ଦ୍ୱିତୀୟ ପତ୍ନୀଙ୍କୁ ପିଟି ପିଟି ମାରିଦେଲା ସ୍ୱାମୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପାରିବାରିକ ବିବାଦ ପାଇଁ ଗତ ସପ୍ତାହରେ ପତ୍ନୀ ଓ ଶାଳିକୁ ହତ୍ୟା ଘଟଣାର ମନରୁ ନ ଲିଭୁଣୁ ପୁଣି ଜଣେ ସଇତାନ ସ୍ୱାମୀଙ୍କ କାରନାମା ପଦାକୁ ଆସିଛି । ସାମାନ୍ୟ କଳିରୁ ଦ୍ୱିତୀୟ ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ତା’ପୁଣି ୪ ବର୍ଷର କୁନି ଝିଅ ସମ୍ମୁଖରେ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସହିଦ୍ନଗର ଥାନା ବାସୁଆଘାଇ ଦୁର୍ଗାପୁର ପାଟଣା ଗାଁରେ । ମୃତକ ଜଣଙ୍କ ହେଲେ ନିଳୀମା ଦାଶ (୨୭) । ପୁଲିସ୍ ଶବ ବ୍ୟବଚ୍ଛେଦ କରିବା ପରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶ (୩୨)ଙ୍କୁ ଗିରଫ କରିଛି ।
ସୌଭାଗ୍ୟଙ୍କ ଘର କଟକ ଟାଙ୍ଗୀରେ । ତାଙ୍କ ବାପା ପୂର୍ବତନ ଅଗ୍ନିଶମ କର୍ମଚାରୀ । ସେ ଦୁର୍ଗାପୁର ପାଟଣାରେ ଘର କରି ପରିବାର ସହ ରହୁଛନ୍ତି । ସୌଭାଗ୍ୟ ୨୦୧୬ରେ ମାଧୁରୀ (ଛଦ୍ମାନାମ)ଙ୍କୁ ପ୍ରଥମେ ବିବାହ କରିଥିଲେ । ବାହାଘର କିଛି ଦିନ ପରେ ସୌଭାଗ୍ୟ ତାଙ୍କୁ ନିର୍ଯାତନା ଦେବାରୁ ମାଧୁରୀ ଘର ଛାଡି ପଳାଇଥିଲେ । ଏହାପରେ ୨୦୧୭ ମସିହାରେ ନୟାଗଡ଼ ଦଶପଲ୍ଲାର ନିଳୀମାଙ୍କୁ ଦ୍ୱିତୀୟ ବିବାହର କରିଥିଲେ ସୌଭଗ୍ୟ । ବାହଘର କିଛି ମାସ ଠିକ୍ ଠାକ୍ ଥିଲା । ଉଭୟଙ୍କର ଏକ ଝିଅ ହୋଇଥିଲା । ସୌଭାଗ୍ୟ ୧୦୮ ଆମ୍ବୁଲାନ୍ସରେ କାମ କରୁଥିଲେ । ତେବେ କୌଣସି କାରଣରୁ ସେ ଚାକିରି ହରାଇଥିଲେ । ଏହାପରଠାରୁ ଅଧିକାଂଶ ସମୟରେ ଘରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା ।
ଶୁକ୍ରବାର ବିଳମ୍ବିତ ରାତିରେ ନିଳୀମା ଓ ସୌଭାଗ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉତକ୍ଷିପ୍ତ ହୋଇ ସୌଭାଗ୍ୟ ନୀଳିମାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏ ସବୁ ଘଟଣା ଘଟିଥିଲା ୪ ବର୍ଷର କୁନି ଝିଅ ଆଗରେ । ସକାଳ ହେବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଯୋଜନା କରି ଫେଲ୍ ମାରିଥିଲ । ସ୍ଥାନୀୟ ଲୋକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା । ଘଟଣା ବିଷୟରେ ସ୍ଥାନୀୟ ଲୋକ ଏବଂ ନିଳୀମାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଦୁଇ ଜଣଙ୍କ ମଧ୍ୟରେ ରାତିରେ କ’ଣ ଘଟିଥିଲା ? ସୌଭାଗ୍ୟ କେମିତି ହତ୍ୟା କଲେ ସେ ବିଷୟରେ କୁନି ଝିଅକୁ ପଚାରିଛି ପୁଲିସ୍ ।
ଏନେଇ ପୁଲିସ୍ କହିଛି, ନିଳୀମାନଙ୍କ ଦେହ ମୁଣ୍ଡରେ ଅନେକ କ୍ଷତ ଚିହ୍ନ ରହିଛି । ପ୍ରଚୁର ରକ୍ତ ବାହାରିଛି । ହେଲେ ବେକରେ ରହିଛି ଫାଶି ଦେବାର ଚିହ୍ନ । ସେ ତାଙ୍କୁ ପିଟିଥିବା ପ୍ରମାଣ ମିଳିଛି । ହେଲେ ବେକର ଚିହ୍ନ ବିଷୟରେ ସଠିକ୍ କାରଣ ଜଣାପଡୁ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡିବ । ତା’ଛଡା ସ୍ୱାମୀର ନିର୍ଯାତନା ସହି ନପାରି ନିଳୀମା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମଧ୍ୟ ପୁଲିସ୍ ଅନୁମାନ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons