାଇଥିଲା । ମସ୍କୋ ସମୟ ୧୪୦୦ରୁ ୧୬୦୦ ପର୍ଯ୍ୟନ୍ତ ଡେଡ୍ଲାଇନ୍ ରହିଥିଲା । ଏହି ସମୟ ମଧ୍ୟରେ ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ନିଶ୍ଚିତ ଜୀବନ ଦାନ ଦିଆଯିବ । ଅନ୍ୟଥା ଭୟଙ୍କର ପରିଣତିର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଥିଲା । କିନ୍ତୁ ସେମାନେ କିଛି ଶୁଣି ନ ଥିଲେ । ୟୁକ୍ରେନ୍ ସେନା ୭ ସପ୍ତାହ ଧରି ମାରିଉପଲ୍ର ସୁରକ୍ଷା ପାଇଁ ଲଢ଼ୁଛନ୍ତି । କିନ୍ତୁ ଏବେ ସେମାନଙ୍କର ସବୁ ଦମ୍ଭ ଭାଙ୍ଗିବାକୁ ଯାଉଛି ।
ଏହା ପୂର୍ବରୁ ରୁଷ ସେନା ଘଣ୍ଟା ଘଣ୍ଟା ଧରି ବୋମା ବର୍ଷା କରିବା ପରେ ଘରୋଇ ସେନା କ୍ରେମିନା ସହରରୁ ଛତ୍ରଭଙ୍ଗ ଦେଇଥିଲା । ଫଳରେ ଏହି ସହରକୁ ସମ୍ପୂର୍ଣ୍ଣ କବ୍ଜା କରିନେଇଛି ରୁଷ । ପରବର୍ତ୍ତୀ ମିଶନ ମାରିଉପଲ୍ ରହିଛି । ଖୁବଶୀଘ୍ର ଏହା ମଧ୍ୟ ନିୟନ୍ତ୍ରଣକୁ ଆସିବ ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍ର ରାଜଧାନୀ କିଏଭ୍କୁ କବ୍ଜା କରିବାକୁ ଚାହିଁଥିଲା ରୁଷ । କିଏଭ୍ କବ୍ଜା ଦ୍ୱାରା ସମଗ୍ର ଦେଶ ହାର୍ ମାନିଥାନ୍ତା । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା । ରୁଷର ଶତତ ଚେଷ୍ଟା ବିଫଳ ହୋଇଥିଲା । ଅନେକ କ୍ଷତି ବି ସହିବାକୁ ପଡ଼ିଥିଲା । ଏହାପରେ କିଏଭ୍ ଆଶା ଛାଡ଼ି ପୂର୍ବାଞ୍ଚଳ (ଡୋନ୍ବାସ୍)କୁ ଟାର୍ଗେଟ୍ ବନାଇଛି ରୁଷ । ସେନାର ସମ୍ପୂର୍ଣ୍ଣ ପୁନର୍ଗଠନ ହୋଇଛି । ଏହି ମିଶନର ଅଂଶ ସ୍ୱରୂପ ଡୋନେସ୍କ ଓ ଲୁହାଂସ୍କକୁ ପୂର୍ଣ୍ଣ ସ୍ୱାଧୀନତା ଦେବା ପାଇଁ ଅଣ୍ଟା ଭିଡ଼ିଛି ପୁଟିନ୍ ସେନା । ବିଭିନ୍ନ ସ୍ଥାନରେ ମିସାଇଲ୍ ଓ ବୋମା ମାଡ଼ କରାଯାଉଛି । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ୟୁକ୍ରେନ୍ ହମ୍ଲାର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବା ସ୍ପଷ୍ଟ କରିଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି କହିଛନ୍ତି, ପୂର୍ବାଞ୍ଚଳରେ ରୁଷର ସାଙ୍ଘାତିକ ଆକ୍ରମଣ ଆରମ୍ଭ ହୋଇଯାଇଛି । ଏହା ଭୟଙ୍କର ହେବାକୁ ଯାଉଛି । ଏହି ପ୍ରଚଣ୍ଡ ଆକ୍ରମଣର ସାମ୍ନା ପାଇଁ ୟୁକ୍ରେନ୍କୁ ନାଟୋ ଓ ୟୁରୋପୀୟ ଦେଶଗୁଡ଼ିକ ଆହୁରି ସାମରିକ ସହାୟତା ଯୋଗାଇ ଦେବା ଆବଶ୍ୟକ । ନଚେତ୍ ଏଠାରେ ବ୍ୟାପକ ଧନଜୀବନ କ୍ଷତି ହେବ । ଡୋନ୍ବାସ୍ ଉପରେ ରୁଷର ତମାମ ସେନା ସଂଘବଦ୍ଧ ହୋଇ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।
ୟୁକ୍ରେନ୍ର ପୂର୍ବାଞ୍ଚଳରେ ବାସ କରୁଥିବା ଅଧିକାଂଶ ଲୋକ ରୁଷୀୟ ଭାଷା ବ୍ୟବହାର କରିଥାନ୍ତି । ତେଣୁ ଏହି ଅଞ୍ଚଳକୁ ନିଜର ଭାବୁଛି ରୁଷ । ଦୀର୍ଘ ୮ ବର୍ଷ ହେଲା ରୁଷ ସମର୍ଥିତ ବିଦ୍ରୋହୀମାନେ ଏଠାରେ ରହି ଘରୋଇ ୟୁକ୍ରେନୀୟ ସେନାର ମୁକାବିଲା କରିଆସୁଛନ୍ତି । ଏବେ ଏମାନଙ୍କ ସହାୟତାରେ ସମଗ୍ର ପୂର୍ବାଞ୍ଚଳ ଉପରେ ଆଧିପତ୍ୟ ହାସଲ ଲକ୍ଷ୍ୟ ରଖିଛି ରୁଷ । ଯୁଦ୍ଧ ଆରମ୍ଭରେ ଯଦିଓ ଡୋନେସ୍କ ଓ ଲୁହାଂସ୍କକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରାଯାଇଥିଲା, ତଥାପି ଏହା ରୁଷ କବଳକୁ ସମ୍ପୂର୍ଣ୍ଣ ଆସିପାରି ନାହିଁ ।
ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଡୋନ୍ବାସ୍ ଅଭିମୁଖେ ରୁଷ ଯେତେ ସଂଖ୍ୟକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପଠାଉ ନା କାହିଁକି, ଆମେ ଲଢେ଼ଇ ଜାରି ରଖିବୁ । ପୁଟିନ୍ ସେନା ଆଗରେ ହାର୍ ମାନିବାର ପ୍ରଶ୍ନ ଉଠୁନାହିଁ । ଆମେ ପ୍ରତ୍ୟେକ ଦିନ ସଂଘର୍ଷ କରୁଛୁ । ଆଗକୁ ବି କରିବୁ । ଦେଶକୁ ବଞ୍ଚାଇବା ପାଇଁ ଆମର ଏ ଲଢେ଼ଇ ଜାରି ରହିବ ।
ଡୋନ୍ବାସ୍ରେ ଥିବା ରୁଷ ସମର୍ଥିତ ବିଦ୍ରୋହୀଙ୍କ ମୁଖପାତ୍ର ଏଡୁଆର୍ଡ ବସୁରିନ୍ କହିଛନ୍ତି, ମାରିଉପଲ୍ରେ ଥିବା ଆଜୋଭଷ୍ଟଲ୍ ମଧ୍ୟରେ ବିଦ୍ରୋହୀମାନେ ପ୍ରବେଶ କରିଛନ୍ତି । ଏଠାରୁ ୟୁକ୍ରେନ୍ ସେନାର ମୂଳୋତ୍ପାଟନ କରାଯିବ । ଏହାପରେ ତୋପ ଓ ବୋମା ମାଡ଼ ଜୋରଦାର କରାଯାଇ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରାଯିବ । ରୁଷ ସେନା ଏହାର ନୂଆ ପର୍ଯ୍ୟାୟ ହମ୍ଲାରେ କ୍ରେମିନାକୁ ଦଖଲ କରିଛି । ପୁଟିନ୍ ସେନା ଉକ୍ତ ସହର ମଧ୍ୟରେ ପଶି ସବୁଠି ନିଜ ଉପସ୍ଥିତି ଜାହିର କରିଛନ୍ତି । ଘରୋଇ ସେନା ଏଠାରୁ ଅପସାରିତ ହୋଇ ପୂର୍ବ ଏବଂ ଅନ୍ୟ ଅଞ୍ଚଳକୁ ପଳାଇଛନ୍ତି ।
ପୂର୍ବାଞ୍ଚଳରେ ଯଦି ରୁଷ ସେନା ବିଜୟୀ ହୁଅନ୍ତି, ତେବେ ସେମାନେ ପୁଣି କିଏଭ୍କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି କିଏଭ୍ର ମେୟର ଭିଟାଲି କ୍ଲିସ୍କୋଙ୍କ ଭାଇ ଲାଡିମିର୍ କ୍ଲିସ୍କୋ ସତର୍କବାଣୀ କରିଛନ୍ତି । ପୂର୍ବାଞ୍ଚଳକୁ ରୁଷ ସେନା ହାତରେ ନ ଦେବା ପାଇଁ ସଂଘର୍ଷ ଜାରି ରହିବା ଜରୁରି । ଏଥିପାଇଁ ସହଯୋଗୀ ଦେଶଗୁଡ଼ିକ ସାମରିକ ସହାୟତା ଯୋଗାଇବା ସହିତ ୟୁକ୍ରେନ୍ ଆକାଶକୁ ବନ୍ଦ ପାଇଁ ପଦକ୍ଷେପ ନେବା ଜରୁରି । ଆକାଶକୁ ଯଦି ବନ୍ଦ କରି ନ ପାରୁଛ, ତେବେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଅ ବୋଲି ପାଶ୍ଚାତ୍ୟ ଦେଶଗୁଡ଼ିକୁ ଅନୁରୋଧ କରିଛନ୍ତି କ୍ଲିସ୍କୋ । ସେପଟେ ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭିଡିଓ କନ୍ଫରେନ୍ସିଂ ଜରିଆରେ ସହଯୋଗୀ ଦେଶଗୁଡ଼ିକର ନେତାଙ୍କ ସହ କଥା ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons