ମେଡିକାଲ୍ କଲେଜରେ ବିଦୁ୍ୟତ୍ ବିଭ୍ରାଟ:ମୋବାଇଲ ଟର୍ଚ୍ଚରେ ରୋଗୀ ସେବା

Get real time updates directly on you device, subscribe now.

କୋରାପୁଟ,(ବି.ବି.ଆପ୍ର): ସନ୍ଧ୍ୟାରୁ ବିଜୁଳି ଆଲୁଅ ନାହିଁ । ମୋବାଇଲ୍ ଲାଇଟ୍ରେ ଚାଲିଛି ରୋଗୀ ସେବା । ଗରମରେ ଆଉଟୁପାଉଟୁ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କିଏ ବିଞ୍ଚଣା ଧରି ରୋଗୀଙ୍କ ପାଖରେ ବସିଛି ତ ଆଉ କିଏ ତଳେ ଶୋଇଥିବା ରୋଗୀଙ୍କୁ ସେବା କରୁଛି । ଏହା କୌଣସି ଦୁର୍ଗମ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ନୁହେଁ, ଖୋଦ୍ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଆଜି ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଅନ୍ଧାରରେ ରୋଗୀ ଓ ସମ୍ପର୍କୀୟମାନେ ଏଭଳି ଅସୁବିଧା ଭୋଗିଥିଲେ । ସବୁଠାରୁ ବଡ଼ କଥା ହେଲା, ଘଣ୍ଟା ଘଣ୍ଟା ଧରି ରୋଗୀମାନେ ଅସୁବିଧା ଭୋଗୁଥିଲେ ବି ହସ୍ପିଟାଲ୍ ମ୍ୟାନେଜରଙ୍କ ପାଖରେ କୌଣସି ଖବର ନାହିଁ । ଏଥିରୁ ମେଡିକାଲ୍ କଲେଜର ପରିଚାଳାନାଗତ ତ୍ରୁଟି ଜଳଜଳ ହୋଇ ଦିଶୁଛି ।
ଆଜି ସନ୍ଧ୍ୟା ସାଢେ଼ ୬ଟାରେ ହଠାତ୍ ବିଦୁ୍ୟତ୍ ଚାଲିଯାଇଥିଲା । ଏଥିଯୋଗୁ ମେଡିକାଲ୍ କଲେଜର କାଜୁଆଲ୍ଟି, ଭେଷଜ ଓ ଅସ୍ଥିଶଲ୍ୟ ଇନ୍ଡୋର ବିଭାଗ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲା । ବିଭିନ୍ନ ବିଭାଗରେ ରୋଗୀ ଓ ସମ୍ପର୍କୀୟମାନେ ଗରମରେ ଛଟପଟ ହୋଇଥିଲେ । କେବଳ ରୋଗୀମାନେ ନୁହନ୍ତି, ଡାକ୍ତର ଓ ଷ୍ଟାଫ୍ ନର୍ସ ମଧ୍ୟ ଅସୁବିଧା ଭୋଗିଥିଲେ । ଏମିତିକି ମୋବାଇଲ୍ ଟର୍ଚ୍ଚ ଲାଇଟ୍ରେ ରୋଗୀ ସେବା କରାଯାଇଥିଲା । ଅନୁରୂପ ଭାବେ ପୁରୁଷ ଭେଷଜ ଇନ୍ଡୋର୍ରେ ଡାକ୍ତରମାନେ ମୋବାଇଲ୍ ଲାଇଟ୍ରେ ରୋଗୀଙ୍କ ନଥିପତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା । ମେଡିକାଲ୍ କଲେଜରେ ଜେନେରେଟର୍ ଥିଲେ ବି ତାକୁ ବ୍ୟବହାର କରାଯାଇ ନଥିଲା । ଫଳରେ ଗରମରେ ସନ୍ତୁଳି ହୋଇଥିଲେ ସମସ୍ତେ । ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ସୁଦ୍ଧା ବିଜୁଳି ଆସି ନଥିବା ବେଳେ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରି ନଥିଲେ । ପରିଚାଳନାଗତ ତ୍ରୁଟି ଯୋଗୁ ଭଗବାନଙ୍କ ଭରସାରେ ମେଡିକାଲ୍ ଚାଲିଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି ।
ଏ ସମ୍ପର୍କରେ ହସ୍ପିଟାଲ୍ ମ୍ୟାନେଜର ଶୁଭେନ୍ଦୁ ପଣ୍ଡାଙ୍କୁ ପଚାରିବାରେ ସେ ଓଲଟା ହସ୍ପିଟାଲ୍ରେ ବିଦୁ୍ୟତ୍ ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଖୋଦ୍ ଶ୍ରୀ ପଣ୍ଡା ମଧ୍ୟ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି କିମ୍ବା ଜାଣି ଅଜଣା ରହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons