{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ୨୦୨୩-୨୪ ଉତ୍ସବ ତଥା ବିଶ୍ଵ ସୁନାମି ସଚେତନତା କାର୍ଯ୍ୟକ୍ରମ ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ର ମାନ୍ୟବର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଥିଲେ।ବର୍ତ୍ତମାନ ପରିସ୍ଥିତି ରେ ବୃକ୍ଷ ରୋପଣ ହିଁ ଏକମାତ୍ର ସମାଧାନ ବୋଲି ବିଧାୟକ କହିଥିଲେ। ଜିଲ୍ଲାରେ ଅବକ୍ଷୟ ସ୍ଥିତିରେ ରହିଥିବା ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର କରିବା ପାଇଁ ବିଧାୟକ ମତ ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ପରିବେଶବିତ ତଥା ବୈଜ୍ଞାନିକ ଏବଂ କାର୍ଯ୍ୟକାରୀ ସଭାପତି ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର ଡ଼ ଜୟକୃଷ୍ଣ ପାଣିଗ୍ରାହୀ ଯୋଗ ଦେଇ ସମ୍ପ୍ରତି ଗ୍ଲୋବାଲ ୱର୍ମିଂ, ସମୁଦ୍ରପତନ ପରିବର୍ତ୍ତନ ଆଦି ମନୁଷ୍ୟକୃତ ପ୍ରାକୃତିକ ବିପର୍ଯ୍ୟୟ ବୋଲି ମତ ଦେଇଥିଲେ।ପରିବେଶର ସୁରକ୍ଷା ତଥା ବନ୍ୟା ବାତ୍ୟା, ଭୂମିକମ୍ପ,ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଜନସାଧାରଣ ସଚେତନ ରହିବା ପାଇଁ ମୁଖ୍ୟ ବକ୍ତା ମତବ୍ୟକ୍ତ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ପାତ୍ର ମଧ୍ୟ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ଵ ଦେଇଥିଲେ । ଜଗତସିଂହପୁର ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ପ୍ରାକୃତିକ ଦୁର୍ବିପାକ ରୁ ରକ୍ଷା ପାଇବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉପଯୁକ୍ତ ସଚେତନତା ଆବଶ୍ୟକ ରହିଛି। ଏହି କାର୍ଯ୍ୟକ୍ରମରେ ୭ ଜଣ ପ୍ରକୃତି ମିତ୍ର ଓ ୮ ଜଣ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହୋଇଥିଲେ। ବିଭିନ୍ନ ବ୍ଲକ୍ ରୁ ଶତାଧିକ ପରିବେଶ ସଚେତନ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏଥିରେ ଶ୍ରୀ ଏସ୍. ଡି ପ୍ଲାବନ,ଶ୍ରୀ ଦୀପକ ମିଶ୍ର,ଶ୍ରୀ ନରେନ୍ଦ୍ର ବେହେରା,ଶ୍ରୀ ସଚ୍ଚିଦାନନ୍ଦ ସାହୁ, ପ୍ରାଚୀ ପଟ୍ଟନାୟକ, ସୁମିତ୍ରା ମଲ୍ଲିକ, ପ୍ରଗତି ଜେନା, ତ୍ରିଲୋଚନ ସାହୁ, ପଦରଜ ଉମାକାନ୍ତ ନାୟକ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀମତୀ ମନିଷା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
Comments are closed, but trackbacks and pingbacks are open.