ସମ୍ଭାବ୍ୟ ବାତ୍ୟା ‘ ଦାନା ‘ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ପ୍ରଶାସନର ପ୍ରସ୍ତୁତି ବୈଠକ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ପୂର୍ବ -ମଧ୍ୟ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସୁଦ୍ଧା ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଏବଂ ୧୩୫ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ଥିତ ଓସ୍ୱାନ ଭି ସି ହଲ୍ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଭାସୀ ମାଧ୍ୟମରେ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଦାନା ର ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା, ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟାଜଳ ଅବାଧରେ ପ୍ରବାହିତ ହେବାପାଇଁ ଡ୍ରେନ ଗୁଡ଼ିକୁ ସଫା କରିବା, ଦୁର୍ବିପାକ ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା, ନଳକୂପ ଗୁଡ଼ିକର ମରାମତି କରିବା, ଦୁର୍ଗମ ତଥା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ରଖିବା, ଖାଦ୍ୟ ଯୋଗାଣ ନିମନ୍ତେ ବ୍ୟାପକ ଗାଡି ର ବ୍ୟବସ୍ଥା କରିବା, ଓଡ୍ରାଫ ଟିମ୍, କୋଷ୍ଟ ଗାର୍ଡ, ମାରିନ ପୋଲିସ, ଅଗ୍ନିଶମ ବିଭାଗ କୁ ସତର୍କ ରହିବା,କ୍ଷତିଗ୍ରସ୍ତ ହେବାକୁ ଥିବା ଫସଲ ଆଦିର ଆକଳନ କରିବା, ସ୍ୱାସ୍ଥ୍ୟ, ଗୋଖାଦ୍ୟ ଯୋଗାଣ, ଗାଈ ଗୋରୁ ଆଦିଙ୍କୁ ଉଚ୍ଚ ଜାଗାକୁ ସ୍ଥାନାନ୍ତର କରିବା, ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ରେ ଥିବା ୪୫ ଟି ବାତ୍ୟା ଆଶ୍ରୟ ସ୍ଥଳ ତଥା ୨୨୪ ଟି ଅନ୍ୟ ଆଶ୍ରୟ ସ୍ଥଳ ରେ ଆବଶ୍ୟକୀୟ ସାଧନ ବ୍ୟବସ୍ଥା କରିବା, ଜରୁରୀ ପରିସ୍ଥତିରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରିବା, ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ନିରାପଦ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମା ଗୃହ କୁ ସ୍ଥାନନ୍ତରିତ କରିବା, ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା,ମତ୍ସ୍ୟଜିଵୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରେଇବା ଆଦି ବିଷୟରେ ଗୁରୁତ୍ବ ଦେଇଥିଲେ ଜିଲ୍ଲାପାଳ। ବାଲିକୁଦା, କୁଜଙ୍ଗ, ଏରସମା, ନାଉଗାଁ ବ୍ଲକ ରେ ବାତ୍ୟା ଆଶଙ୍କା ଥିବାରୁ ବିଡ଼ିଓ ତହସିଲଦାର ମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।ଏତଦବ୍ୟତୀତ ସହରାଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ର ସମାଧାନ, ଅତ୍ୟାବଶ୍ୟକୀୟ ସେବା ଯଥା ବିଦ୍ୟୁତ୍, ଟେଲିଫୋନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବ୍ଲକ ଗୁଡିକରେ ସ୍ଥାନୀୟ ଆଇ.ଆଇ.ସି,କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠନ କରିବା ସହ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅବଶେଷ ରେ ‘ନୋ ଲାଇଫ ଲସ ‘ ର ଲକ୍ଷ୍ୟ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆସନ୍ତା ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍,ଅତିରିକ୍ତ ଜିଲ୍ଲାପାଳ , ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଡେପୁଟି କଲେକ୍ଟର, ଜରୁରୀ ବିଭାଗ, ସନ୍ଧ୍ୟାଞ୍ଜଳୀ ମାଝୀ , ସମସ୍ତ ବ୍ଳକ ର ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons